ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୧୦ହଜାର ଲୋକଙ୍କୁ ନିରାପଦରେ ରଖାଯିବା ପାଇଁ ନିର୍ମାଣ ହୋଇଛି ଆଶ୍ରୟସ୍ଥଳୀ
ଜିଲା ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍-୨୦୨୨
ଫୁଲବାଣୀ:ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଆୟୋଜିତ ଜିଲା ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍-୨୦୨୨, ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ଅଧ୍ୟକ୍ଷତା କରି କହିଥିଲେ ଯେ ଯଦିଓ ଆମ ଜିଲ୍ଲାରେ ମଲ୍ଟି ପର୍ପସ୍ ସେଣ୍ଟର କରାଯାଇ ନାହିଁ ତଥାପି ସେଭଳି କିଛି ପ୍ରାକୃତିକ ବିପର୍ଯ୍ୟୟ ଯଦି ଜିଲାରେ ଦେଖାଦିଏ ତେବେ ୧୦ହଜାର ଲୋକଙ୍କୁ ନିରାପଦରେ ରଖାଯିବା ପାଇଁ କେତେଗୁଡ଼ିଏ ଆଶ୍ରୟସ୍ଥଳୀ ସ୍ଥିର କରାଯାଇଛି। ତେବେ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ଜିଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ସଜାଗ ହେବା ଏବଂ ବିପର୍ଯ୍ୟୟ ପରେ ଥଇଥାନ ପଦଯେପକୁ ସଠିକ ପରିଚାଳନା କରିବା ଉଦ୍ଦେଶ୍ୟରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ କହିଥିଲେ ଯେ ବିପର୍ଯ୍ୟୟ ଆସିଲେ ତାହା କିପରି ପରିଚାଳନା କରାଯାଇପାରିବ ଏବଂ ତା’ର ପ୍ରଭାବକୁ କିଭଳି ହ୍ରାସ କରାଯିବା ସହ ଧନ ଜୀବନ ରକ୍ଷା କରାଯିବ ସେ ସମ୍ପର୍କରେ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ଦାୟୁତ୍ୱ ରହିଛି। ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ଉପଯୁକ୍ତ ଯୋଜନା କରିବା ସହିତ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟରେ ପରିଣତ କରିବାକୁ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କୁ ଆଗରୁ ସଚେତନ କରିପାରିଲେ ବିପର୍ଯ୍ୟୟ ପୂର୍ବରୁ ଏବଂ ବିପର୍ଯ୍ୟୟ ପରେ ସମ୍ଭାବ୍ୟ ଅସୁବିଧାକୁ ଦୂରେଇ ପାରିବା ବୋଲି ସେ କହିଥିଲେ। ରାଜସ୍ୱ ଡିଭିଜନାଲ୍ କମିଶନରଙ୍କ ଅନୁ ଶାସନ ସଚିବ ପାର୍ବତୀ ମଞ୍ଜରୀ ମଲ୍ଲିକ କହିଥିଲେ ଯେ ଆମେ ବିଗତ ଦିନର ବିପର୍ଯ୍ୟୟ ମାନଙ୍କରୁ ବହୁତ ଗୁଡ଼ିଏ ଅଭିଜ୍ଞତା ପାଇସାରିଛେ। ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ। ତେବେ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେଇପାରିଲେ ଧନ ଜୀବନ ନଷ୍ଟକୁ ପ୍ରାୟତଃ ରୋକାଯାଇପାରିବ ବୋଲି ସେ କହିଥିଲେ। ଆଜି ଜିଲାର ସମସ୍ତ ବ୍ଲକରେ ମଧ୍ୟ ଆଜି ଏହି ଟେବୁଲ୍ ଟପ୍ ଏକ୍ସରସାଇଜ୍-୨୦୨୨ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଜିଲା ପ୍ରକଳ୍ପ ଅଧିକାରୀ ଏସ୍.କେ.ଦାଶ ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ ବିଭାଗର ତଥ୍ୟକୁ ଉପସ୍ଥାପନା କରିଥିବାବେଳେ ଜିଲା ଆପତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କ୍ରମରେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ୱାରା ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ କ’ଣ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଫୁଲବାଣୀ ରାସ୍ତା ଓ କେଠାବାଡ଼ି ଡିଭିଜନ୍, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ, ଟିପିଏସଓଡିଏଲ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଆରଟିଓ, ଫାୟାର ଅଫିସର୍, ବେସାମରିକ ଯୋଗାଣ ଅଧିକାରୀ, ଏସଡିଓ, ବିଏସଏନଏଲ, ଜିଲା ମୁଖ୍ୟ କୃଷି ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ଓଡ୍ରାଫ୍ ଓ ଏନଡିଆରଏଫ୍ ପ୍ରମୁଖ ଯୋଗଦେଇ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ।
Comments are closed.