ପିପିଲିରେ ବୃହତ ସ୍ୱାସ୍ଥ୍ୟ ମେଳା

ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ

ପିପିଲି: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲିର ଜବାହର ବିଦ୍ୟାପୀଠ ପରିସରରେ ସୋମବାର ଏକ ବୃହତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଛି।

ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର, ପିପିଲି ବିଡିଓ ରଶ୍ମିତା ନାଥ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୁମାର ପଣ୍ଡା, ଏଡିପିଏଚ୍‍ଓ(ଟିବି) ଡାକ୍ତର ଲଲାଟେନ୍ଦୁ ମିଶ୍ର, ପିପିଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସ୍ନେହଲତା ନାୟକ ପ୍ରମୁଖ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ଏନ୍‍ଏସି ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ଜିଲା ପ୍ରୋଗ୍ରାମ ମ୍ୟାନେଜର (ଡିପିଏମ୍‍) ଟି. ନାରାୟଣ ରାଓ, ଡିଏଏମ୍‍ ବିଜୟ ନାୟକ, ଡିଏମ୍‍ଆର୍‍ସିଏଚ୍‍ ପ୍ରଶାନ୍ତ ବରାଳ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର(ବିପିଏମ୍‍) ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ମେଡିସିନ, ଦନ୍ତରୋଗ, ଚର୍ମରୋଗ, ଇଏନ୍‍ଟି, ସ୍ତ୍ରୀ ଓ ପ୍ରସୁତୀ ବିଭାଗ, ଛାତି ଓ ଯକ୍ଷ୍ମା ବିଭାଗ, ଚକ୍ଷୁରୋଗ, ଶିଶୁରୋଗ, କୁଷ୍ଠରୋଗ, ମାନସିକ ସ୍ୱାସ୍ଥ୍ୟ ରୋଗ ଆଦି ୨୬ଟି ବିଭାଗର ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞମାନଙ୍କ ଦ୍ୱାରା ରୋଗୀଙ୍କ ଚିକିତ୍ସା କରାଯିବା ସହିତ ସେମାନଙ୍କୁ ରୋଗ ସଂପର୍କିତ ପରାମର୍ଶ, ମାଗଣା ନିଦାନ ସେବା ତଥା ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହା ସହିତ ସେଠାରେ କୋଭିଡ଼ ଟିକା ପ୍ରଦାନ କରାଯାଇଥିବା ବେଳେ ପ୍ରଥମଥର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କୁ ସ୍ୱାସ୍ଥ୍ୟ ଆଇଡି କାର୍ଡ ପ୍ରଦାନ ସହ ଫିଜିଓଥେରାପି, ଯୋଗାସନ ଆଦି କରାଯାଇଥିଲା। ସେଠାରେ ବିଭିନ୍ନ ଲୋକକଳା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ସହ ସ୍ୱାସ୍ଥ୍ୟ ସେବାର ପ୍ରଚାର କରାଯାଇଥିଲା। ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର(ବିପିଏମ୍‍) ବିଜୟଲକ୍ଷ୍ମୀ ସାହୁ, ବିଏଏମ୍‍ ଜୟକୃଷ୍ଣ ସାହୁ, ବିଡିଏମ୍‍ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ପରିଚାଳନା କରିବାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ସହଯୋଗ କରିଥିଲେ।

 

Comments are closed.