ପଞ୍ଜୁରୀ ଭିତରେ ଶୁଆକୁ ଗିଳିଦେଲା ନାଗ ସାପ
ରେଙ୍ଗାଲିକ୍ୟାମ୍ପ: ପଞ୍ଜୁରୀ ଭିତରେ ଥିବା ଏକ ଶୁଆକୁ ଗିଳି ଦେଇ ଏକ ବିରାଟ ନାଗ ସାପ ପଞ୍ଜୁରୀ ଭିତରୁ ବାହାରି ପାରି ନଥିଲା। ପଞ୍ଜୁରୀ ଭିତରେ ଏହି ବିରାଟ ନାଗ ସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ। ମହୁଲ ପାଲିର ଗଣ୍ଡ ତୁରୁମ୍ ଗ୍ରିଡର କର୍ମଚାରୀମାନେ ଛଅ ମାସ ତଳେ ଏକ ଶୁଆକୁ ପାଇ ତାକୁ ବହୁ ଆଦରରେ ପଞ୍ଜୁରୀରେ ରଖିଥିଲେ। ଶୁଆଟି ମଧ୍ୟ ବେଶ୍ ପୋଷା ମାନିଯାଇଥିଲା ଏହି କର୍ମଚାରୀ ମାନଙ୍କ ସ୍ନେହ ଓ ଆଦରରେ। କିନ୍ତୁ ଗତ ରାତିରେ ସମସ୍ତେ ଶୋଇଥିବା ବେଳେ କୁଆଡୁ ଏକ ବିଷଧର ନାଗ ସାପ ଆସି ପଞ୍ଜୁରୀ ଭିରକୁ ପଶି ଯାଇ ଶୁଆକୁ ଗିଳି ଦେଇ ଆଉ ବାହାରି ନ ପାରି ପଞ୍ଜୁରୀ ଭିତରେ ରହିଯାଇଥିଲା। ସକାଳୁ ଜଣେ କର୍ମଚାରୀ ଶୁଆକୁ ଦେଖିବା ପାଇଁ ଗଲାବେଳେ ଭିତରେ ଏହି ବିରାଟ ନାଗ ସାପ ଦେଖି ପ୍ରଥମେ ଚମକି ପଡ଼ିଥିଲେ। ଏହାପରେ ସାପର ଶରୀରର ଗୋଟିଏ ଅଂଶ ମୋଟା ଥିବା ଦେଖି ଜାଣି ପାରିଥିଲେ ଯେ ସେ ସୁଆକୁ ଗିଳି ଦେଇଛି। କିନ୍ତୁ ସେଠାରୁ ଆଉ ବାହାରି ପାରିବନାହିଁ। ଶୁଆଟି ପାଇଁ ସମସ୍ତେ ମନରେ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ସାପକୁ ପଞ୍ଜୁରୀରୁ ଉଦ୍ଧାର କରିଥିଲେ। ତାପରେ କର୍ମଚାରୀମାନେ ସାପକୁ ନେଇ ନିକଟସ୍ଥ ପଡ଼ିଆରେ ଛାଡ଼ିଦେଇ ଆସିଥିଲେ।
Comments are closed.