ବାହୁଡ଼ାରେ ବାହୁଡ଼ିଲେ ରଥାରୁଢ ମହାବାହୁ

ବଡ଼ମ୍ବା :  ପବିତ୍ର ବାହୁଡ଼ା ଯାତ୍ରାରେ ରଥାରୁଢ ମହାବାହୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି । ଝିପିଝିପି ବର୍ଷାରେ ଶହଶହ ଶ୍ରଦ୍ଧାଳୁ ବଡ଼ମ୍ବା ବଡ଼ଦାଣ୍ଡରେ ରଥ ଟାଣିଥିଲେ । ସଂଧ୍ୟା ପୂର୍ବରୁ ରଥ ବଡ଼ଦାଣ୍ଡର ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଯାଇଛି । ପାରମ୍ପରିକ ରୀତିନୀତି ସରିବାରେ ଠାକୁରଙ୍କ ସେନାପଟା ଲାଗି କରାଯାଇଥିଲା । ପରେ ପରେ ଗୋଟି ପହଣ୍ଡିରେ ଠାକୁର ଗୁଣ୍ଡିଚା ଘରୁ ରଥ ଉପରକୁ ବିଜେ କରିଥିଲେ । ଅପରାହ୍ନରେ ବଡ଼ମ୍ବା ରାଜା ତ୍ରିବିକ୍ରମଚନ୍ଦ୍ର ବୀରବର ମଙ୍ଗରାଜ ମହାପାତ୍ର ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ଛେରାପହଁରା ନୀତି ସମୟରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ତହସିଲଦାର ତପନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ରାଜପରିବାର ସଦସ୍ୟ କୁମାର ତ୍ରିଭୁବନଚନ୍ଦ୍ର ଦେବ ପ୍ରମୁଖ ରଥରେ ଉପସ୍ଥିତ ଥାଇ ଦିଅଁ ଦର୍ଶନ କରିଥିଲେ । ରଥରୁ ଚାରମାଳ ଫିଟିବାରେ ଅପରାହ୍ନ ପ୍ରାୟ ସାଢେ ୫ଟା ସମୟକୁ ରଥଟଣା ହୋଇଥିଲା । ପ୍ରଶାସନ ଏବଂ ପୁଲିସ ଉପସ୍ଥିତିରେ ଶାନ୍ତିଶୃଙ୍ଖଳାର ସହିତ ବଡ଼ମ୍ବାରେ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଆସନ୍ତା କାଲି ଅର୍ଥାତ ରବିବାର ଉଭାଯାତ୍ରା ରହୁଥିବାରୁ ଠାକୁର ରଥରେ ସୋମବାର ପର୍ଯ୍ୟନ୍ତ ରହିବେ। ସୋମବାର ରଥାରୁଢ ମହାପ୍ରଭୁଙ୍କଠି ବଡ଼ଏକାଦଶୀ ଉତ୍ସବ ପାଳନ ହେବ ଏବଂ ସେହି ସଂଧ୍ୟାରେ ରଥ ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

kalyan agarbati

Comments are closed.