ପତିତପାବନ ଦେବଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି, ପିପିଲିରେ ସାଢେ ୧୨ଟାରେ ରଥଟଣା
ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ରଥଯାତ୍ରା ପାଇଁ ସୋମବାର ଦିନ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ଶତପଥୀ ସଭାପତିତ୍ୱ କରିଥିଲେ । କମିଟିର ସଂପାଦକ ପ୍ରଭାତ କୁମାର ମହାପାତ୍ର ବିବରଣୀ ପାଠ କରିବା ସହିତ ଠାକୁରଙ୍କ ଧ୍ୱଜା ଉତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଠାରୁ ଆରମ୍ଭ କରି ବାହୁଡା ଯାତ୍ର, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିନିର୍ଘଣ୍ଟ ସଂପର୍କରେ ଆଲୋକପାତ କରିଥିଲେ । ଜୁଲାଇ ୧ ତାରିଖ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯିବା ପରେ ସାଢେ ୧୧ଟାରେ ଛେରାପହଁରା କରାଯିବ । ସାଢେ ୧୨ଟାରେ ରଥଟଣା ଆରମ୍ଭ ହୋଇ ପିପିଲି ମୁଖ୍ୟବଜାର ଦେଇ ମଢିଆଳିସାହି ସ୍ଥିତ ମା’ପଡେଇଶୁଣୀ ଠାକୁରାଣୀଙ୍କ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ରଥଯାତ୍ରା ଠାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଥିଲେ। ପିପିଲି ବିଡିଓ ରଶ୍ମିତା ନାଥ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ କାହ୍ନୁଚରଣ ବେହେରାଙ୍କ ସମେତ ତହସିଲ ଓ ଏନ୍ଏସିର ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏନ୍ଏସିର ପୂର୍ବତନ ନଗରପାଳ ଗୋକୁଳାନନ୍ଦ ମହାନ୍ତି, ରଥଯାତ୍ରା ପରିଚାଳନା କମିଟିର ଉପସଭାପତି ବାମଦେବ ମିଶ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ଆଡ୍ଭୋକେଟ ସୁଧୀର କୁମାର ମହାନ୍ତି, ରମେଶ ଚନ୍ଦ୍ର ମହାପାତ୍ର, ପ୍ରଭାକର ପଣ୍ଡା, ମନୋଜ ପ୍ରଧାନ, ରାମଚନ୍ଦ୍ର ଦାଶ, ସଚ୍ଚିଦାନନ୍ଦ ନାୟକଙ୍କ ସମେତ ସମସ୍ତ ସଦସ୍ୟ, ସେବାୟତମାନେ ଯୋଗଦେଇଥିଲେ । କୋଭିଡ୍ ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ମେଳରେ ରଥଯାତ୍ରା ହେଉଥିବାରୁ ଏହାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସଭ୍ୟ ମାନେ ବିଭିନ୍ନ ମତ ଦେଇଥିଲେ।
Comments are closed.