ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉଛି। ଜଳବାୟୁ ପରିବର୍ତ୍ତନକୁ ରୋକା ନ ଗଲେ ମାନବ ସମାଜ ପ୍ରତିବର୍ଷ ଅଧିକରୁ ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ବର୍ଷକୁ ଅତିକମ୍ରେ ୫୬୦ଟି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବ ଜୀବନ୍ତ ଗ୍ରହ ପୃଥିବୀ। ଆଉ ଏହି ବିପର୍ଯ୍ୟୟ ମାନବ ସମାଜର ଜୀବନ ଓ ଜୀବିକା ଉଭୟକୁ ଗୁରୁତର ପ୍ରଭାବିତ କରିବ। ଏଭଳି ପୂର୍ବାନୁମାନ କରିଛି ଜାତିସଂଘର ଏକ ରିପୋର୍ଟ। ପୃଥିବୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୃଦ୍ଧି ପାଉଥିବାବେଳେ ବିନାଶକାରୀ ବିପର୍ଯ୍ୟୟ ସାରା ବିଶ୍ୱରେ ଜୀବନ ଓ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିବାକୁ ଯାଉଛି। ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଏକ ନୂଆ ରିପୋର୍ଟରେ ପରିସ୍ଥିତିର ଗମ୍ଭୀରତା ସମ୍ପର୍କରେ ଉଲ୍ଳେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ଆଗାମୀ ବର୍ଷ ଗୁଡିକରେ ପୃଥିବୀ ପୃଷ୍ଠରେ ଅଧିକ ବଡ ଧରଣର ବିପର୍ଯ୍ୟୟ ଦେଖାଦେଇପାରେ।
ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଯେଭଳି ବିଗିଡିବାରେ ଲାଗି ଓ ଏହାର ସାମ୍ପ୍ରତିକ ଧାରାକୁ ତୁରନ୍ତ ରୋକା ନ ଗଲେ ୨୦୩୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୫୬୦ଟି ବିପର୍ଯ୍ୟୟ ଦେଖାଦେବ। ୨୦୧୫ରେ ଗୋଟିଏ ବର୍ଷରେ ପ୍ରାୟ ୪୦୦ ବିପର୍ଯ୍ୟୟ ଘଟିଥିଲା। ଉକ୍ତ ବିପର୍ଯ୍ୟୟ ଗୁଡିକ ମଧ୍ୟରୁ ଅଧିକାଂଶ ପାଣିପାଗ ସମ୍ପର୍କିତ ଥିଲା। ସେଥିମଧ୍ୟରେ ମୁଖ୍ୟତଃ ଅଗ୍ନିକାଣ୍ଡ, ବନ୍ୟା ଆଦି ରହିଥିଲା। ଏହା ସହିତ ମହାମାରୀ ଓ ରାସାୟନିକ ଦୁର୍ଘଟଣା ଭଳି ବିପର୍ଯ୍ୟୟ ମଧ୍ୟ ଘଟିଥିଲା। ଜାତିସଂଘ ବୈଜ୍ଞାନିକ ରିପୋର୍ଟରେ କୁହାଯାଇଛି, ଜଳବାୟୁ ପରିବର୍ତ୍ତନର ପରିମାଣ, ପୌନଃପୁନିକତା, ଅବଧି ଏବଂ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟର ଗମ୍ଭୀରତା ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଥିବାବେଳେ ବିକାଶମୂଳକ କାର୍ଯ୍ୟପ୍ରତି ଗୁରୁତର ବାଧା ପହଞ୍ଚୁଛି। ୧୯୭୦ରୁ ୨୦୦୦ ମସିହା ମଧ୍ୟରେ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୯୦ରୁ ୧୦୦ଟି ମଧ୍ୟମ ଧରଣର ବିପର୍ଯ୍ୟୟ ଦେଖାଦେଉଥିବାବେଳେ ଏବେ ସେହି ସଂଖ୍ୟା ଏବଂ ତାହାର ବିଧ୍ୱଂସୀ ପ୍ରଭାବ ବହୁଗୁଣିତ ହେବାରେ ଲାଗିଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୨୦୦୧ରେ ବିଶ୍ୱରେ ଯେତିକି ସଂଖ୍ୟାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହୋଇଥିଲା, ସେହି ସଂଖ୍ୟା ୨୦୩୦ରେ ତିନିଗୁଣ ବୃଦ୍ଧିପାଇବ। ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଯେ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି ତାହା ନୁହେଁ, ଏହି କାରଣରୁ କୋଭିଡ଼-୧୯, ଅର୍ଥନୈତିକ ମାନ୍ଦାବସ୍ଥା, ଖାଦ୍ୟ ନିଅଣ୍ଟ ଆଦି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି।
ଜଳବାୟୁ ପରିବର୍ତ୍ତନ କାରଣରୁ ମାତ୍ରାଧିକ ପାଗ ପରିସ୍ଥିତି ଅନୁଭୂତ ହେଉଛି। ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ମାନବ ସମାଜ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଅତ୍ୟନ୍ତ ନଗଣ୍ୟ। ସେମାନେ ବିପର୍ଯ୍ୟୟର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରିପାରୁନାହାନ୍ତି। ଯେଉଁଥିପାଇଁ ସେମାନେ ଏହାର ମୁକାବିଲା ସକାଶେ ନିଜକୁ ପ୍ରସ୍ତୁତ କରିପାରୁନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଗୁଡିକରେ ଜନସଂଖ୍ୟା ବୃଦ୍ଧି କାରଣରୁ ବିପର୍ଯ୍ୟୟର ପ୍ରଭାବ ମଧ୍ୟ ଅଧିକ ପଡୁଥିବା ରିପୋର୍ଟରେ କୁହାଯାଇଛି। ଏହି ଧାରାରୁ ନ ରୋକିଲେ ଏହା ଆଗକୁ ଏଭଳି ଏକ ସ୍ତରରେ ପହଞ୍ଚିବ, ଯେତେବେଳେ ଆମେ ବିପର୍ଯ୍ୟୟର ପରିଣତିକୁ ମୁକାବିଲା କରିପାରିବା ନାହିଁ ବୋଲି ଜାତିସଂଘ ବିପର୍ଯ୍ୟୟ ଆପଦ ହ୍ରାସ ବିଭାଗ ମୁଖ୍ୟ ମାମି ମିଜୁଟୋରି କହିଛନ୍ତି। ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ବିପର୍ଯ୍ୟୟ କାରଣରୁ ଆମକୁ କେତେ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି, ତାହା ଜନସାଧାରଣ ହୃଦବୋଧ କରିନାହାନ୍ତି। ସମ୍ପ୍ରତି ବିପର୍ଯ୍ୟୟ କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଅର୍ଥ ମଧ୍ୟରୁ ପ୍ରାୟ ୯୦% କେବଳ ଜରୁରୀ ରିଲିଫ ଆକାରରେ ଯୋଗାଇ ଦିଆଯାଉଥିବା ବେଳେ ମାତ୍ର ୬% ପୁନର୍ଗଠନ ଏବଂ ୪% ବିପର୍ଯ୍ୟୟ ନିରାକରଣ ଦିଗରେ ଖର୍ଚ୍ଚ ହେଉଛି।
ମିଜୁଟୋରି କହିଛନ୍ତି, ୧୯୯୦ରେ ବିପର୍ଯ୍ୟୟ କାରଣରୁ ବର୍ଷକୁ ବିଶ୍ୱରେ ପ୍ରାୟ ୭୦ ବିଲିଅନ ଡଲାର କ୍ଷତି ସହିବାକୁ ପଡ଼ିଥିଲା। ସମ୍ପ୍ରତି ତଦ୍ଜନିତ କ୍ଷୟକ୍ଷତି ପରିମାଣ ବର୍ଷକୁ ପ୍ରାୟ ୧୭୦ ବିଲିଅନ ଡଲାର ହେଉଛି। ଜାତିସଂଘ ମୁଖ୍ୟଦପ୍ତରଠାରେ ଏହି ରିପୋର୍ଟ ଉପସ୍ଥାପନ କରିଥିବା ଜାତିସଂଘ ଉପ ମହାସଚିବ ଅମିନା ଜେ ମହମ୍ମଦ କହିଛନ୍ତି, ଆମର ଜୀବନଧାରଣ, ନିର୍ମାଣ ଓ ନିବେଶ ଆଦି କ୍ଷେତ୍ରରେ ବିପର୍ଯ୍ୟୟ ଜନିତ ଆପଦକୁ ସାମିଲ କରିବା ଦିଗରେ ସମଗ୍ର ବିଶ୍ୱକୁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆମମାନଙ୍କର ସମ୍ମିଳିତ ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରିବାକୁ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ବିପର୍ଯ୍ୟୟ କାରଣରୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସର୍ବାଧିକ କ୍ଷୟକ୍ଷତିର ସାମ୍ନା କରୁଛି ଏବଂ ଏହା ବିପର୍ଯ୍ୟୟ କାରଣରୁ ପ୍ରତିବର୍ଷ ଏହାର ଜିଡିପିର ହାରାହାରି ୧.୬% ହରାଉଛି।



