କ୍ବାଲିଫାୟରରେ ରାଜସ୍ଥାନ
ମୁମ୍ବଇ : ଗୁଜରାଟ ଟାଇଟାନ୍ସ ପରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ଦ୍ବିତୀୟ ଦଳ ଭାବେ କ୍ବାଲିଫାୟାରରେ ପହଞ୍ଚିଛି । ଶୁକ୍ରବାର ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଯଶସ୍ବୀ ଜୈସୱାଲଙ୍କ ଅର୍ଦ୍ଧଶତକ ଓ ରବୀଚନ୍ଦ୍ରନ ଅଶ୍ବିନଙ୍କ ଉପଯୋଗୀ ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୫ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ୧୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନ ସହ କ୍ବାଲିଫାୟରରେ ପହଞ୍ଚିଛି । ଅନ୍ୟପକ୍ଷରେ ଚେନ୍ନଇ ସୁପରକିଙ୍ଗ୍ସ ୧୦ତମ ପରାଜୟ ସହ ୮ ପଏଣ୍ଟ ପାଇ ଅଭିଯାନ ଶେଷ କରିଛି।
ଚେନ୍ନଇ ସୁପରକିଙ୍ଗ୍ସ ମୋଇନ୍ ଅଲ୍ଳୀଙ୍କ ୯୩ରନ ବଳରେ ୧୫୦ରନ କରିଥିଲା। ଜବାବରେ ରାଜସ୍ଥାନ ଯଶସ୍ବୀ ଜୈସୱାଲଙ୍କ ୫୯ ଓ ରବୀଚନ୍ଦ୍ରନ ଅଶ୍ବିନଙ୍କ ଅପରାଜିତ ୪୦ରନ ବଳରେ ୧୯.୪ ଓଭରରେ ୫ ୱିକେଟ ହରାଇ ୧୫୧ରନ କରି ବିଜୟୀ ହୋଇଥିଲା। ୧୫୧ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଜସ୍ଥାନ ପ୍ରାରମ୍ଭରୁ ଫର୍ମେର ଥିବା ଜୋସ୍ ବଟ୍ଲରଙ୍କ ୱିକେଟ ହରାଇଥିଲା। ବଟ୍ଲର ୨ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟ ପାଇଁ ଯଶସ୍ବୀ ଜୈସୱାଲ ଓ ଅଧିନାୟକ ସଞ୍ଜୁ ସାମସନ ୫୧ରନ ଯୋଡିଥିଲେ। ୬୭ରନ ସ୍କୋର ଥିବାବେଳେ ସାମସନ ୧୫ରନ କରି ଆଉଟ୍ ହୋଇଥିଲେ। ଦେବଦତ୍ତ ପାଡିକଲ ମଧ୍ୟ ୩ ରନ କରି ଆଉଟ୍ ହୋଇଥିଲେ। ସ୍କୋର ୧୦୪ରନ ଥିବାବେଳେ ଜୈସୱାଲ ୪୪ଟି ବଲରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୯ରନ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ୧୧୨ରନରେ ୫ମ ୱିକେଟ ହରାଇଥିଲା। ସିମରନ ହେତମେୟାର ମାତ୍ର ୬ରନ କରି ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ଓ ରିୟାନ ପରାଗ ୬ଷ୍ଠ ୱିକେଟ ପାଇଁ ୨୦ଟି ବଲରୁ ଅବିଭାଜିତ ୩୯ରନ କରି ଦଳକୁ ବିଜୟୀ କରାଇଥିଲେ। ଅଶ୍ବିନ ୨୩ଟି ବଲରୁ ୩ଟି ଛକା ୨ଟି ଚୌକା ସହ ୪୦ ଓ ପରାଗ ୧୦ରନ କରି ଅପରାଜିତ ରହିଥିଲେ। ଚେନ୍ନଇ ପକ୍ଷରୁ ପ୍ରଶାନ୍ତ ସୋଲାଙ୍କି ୨ଟି ୱିକେଟ ନେଇଥିଲେ।
ଚେନ୍ନଇ ସୁପରକିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଋତୁରାଜ ଗାଏକ୍ବାର୍ଡ ୨ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଡିଭନ କନୱେ ଓ ମୋଇନ୍ ଅଲ୍ଲୀ ୮୩ରନ ସଂଗ୍ରହ କରିଥିଲେ। କନୱେ ୧୬ରନ କରି ଆଉଟ୍ ହୋଇଥିଲେ। ଦଳ ୯୫ରନ ମଧ୍ୟରେ ୪ଟି ୱିକେଟ ହରାଇଥିଲା। ୫ମ ୱିକେଟ ପାଇଁ ମୋଇନ୍ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୫୧ରନ ସଂଗ୍ରହ କରିଥିଲେ। ସ୍କୋର ୧୪୬ନ ଥିବାବେଳେ ଧୋନୀ ୨୮ଟି ବଲରୁ ଗୋଟିଏ ଛକା ଓ ଗୋଟିଏ ଚୌକା ସହ ୨୬ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ମୋଇନ୍ଙ୍କ ୫୭ଟି ବଲରୁ ୩ଟି ଛକା ଓ ୧୩ଟି ଚୌକା ସହ ୯୩ରନ ବଳରେ ଚେନ୍ନଇ ୬ ୱିକେଟ ହରାଇ ୧୫୦ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ସାଣ୍ଟନର ୧ ଓ ସିମରଜିତ୍ ସିଂହ ୩ରନ କରି ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ ଯୁଜୁବେନ୍ଦ୍ର ଚହଲ ଦୁଇଟି ୱିକେଟ ନେଇଥିଲେ। ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ କ୍ବାଲିଫାୟରରେ ପହଞ୍ଚି ଥିବାବେଳେ ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହିଛି। ୪ର୍ଥ ଦଳ ଲାଗି ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। ଦିଲ୍ଲୀ ଓ ମୁମ୍ବଇ ମଧ୍ୟରେ ଶନିବାର ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚର ଫଳାଫଳ ଉପରେ ବାଙ୍ଗାଲୋରର ପ୍ଲେ ଅଫ ଆଶା ନିର୍ଭର କରୁଛି। ବାଙ୍ଗାଲୋର ୧୪ଟି ମ୍ୟାଚରୁ ୧୮ ପଏଣ୍ଟ ପାଇଥିବାବେଳେ ଦିଲ୍ଲୀ ୧୪ ପଏଣ୍ଟ ପାଇଛି। ଦିଲ୍ଲୀକୁ ପ୍ଲେ ଅଫରେ ପହଞ୍ଚିବାକୁ ହେଲେ ମୁମ୍ବଇ ବିପକ୍ଷରେ ବୃହତ ବିଜୟ ହାସଲ କରିବାକୁ ପଡିବ।
Comments are closed.