କୋଟଦ୍ୱାରରେ ପରିବେଶୀୟ ମଞ୍ଜୁରୀ ସମ୍ବନ୍ଧୀୟ ସର୍ବସାଧାରଣ ଶୁଣାଣି

ବାଙ୍କୀ: ମହାନଦୀର କୋଟଦ୍ୱାର ବାଲିଘାଟ ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ବୁଧବାର ଏକ ସର୍ବସାଧାରଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଗଡ଼ି ଗ୍ରାମପଞ୍ଚାୟତ ଅଧିନ କୋଟଦ୍ୱାର ଗ୍ରାମଠାରେ ପୂର୍ବାହ୍ନ ୧୧/୩୦ମି. ସମୟରେ କଟକ ଜିଲ୍ଲା ବାଙ୍କୀ ତହସିଲ ଅନ୍ତର୍ଗତ ପଟୁଗଦାଧରପୁରଠାରେ ୨୦.୨୩୫ହେକ୍ଟର(୫୦ଏକର) ପରିମିତ ଅଞ୍ଚଳରେ କୋଟଦ୍ୱାର ବାଲିଘାଟ ପରିଚାଳନା ପାଇଁ ଶୁଣାଣି କରାଯାଇଥିଲା। ଜନ ଶୁଣାଣି କାର୍ଯ୍ୟକ୍ରମର ଆବାହକ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣିରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ତହସିଲଦାର ସତ୍ୟରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ସର୍ବସାଧାରଣଙ୍କ ଶୁଣାଣି ଶୁଣିଥିଲେ। ଏହି କାର୍ଯକ୍ରମ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ରେ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ର ପଦାଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ସଭା ପରିଚାଳନା କରିଥିଲେ।

ଗ୍ରାମବାସୀ ପ୍ରବୋଧ କୁମାର ପାତ୍ର, ବିଶ୍ୱନାଥ ସାମଲ, କାଶୀନାଥ ଦାସ, ଅମୂଲ୍ୟ ସେନ୍‍, ଗଗନ ବିହାରୀ ଦାଶ, ସରପଞ୍ଚ ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବାଲିଘାଟ ପରିଚାଳନାକୁ ସ୍ୱାଗତ କରିବା ସହିତ ପରିବେଶର ସୁରକ୍ଷା, ରାସ୍ତାଘାଟ ମରାମତି, ବିଦ୍ୟାଳୟ ସମୟରେ ବାଲିଘାଟକୁ ଭାରିଗାଡ଼ି ଯାତାୟତ ନିଷେଧ ସହିତ ପାରିପାର୍ଶ୍ବିକ ପରିବେଶରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ପ୍ରସ୍ଥାବ ରଖିଥିଲେ। ଶେଷରେ ପ୍ରକଳ୍ପ ଅଧିକାରୀ ମାନସ କୁମାର ମୁଦୁଲି ବାଲିଘାଟ ସମ୍ପର୍କ ତଥା ପରିବେଶ ପ୍ରତି ଧ୍ୟାନ ଦେବା, ରାସ୍ତାଘାଟ ସୁରକ୍ଷା, ବୃକ୍ଷରୋପଣ ଏବଂ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁଥିବା ସମୟରେ ଗାଡ଼ି ଚଳାଚଳ ବନ୍ଦ ରଖିବା ପାଇଁ ପ୍ରତିଶୃତି ଦେଇଥିଲେ। ଏହି ସର୍ବସାଧାରଣ ଶୁଣାଣିରେ ପରିବେଶ ମଞ୍ଜୁରୀ ନିମନ୍ତେ ଆଗତ ଶୁଣାଣିରେ ବାଲିଘାଟ ପରିଚାଳନା ପାଇଁ କୋଟଦ୍ୱାର ଗ୍ରାମବାସୀଙ୍କ ସହଯୋଗ ଓ ସ୍ୱାଗତ ପଦକ୍ଷେପ ରହିଥିବା ସ୍ପଷ୍ଟ ହୋଇଥିବା ସମ୍ପର୍କରେ ତହସିଲଦାର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Comments are closed.