ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ
ମିନାକ୍ଷୀ ଧରଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ
ଭୁବନେଶ୍ବର : ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମଏଫଆଇର ମିଳିତ ଆନୁକୂଲ୍ୟରେ ମିନାକ୍ଷୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସୂଚନା ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୈନିକ ସମ୍ବାଦ ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏନଆଇଟି, ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ ଷଡଙ୍ଗୀ , ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟାପକ ବିଭୁତି ଭୂଷଣ ପଣ୍ଡା, ସୁଲେଖିକା ଅର୍ଚନା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିନାକ୍ଷୀଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ମୃତିସଭା ଉତ୍ସବ ମୁଖର ହେଉ। ମିନାକ୍ଷୀ କେବଳ ଶ୍ରେଷ୍ଠ ଉଦଘୋଷିକା ନଥିଲେ ବରଂ ସେ ଏକାଧିକ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଜଡିତ ରହି ସ୍ବକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ସେ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ।
ସମ୍ମାନିତ ଅତିଥି ପ୍ରଫେସର ଷଡଙ୍ଗୀ, ପ୍ରଫେସର ପଣ୍ଡା କହିଲେ ଯେ ମିନାକ୍ଷୀ ରାଉରକେଲାର ପରିଚୟକୁ ବିସ୍ତାରିତ କରିଥିଲେ । ତାଙ୍କର ପ୍ରତିଭା ଶିଳ୍ପ ନଗରୀ ରାଉରକେଲାରୁ ରାଜଧାନୀ ଭୁବନେଶ୍ଵର ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା । ସ୍ବକୀୟ ପ୍ରତିଭାକୁ ବିକଶିତ କରି ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ସୌଦାମିନି ବେହେରା ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଧର ମିନାକ୍ଷୀଙ୍କ ସଂପର୍କରେ ବକ୍ତବ୍ୟ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓ୍ବ।ଇଏମ୍ଏଫଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ କଣୃଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ। ଡାକ୍ତର ଅର୍ଚ୍ଚନା ନାୟକଙ୍କୁ ସୁଲେଖିକା ଭାବେ ମିନାକ୍ଷୀ ଧର ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମିନାକ୍ଷୀ ଧରଙ୍କ ଉପରେ ଆଧାରିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଜେନାଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
Comments are closed.