www.samajalive.in
Monday, December 15, 2025
27.1 C
Bhubaneswar

ୟୁକ୍ରେନର ୪୦ ସହର ଉପରେ ରୁଷ ଆକ୍ରମଣ

କିଭ୍‍ : ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବ ଡୋନ୍‍ବାସ ଅଞ୍ଚଳରେ ଥିବା ୟୁକ୍ରେନର ୪୦ରୁ ଅଧିକ ସହର ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ରକେଟ ମାଡ କରିଛନ୍ତି। ଏଥିସହିତ ସେମାନେ ନାଗରିକଙ୍କ ପାଇଁ ଶେଷ ମୁଖ୍ୟ ପ୍ରସ୍ଥାନ ପଥକୁ ଅବରୋଧ କରିବା ପ୍ରୟାସ ଆରମ୍ଭ କରିଛନ୍ତି। କିଭ୍‍ ଏବଂ ଖାର୍କିଭ ଦଖଲରେ ବିଫଳ ହେବାପରେ ରୁଷ ସମ୍ପ୍ରତି ସମୁଦାୟ ଡୋନ୍‍ବାସ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣକୁ ନେବା ପ୍ରୟାସ ଆରମ୍ଭ କରିଛି। ଉଭୟ ଡନେସ୍କ ଓ ଲୁହାନସ୍କ ଅଞ୍ଚଳରେ ଥିବା ସହରଗୁଡିକର ୪୭ଟି ସାଧାରଣ ନାଗରିକଙ୍କ ବାସସ୍ଥାନ, ବିଦ୍ୟାଳୟ ଉପରେ ଆକ୍ରମଣ ହୋଇଛି। ଏଭଳି ପରିସ୍ଥିତିରେ ମସ୍କୋ ଦାବି ଆଗରେ ମୁଣ୍ଡ ନୁଆଁଇ ୟୁକ୍ରେନର କିଛି ଅଞ୍ଚଳ ରୁଷକୁ ଛାଡିଦେବା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ତାଙ୍କ ପାଇଁ ରାଷ୍ଟ୍ର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ୟୁକ୍ରେନବାସୀ ରାଷ୍ଟ୍ରବାଦ ନୀତିକୁ ନେଇ ଲଢେଇ ଜାରି ରଖିବେ। ଆମେରିକାର ପୂର୍ବତନ ବୈଦେଶିକ ସଚିବ ହେନରୀ କିସିଙ୍ଗରଙ୍କ ପକ୍ଷରୁ ଦୁଇଦିନ ତଳେ ଯୁଦ୍ଧର ଅବସାନ ପାଇଁ ୟୁକ୍ରେନକୁ କେତେକ ପ୍ରସ୍ତାବ ଦିଆଯାଇଥିଲା। ସେଥିରେ କିସିଙ୍ଗର କହିଥିଲେ, କ୍ରିମିଆକୁ ରୁଷ ତାହା ଅଧୀନରେ ରଖିବା ସକାଶେ ୟୁକ୍ରେନ ଛାଡିଦେବା ଉଚିତ। ସୂଚନାଯୋଗ୍ୟ ଯେ ରୁଷ ସରକାର ୨୦୧୪ରେ କ୍ରିମିଆକୁ ଦଖଲ କରି ତାକୁ ନିଜ ଅଧୀନକୁ ଆଣିଥିଲେ। ତାହାସହିତ କିସିଙ୍ଗର ପ୍ରସ୍ତାବ ଦେଇ କହିଥିଲେ, କିଭ୍‍ ଦେଶର କିଛି ଅଞ୍ଚଳ ରୁଷକୁ ଛାଡିଦେଇ ଯୁଦ୍ଧରେ ଅବସାନ ଘଟାଇବା ଦିଗରେ ପଦକ୍ଷେପ ନେବା ଉଚିତ। ଏହାର ପ୍ରତିକ୍ରିୟାରେ ଜେଲେନସ୍କି କହିଛନ୍ତି, ସମ୍ଭବତଃ କିସିଙ୍ଗର ୨୦୨୨ର ପରିସ୍ଥିତି ସମ୍ପର୍କରେ ଚିନ୍ତା କରିନାହାନ୍ତି। ସେ ଏବେମଧ୍ୟ ୧୯୩୮ ପରିସ୍ଥିତିରେ ରହିଛନ୍ତି। ଇତିମଧ୍ୟରେ ମାରିଉପୋଲରେ ଥିବା ସର୍ବବୃହତ ଇସ୍ପାତ କାରଖାନାର ମାଲିକ ତଥା ୟୁକ୍ରେନର ସବୁଠାରୁ ଧନୀ ବ୍ୟକ୍ତି ରିନାତ ଆଖମେତୋଭ କହିଛନ୍ତି, ରୁଷ ଆକ୍ରମଣରେ ଇସ୍ପାତ କାରଖାନାର ପ୍ରାୟ ୧୭ରୁ ୨୦ ବିଲିଅନ ଡଲାର କ୍ଷତି ଘଟିଛି। ଏଥିପାଇଁ ସେ ରୁଷକୁ କାଠଗଡ଼ାରେ ଛିଡା କରାଇବେ। କାରଖାନା ଉପରେ ହୋଇଥିବା ଆକ୍ରମଣ ଜନିତ କ୍ଷୟକ୍ଷତି ଭରଣା କରିବାକୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ଉତ୍ପାଦିତ ଖାଦ୍ୟଶସ୍ୟ ବାହାରକୁ ଯାଇନପାରିବା ଏବଂ ତଦ୍‍ଜନିତ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଦାୟୀ। ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡିକ ରୁଷ ବିରୋଧରେ ଲଗାଇବା କଟକଣା ତୁରନ୍ତ ହଟାଇଲେ ଏହି ପରିସ୍ଥିତିର ସମାଧାନ ହୋଇପାରିବ ବୋଲି ରୁଷ କହିଛି। ୟୁକ୍ରେନରେ ରୁଷ ଆକ୍ରମଣ ଦ୍ୱାରା ଘଟୁଥିବା ମୃତ୍ୟୁ ଓ କ୍ଷୟକ୍ଷତିକୁ ଦର୍ଶାିବା ଏବଂ ରୁଷକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତାକୁ ଏକଘରିଆ କରିବା ପ୍ରୟାସ ବିଶ୍ୱ ବଜାରରେ ଖାଇବା ତେଲ, ସାର ଏବଂ ଶକ୍ତି ମୂଲ୍ୟ ବୃଦ୍ଧିର କାରଣ ହୋଇଛି। ଏହା ବିଶ୍ୱ ଅଭିବୃଦ୍ଧି ପଥରେ ମଧ୍ୟ ଅନ୍ତରାୟ ସୃଷ୍ଟି କରୁଛି। ଜାତିସଂଘ ପକ୍ଷରୁ ଏଭଳି ପରିସ୍ଥିତିରେ ୟୁକ୍ରେନରୁ ଖାଦ୍ୟ ପରିବହନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିବା ପ୍ରୟାସ ଜାରି ରହିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ପାଲଟା ଜବାବ ଦେବାକୁ ରୁଷ ସରକାର ତାଙ୍କ ଦେଶ ଛାଡିବାକୁ ନିଷ୍ପତ୍ତି ନେଉଥିବା ପାଶ୍ଚାତ୍ୟ କମ୍ପାନୀଗୁଡିକୁ ନିଜ ନିୟନ୍ତ୍ରଣକୁ ନେବା ଉଦ୍ୟମ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଏକ ନୂଆ ଆଇନ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନରେ ରୁଷ ଛାଡୁଥିବା କମ୍ପାନୀଗୁଡିକର ସମ୍ପତ୍ତି ଜବତ କରିବା ବ୍ୟବସ୍ଥା ରହିବ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories