www.samajalive.in
Sunday, December 14, 2025
19.1 C
Bhubaneswar

ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ପରାମର୍ଶଦାତାଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ନେଇ ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ଙ୍କ ପକ୍ଷରୁ ବିଭିନ୍ନ ସମୟରେ ନିର୍ଦେଶନାମା ସରକାରଙ୍କୁ ପ୍ରଦାନ କରାଯାଇଛି। ବିଭିନ୍ନ ବ୍ଲାକସ୍ପଟ, ଟ୍ରାଫିକ୍ ଓ ଛକସ୍ଥାନଗୁଡିକରେ କିଭଳି ଦୁର୍ଘଟଣା ହ୍ରାସ ପାଇବ ସେଥିପାଇଁ କେତେକ ଦିଗକୁ ଗୁରୁତ୍ବ ଦେବାକୁ ସଡ଼କ ସୁରକ୍ଷା ସମ୍ପର୍କିତ ସୁପ୍ରିମକୋର୍ଟ କମିଟିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହିସବୁ ପରାମର୍ଶ ରାଜ୍ୟ ସରକାର ତଥା ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀ କେତେଦୂର କାର୍ଯ୍ୟକାରୀ କରିଛନ୍ତି ତାହାର ସମୀକ୍ଷା କରିବା ଲାଗି କମିଟି ପରାମର୍ଶଦାତାଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଗତକାଲିଠାରୁ ଏହି କମିଟି ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହି ସମୟରେ କମିଟିଙ୍କ ପୂର୍ବ ପରାମର୍ଶକ୍ରମେ ବ୍ଲାକସ୍ପଟ ଚିହ୍ନଟ ସ୍ଥାନ ଦେଖିବା ସହିତ ରାଜପଥଗୁଡିକରେ ବିଭିନ୍ନ ପ୍ରକାର ସଙ୍କେତ ଲଗାଯାଇଛି କି ନାହିଁ ପରଖିବେ। ଭୁବନେଶ୍ବର ଓ କଟକରେ ୧୫ ତାରିଖ ପର୍ଯ୍ୟନ୍ତ ତଦାରଖ କରାଯିବା ପରେ ସଂପୃକ୍ତ ପରାମର୍ଶଦଳ ୧୬ରେ ବ୍ରହ୍ମପୁର ଓ ରାଉରକେଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ।
ଏନେଇ ପରିବହନ ଅତିରିକ୍ତ ଆୟୁକ୍ତ ସଂପୃକ୍ତ ଆଞ୍ଚଳିକ ଅଧିକାରୀଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟ କମିଟି ପରାମର୍ଶଦାତା ଯେଉଁ କାଗଜପତ୍ର ତନଖି କରିବାକୁ ଚାହିଁବେ ତାହା ଯୋଗାଇବା ସହିତ ସମସ୍ତ କାର୍ଯ୍ୟରେ ସହଯୋଗ କରିବ।
ସୂଚନାଯୋଗ୍ୟ ଯେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଯେତିକି ଲୋକ ପ୍ରାଣ ହରାଉଛନ୍ତି, ଯଦି ସୁପ୍ରିମକୋର୍ଟ କମିଟିଙ୍କ ପରାମର୍ଶ ଠିକଣା ଭାବେ ପାଳନ କରାଯିବ ତେବେ ସେଥିମଧ୍ୟରୁ ଅର୍ଦ୍ଧାଧିକଙ୍କ ଜୀବନ ସୁରକ୍ଷା କରାଯାଇ ପାରିବ। ଏନେଇ କମିଟି ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ ଡ୍ରାଇଭରଙ୍କୁ ସଚେତନ କରିବା, ମଦ୍ୟପାନଠାରୁ ଦୂରେଇ ରଖିବା, ଏହାସହିତ ପ୍ରତ୍ୟେକ ଆହତଙ୍କୁ ଯଥାଶୀଘ୍ର ଡାକ୍ତରଖାନା ସ୍ଥାନାନ୍ତର କରାଯାଇପାରିଲେ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ହୋଇପାରିବ । ଏଥିଲାଗି ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ମଧ୍ୟରେ ଏକ ସହଜ ଯୋଗାଯୋଗ ମାଧ୍ୟମ ସ୍ଥାପନ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ଜିଲାରେ ଏଥିଲାଗି ଏକ ଉନ୍ନତ ଜ୍ଞାନକୌଶଳ ବ୍ୟବସ୍ଥା ସ୍ଥାପନ କରିବା ପାଇଁ କମିଟି ପକ୍ଷରୁ ରାଜ୍ୟଗୁଡିକୁ ନିର୍ଦେଶ ଦିଆଯାଇଥିଲା।
ଏହାସହିତ କମିଟି ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରତ୍ୟେକ ଜିଲାରେ ଫୋରେନସିକ କ୍ରାସ୍ ଅନୁସନ୍ଧାନର ଆବଶ୍ୟକତା ରହିଛି। ଦେଶରେ ସଡକ ଇଞ୍ଜିନିୟରିଂ, ସାଇନେଜ୍ ଏବଂ ଅନ୍ୟାନ୍ୟ ଦିଗଗୁଡିକର ତ୍ରୁଟି ଚିହ୍ନଟ କରିବା ପାଇଁ କୌଣସି ଅନୁସନ୍ଧାନ କରାଯାଏ ନାହିଁ। କେବଳ ଉପସ୍ଥିତ ସାକ୍ଷୀର ବୟାନକୁ ଆଧାର କରି ପୁଲିସ ଅଧିକାଂଶ ସମୟରେ ଡ୍ରାଇଭିଂ ଏବଂ ଦ୍ରୁତ ଗତିକୁ ଦାୟୀ କରି ଚୁପ ହୋଇ ବସି ପଡୁଛି। ସଡକ ଦୁର୍ଘଟଣାର ତଦାରଖ କରିବା ସହ କେନ୍ଦ୍ର ଏବଂ ରାଜ୍ୟଗୁଡିକୁ ଦୁର୍ଘଟଣା ହ୍ରାସ କରିବା ଦିଗ ଉପରେ ପରାମର୍ଶ ଦେବା ପାଇଁ ଏକ କମିଟି ଆବଶ୍ୟକ ରହିଛି। ଏହାକୁ ନେଇ ଜିଲାସ୍ତରରେ କମିଟି ଗଠନ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୁପ୍ରିମକୋର୍ଟ ଅଧ୍ୟକ୍ଷ ଜଷ୍ଟିସ ଏ.ଏମ. ସାପ୍ରେଙ୍କୁ ଚିଠି ଲେଖି ରାଜ୍ୟରେ ସଡ଼କ ସୁରକ୍ଷା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଛନ୍ତି। ଏହାସହିତ ଆସନ୍ତା ୨୫ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ସଡ଼କ ସୁରକ୍ଷା ସମ୍ପର୍କିତ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories