ପୌର ପରିଷଦ ଅବସର ପ୍ରାପ୍ତ କର୍ମଚାରୀଙ୍କ ଅର୍ଥ ହଡପ ଘଟଣା, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ

ଦେବଗଡ଼:ଦେବଗଡ ପୌର ପରିଷଦର ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ହଡପ ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହ ଦୋଷୀ ଅଧିକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ୫ ଜଣ କାଉନସିଲର ଦାବି କରିଛନ୍ତି। ଦେବଗଡ ପୌର ପରିଷଦ ୪ ନମ୍ବର ୱାର୍ଡର ବିଜେପି କାଉନସିଲର ତଥା ପୌର ଉପାଧ୍ୟକ୍ଷ ଶ୍ରୀ ଭୋଜଙ୍କ ଆବାହକତ୍ୱରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପି କାଉନସିଲର ମଧୁସୂଦନ ବାଘ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ ସ୍ୱାଧିନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ମଞ୍ଚାସୀନ ରହି ଅବସର ପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ୧୩ ଲକ୍ଷ ଟଙ୍କା ହଡପ ଘଟଣାରେ ଆକାଉଟାଣ୍ଟ ବିନୋଦ ନାଗଙ୍କ ସମେତ ମୂଖ୍ୟ କିରାଣୀ ଅଶ୍ୱିନୀ ବେହେରା, ପୌର ନିର୍ବାହୀ ଅଧିକାରୀଣୀ ଅତସୀ ପରିଡା ପ୍ରମୁଖ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ସେମାନେ ଅଭିଯୋଗ କରିଥିଲେ। ଏହି ଅବସରରେ ସେମାନେ ବିଗତ ୪ ବର୍ଷ ମଧ୍ୟରେ ଦେବଗଡ ପୌର ପରିଷଦରେ କୋଟି କୋଟି ଟଙ୍କାର ଦୁର୍ନୀତି ଏବଂ ଟେଣ୍ଡର ଫିକ୍ସିଂ ହୋଇଥିବା ଏବଂ ଏଥିରେ ମଧ୍ୟ ପୌର ପ୍ରଶାସକ ଓ ନିର୍ବାହୀ ଅଧିକାରୀଙ୍କ ସମେତ ଉପରୋକ୍ତ କର୍ମଚାରୀମାନେ ଜଡିତ ଥିବା ଦର୍ଶାଇ ଏହାର ତଦନ୍ତ ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଅନ୍ୟଥା ସେମାନେ ସାମୁହିକ ଭାବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

kalyan agarbati

Comments are closed.