www.samajalive.in
Monday, December 15, 2025
15.1 C
Bhubaneswar

ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟମ୍ୟାଚ୍‌

ବର୍ମିଂହାମ୍‌ :  ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ମ୍ୟାଚ୍‌କୁ ଜିତି ଶୃଙ୍ଖଳାକୁ ଅମୀମାଂସିତ ରଖିବା ପାଇଁ ଇଂଲଣ୍ଡକୁ ୨ୟ ଇନିଂସରେ ୩୭୮ ରନ୍‌ର ବିଜୟଲକ୍ଷ୍ୟ ଦେଇଛି ଭାରତ। ତେବେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଚମତ୍କାର ବ୍ୟାଟିଂକରି ଭାରତକୁ କଡ଼ା ଜବାବ ଦେଇଛନ୍ତି। ଆଲେକ୍ସ ଲିସ୍ ଓ ଜ୍ୟାକ୍‌ କ୍ରଲି ଶତକୀୟ ଭାଗିଦାରୀ କରିଥିବା ବେଳେ ଜୋ ରୁଟ୍‌ ଓ ଜନି ବେୟାରଷ୍ଟୋ ଅପରାଜିତ ରହି ଦେଢ଼ଶହ ରନ୍‌ର ଭାଗିଦାରୀ କରିଛନ୍ତି। ୪ର୍ଥ ଦିନ ଶେଷରେ ଇଂଲଣ୍ଡ ୩ ୱିକେଟ ହରାଇ ୨୫୯ ରନ୍‌ କରିପାରିଛି। ମଙ୍ଗଳବାର ୫ମ ତଥା ଅନ୍ତିମ ଦିନରେ ହାତରେ ୭ ୱିକେଟ ବାକିଥାଇ ଇଂଲଣ୍ଡ ଜିତିବା ପାଇଁ ୧୧୯ ଆଉ ରନ୍‌ ଆବଶ୍ୟକ କରୁଛି। ପ୍ରଥମ ଇନିଂସରେ ୧୩୨ ରନ୍‌ ଆଗରେ ଥିବା ଭାରତ ସୋମବାର ୪ର୍ଥ ଦିନରେ ଚେତେଶ୍ବର ପୂଜାରା ଓ ଋଷଭ ପନ୍ତ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ୨ୟ ଇନିଂସରେ ୨୪୫ ରନ୍‌ ସ୍କୋର୍‌ରେ ଅଲ୍ଆଉଟ୍‌ ହୋଇ ଯାଇଥିଲା। ଫଳରେ ଇଂଲଣ୍ଡକୁ ୨ୟ ଇନିଂସରେ ୩୭୮ ରନ୍‌ର ପିଛା କରିବାକୁ ମିଳିଥିଲା।
ଦୃଢ଼ତାର ସହ ଘରୋଇ ଇଂଲଣ୍ଡ ୨ୟ ଇନିଂସରେ ୩୭୮ ରନ୍‌ର ପିଛା ଆରମ୍ଭ କରିଥିଲା। ଦୁଇ ଓପ୍‌ନର ଆଲେକ୍ସ ଲିସ୍ ଓ ଜ୍ୟାକ୍‌ କ୍ରଲି ନିୟମିତ ଷ୍ଟ୍ରୋକ୍‌ ଖେଳି ୧୦୭ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ତେବେ ୪ ଓଭରରେ ମାତ୍ର ୨ ରନ୍‌ରେ ଇଂଲଣ୍ଡର ୩ଟି ୱିକେଟ ନେଇ ଭାରତ ମ୍ୟାଚ୍‌କୁ ଫେରିଥିଲା। କ୍ରଲି ୭ଟି ଚୌକା ସହ ଯଶପ୍ରୀତ ବୁମ୍‌ରାଙ୍କ ଶିକାର ହୋଇଥିଲେ। ବୁମ୍‌ରା ତାଙ୍କ ପରବର୍ତ୍ତୀ ଓଭରରେ ଓଲି ପୋପ୍ (୦)ଙ୍କ ୱିକେଟ ନେଇଥିଲେ। ଦର୍ଶନୀୟ ବ୍ୟାଟିଂ କରୁଥିବା ଆଲେକ୍ସ ଲିସ୍‌ ଅର୍ଦ୍ଧଶତକ ପୂରଣ ପରେ ରନ୍‌ଆଉଟ୍‌ ହୋଇଥିଲେ। ଲିସ୍‌ ୮ଟି ଚୌକା ସହ ୫୬ ରନ୍‌ କରିଥିଲେ। ୧୦୯ ରନ୍‌ରେ ଇଂଲଣ୍ଡ ୩ଟି ୱିକେଟ ହରାଇବା ପରେ ଜୋ ରୁଟ୍‌ ଓ ଜନି ବେୟାଷ୍ଟୋ ଚମତ୍କାର ବ୍ୟାଟିଂ କରିଥିଲେ। ନିୟମିତ ଷ୍ଟ୍ରୋକ୍‌ ଖେଳି ଦୁହେଁ ସ୍କୋର୍‌ ବଢ଼ାଇ ଚାଲିଥିଲେ। ଅବିଭାଜିତ ୪ର୍ଥ ୱିକେଟ ପାଇଁ ଦୁହେଁ ୧୫୦ ରନ୍‌ ଯୋଡ଼ିଛନ୍ତି। ରୁଟ୍‌ ୧୧୩ ବଲ୍‌ରୁ ୯ଟି ଚୌକା ସହ ୭୬ ଏବଂ ବେୟାରଷ୍ଟୋ ୮୭ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୭୨ ରନ୍‌କରି ଅପରାଜିତ ରହିଛନ୍ତି।
୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୩ ୱିକେଟରେ ୧୨୫ ରନ୍‌ କରିଥିଲା। ୪ର୍ଥ ଦିନରେ ଭାରତ ଆଉ ମାତ୍ର ୧୨୦ ରନ୍‌ ଯୋଡ଼ି ବାକି ୭ଟି ୱିକେଟ ହରାଇଥିଲା। ଚେତେଶ୍ବର ପୂଜାରା ଓ ଋଷଭ ପନ୍ତ୍‌ଙ୍କୁ ଛାଡ଼ି ଅନ୍ୟ କେହି ବଡ଼ ସ୍କୋର୍ କରି ପାରିନଥିଲେ। ୪ର୍ଥ ୱିକେଟ ପାଇଁ ପୂଜାରା ଓ ପନ୍ତ୍ ୭୮ ରନ୍‌ ଯୋଡ଼ିବା ପରେ ପୂଜାରା ଆଉଟ୍‌ ହୋଇଥିଲେ। ପୂଜାରା ୧୬୮ ବଲ୍‌ରୁ ୮ଟି ଚୌକା ସହ ୬୬ ରନ୍‌ କରିଥିଲେ। ଶ୍ରେୟାସ ଆୟରଙ୍କ ଦୁର୍ବଳତା ଦେଖି ଇଂଲଣ୍ଡର ପେସ୍ ବୋଲର ତାଙ୍କୁ ସର୍ଟ ପିଚ୍‌ ବୋଲିଂ କରିଥିଲେ। ସର୍ଟ ପିଚ୍‌ ବଲ୍‌ରେ ଆଉଟ୍‌ ହେବା ପୂର୍ବରୁ ଆୟର ୩ଟି ଚୌକା ସହ ୧୯ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଋଷଭ ପନ୍ତ୍ ୨ୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ବେପରୁଅା ଭାବେ ରିଭର୍ସ ସ୍ବିପ୍‌ ମାରି ପନ୍ତ୍ ଆଉଟ୍‌ ହୋଇଥିଲେ। ଫର୍ମରେ ଥିବା ପନ୍ତ୍ ୮୬ ବଲ୍‌ରୁ ୮ଟି ଚୌକା ସହ ୫୭ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ଅନ୍ୟ ଶତକ ହାସଲକାରୀ ରବୀନ୍ଦ୍ର ଜାଡ଼େଜା ଏକ ଜୀବନଦାନ ପାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରିନଥିଲେ। ଜାଡ଼େଜା ୨୩ ରନ୍‌ କରିଥିଲେ। ସାର୍ଦୁଳ ଠାକୁର ୪ ଓ ମହମ୍ମଦ ସାମି ୧୩ ରନ୍‌ କରିଥିଲେ। ଅଧିନାୟକ ବେନ୍ ଷ୍ଟୋକ୍‌ସ ମାତ୍ର ୩୩ ରନ୍‌ଦେଇ ୪ଟି ୱିକେଟ ନେଇଥିବା ବେ​‌େ​‌ଳ ମାଥ୍ୟୁ ପଟ୍‌ସ ଓ ଷ୍ଟୁଆର୍ଟ ବ୍ରଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories