ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ୍ରାଫ ଟିମର କୌଶଳ ପ୍ରଦର୍ଶନ
ନବରଙ୍ଗପୁର:ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜିଲା ପ୍ରଶାସନ ଅନୁକୂଲ୍ୟରେ ଓଡ୍ରାଫ ଟିମ ଦ୍ୱାରା ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କଲେଜ ପରିସରରେ କୌଶଳ ସମ୍ପର୍କିତ ସମସ୍ତ ଆବଶ୍ୟକୀୟ ସରଞ୍ଜାମକୁ ସଜାଯାଇଥିଲା। କଲେଜ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ କାର୍ୟ୍ୟକ୍ରମ ଆରମ୍ଭର ସୂଚନା ଦେବା ପରେ ଟିମ ଅଧିକାରୀ ଗୋଟିଏ ପରେ ଗୋଟିଏ କୌଶଳ ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରାୟ ୨୦ ଜଣ ଓଡ୍ରାଫ କର୍ମଚାରୀ ଭାଗ ନେଇଥିଲେ। ବନ୍ୟା ବିପର୍ୟୟ ସମୟରେ କିପରି ଉଦ୍ଧାର କାର୍ୟ୍ୟ ହୁଏ, ରାସ୍ତା ଉପର ଗଛ କିପରି କଟାଯାଇ ସଫା କରାଯାଏ, ନଦୀରୁ ବୁଡି ଯାଉଥିବା ଡଙ୍ଗାରୁ କିପରି ଲୋକଙ୍କୁ ଉଦ୍ଧାର କରାଯାଏ, ଏସବୁ ବିଷୟରେ ବର୍ଣ୍ଣନା କରିବା ସହ କୌଶଳ ଦେଖାଇ ଥିଲେ। ଘର ଭିତରେ ଗ୍ୟାସ ଚୁଲାରୁ ନିଆଁ ଲାଗିଗଲେ କଣ କରିବେ ତା ଉପରେ ପ୍ରଦର୍ଶନ ହୋଇଥିଲା। ମୁଖ୍ୟତଃ ଘର ପୋଡି ସମୟରେ ଘର ଉପରେ ଚଢ଼ି କିପରି ଲୋକଙ୍କୁ ଉଦ୍ଧାର କରାଯିବ, ସେହି କୌଶଳ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରିଥିଲା । ସମାଜରେ ଥିବା ବିଭିନ୍ନ ବର୍ଗର ଲୋକମାନେ ଦୁର୍ବିପାକ ସମୟରେ କଣ ସବୁ ସତର୍କତା ଅବଲମ୍ବନ କରିବେ, ସେଗୁଡିକ ବିଷୟରେ ଆଲୋଚନା କରାଯାଉଥିଲା। ଏତତ୍ ସହିତ ବିଭିନ୍ନ ଅସୁବିଧା ସମୟରେ ସରକାରଙ୍କର ଓଡ୍ରାଫ ଟିମ କେମିତି ଉଦ୍ଧାର କାର୍ୟ୍ୟରେ ସହଯୋଗ କରନ୍ତି, ତାର ନମୂନା ପ୍ରଦର୍ଶନ ସମସ୍ତଙ୍କୁ ମୁଗ୍ଧ କରିଥିଲା। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସହ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟରେ ଥିବା ଏନଏସଏସ, ଯୁବ ରେଡ଼ କ୍ରସ,ଏନସିସି , ଆତ୍ମ ସୁରକ୍ଷା ବାହିନୀର ଛାତ୍ର ଛାତ୍ରୀଙ୍କୁ ମୁଖ୍ୟତଃ ଏହି କାର୍ୟ୍ୟକ୍ରମରେ ସାମିଲ ହେବାପାଇଁ ମନୋନୀତ କରାଯାଇଥିଲା। ଶେଷରେ ଓଡ୍ରାଫ ଟିମର ସମସ୍ତ ସଦସ୍ୟ, ଜିଲା ପ୍ରଶାସନ ତଥା ସରକାରଙ୍କୁ ସାଧୁବାଦ ଦେବା ସହ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଙ୍କର ବିକାଶ ନିମନ୍ତେ ଜିଲାର ସମସ୍ତ ସଂସ୍ଥାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇ କାର୍ୟ୍ୟକ୍ରମ କରିବାକୁ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ।
Comments are closed.