ଟିଏମ୍ସିରେ ବିଜେପି ସାଂସଦ ଅର୍ଜୁନ ସିଂହ
କଲକାତା : ପଶ୍ଚିମବଙ୍ଗର ବିଜେପି ସାଂସଦ ଅର୍ଜୁନ ସିଂହ ନିଜ ପୁରୁଣା ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଫେରିଛନ୍ତି। ରବିବାର ଅର୍ଜୁନ ସିଂହ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଅପରାହ୍ଣରେ ଅର୍ଜୁନ ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଭେଟିବା ପୂର୍ବକ ଦଳ ପରିବର୍ତ୍ତନ କରିଛନ୍ତି। ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଓ ଉତ୍ତର ୨୪ପ୍ରଗଣା ଜିଲା ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଟିଏମସି ଏହାର ଦଳୀୟ ଟ୍ବିଟରରେ ବିଜେପିର ପଶ୍ଚିମବଙ୍ଗ ଉପସଭାପତି ତଥା ବାରାକପୋର ସାଂସଦ ଅର୍ଜୁନ ସିଂହଙ୍କୁ ସ୍ବାଗତ କରିଛି।
ଟିଏମସିରେ ଯୋଗ ଦେବା ପରେ ଅର୍ଜୁନ କହିଛନ୍ତି ‘ମୁଁ ବିଜେପିରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲି। ଦଳର ଉପସଭାପତି ଥାଇ ମଧ୍ୟ ମୋତେ କାମ କରିବାକୁ ସୁଯୋଗ ଦିଆଯାଉ ନଥିଲା। ନିଷ୍ଠାପର କର୍ମୀଙ୍କୁ ସେମାନଙ୍କ ଉଚିତ୍ ପ୍ରାପ୍ୟ ମିଳୁ ନାହିଁ। ବହୁତ ଲୋକ ପଶ୍ଚିମବଙ୍ଗର ବିକାଶମୂଳକ କାର୍ଯ୍ୟକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ତେଣୁ ମୁଁ ମୋର ପୁରୁଣା ଘରକୁ ଫେରିଆସିଛି।’ ସୋମବାର ସେ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ। ବିଜେପି ଛାଡିବା ପରେ ସାଂସଦ ପଦରୁ ଇସ୍ତଫା ଦେବେ କି ନାହିଁ ପ୍ରଶ୍ନର ଉତ୍ତରରେ ଅର୍ଜୁନ କହିଛନ୍ତି ଯେ ଟିଏମସି ସୁପ୍ରିମୋଙ୍କ ନିର୍ଦେଶ ମିଳିଲେ ସେ ସାଂସଦ ପଦରୁ ଇସ୍ତଫା ଦେବେ। ଅନେକ ଲୋକ ଟିଏମସି ଟିକଟରେ ବିଜୟୀ ହୋଇ ବିଜେପିରେ ମଧ୍ୟ ଅଛନ୍ତି। ତେଣୁ ସେ ସାଂସଦ ପଦରେ ରହିବାର କିଛି ଅସୁବିଧା ନାହିଁ। ସେହିପରି ଜ୍ୟୋତିପ୍ରିୟ କହିଛନ୍ତି ଯେ ଏହା ଆମ ଦଳ ପାଇଁ ନୈତିକ ବିଜୟ। ଅର୍ଜୁନଙ୍କ ଦଳ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ଦେଇ ବିଜେପି ସାଧାରଣ ସମ୍ପାଦକ ଅନୁପମ୍ ହାଜରା କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଗତ ସ୍ବାର୍ଥ ସାଧନ ନିମନ୍ତେ ରାଜନୀତି କରିବାକୁ ଚାହେଁ ତେବେ ଆମେ ତାକୁ କିଛି କହିପାରିବା ନାହିଁ। ଯାହାବି ହେଉ ଅର୍ଜୁନ ଦଳ ଛାଡିବା ବିଜେପି ପାଇଁ ବଡ କ୍ଷତି। ଅର୍ଜୁନଙ୍କ ଦଳ ପରିବର୍ତ୍ତନ ପରେ ପଶ୍ଚିମବଙ୍ଗରେ ବିଜେପି ସାଂସଦଙ୍କ ସଂଖ୍ୟା ୧୮ରୁ ୧୬କୁ ଖସି ଆସିଛି।
ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ବାବୁଲ ସୁପ୍ରିୟୋ ବିେଜପି ଛାଡି ଟିଏମସିରେ ଯୋଗ ଦେଇଥିଲେ। ଅର୍ଜୁନ ସିଂହ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଭାତପଡା ପୌର ପରିଷଦର କାଉନସିଲର ଭାବେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ୨୦୦୧ରେ ସେ ତୃଣମୂଳ କଂଗ୍ରେସ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ବାରାକପୋର ଆସନରୁ ସେ ବିଜେପି ଟିକଟରେ ବିଜୟୀ ହୋଇଥିଲେ।
Comments are closed.