ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ପଦରୁ ରାଜବବରଙ୍କ ଇସ୍ତଫା!
ଲକ୍ଷ୍ନୌ : ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ପଦରୁ ରାଜବବର ଇସ୍ତଫା ଦେଇଛନ୍ତି । ରାଜବବର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଙ୍ଗଳବାର ଇସ୍ତଫା ପତ୍ର ଦେଇଥିବା ସୂଚନା ମିଳିଛି । ରାଜବବର ଏନେଇ କୌଣସି ସୂଚନା ଦେଇନାହାନ୍ତି । ପ୍ରଦେଶ କଂଗ୍ରେସର ପଦାଧିକାରୀମାନେ କିଛି ଜାଣିନଥିବା କହିଛନ୍ତି । ତେବେ ରାଜବବର ନିଜର କିଛି ଘନିଷ୍ଠ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ।
ରାଜବବରଙ୍କ ଇସ୍ତଫା ପରେ ପ୍ରଦେଶ କଂଗ୍ରେସର ନୂଆ ସଭାପତି କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଏହି ପଦ ପାଇଁ କୌଣସି ନେତାଙ୍କ ନାମ ସାମ୍ନାକୁ ଆସିନାହିଁ । ନୂଆ ସଭାପତିଙ୍କ ନାମ ଘୋଷଣା ହେବା ପର୍ଯ୍ୟନ୍ତ ରାଜବବର କାର୍ଯ୍ୟକାରୀ ସଭାପତି ପଦରେ ରହିବେ ବୋଲି ଜାଣିବାକୁ ମିଳିଛି ।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀଠାରେ କଂଗ୍ରେସର ଜାତୀୟ ଅଧିବେଶନ ପରେ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ବଦଳାଯିବା ପୂର୍ବରୁ ନିଶ୍ଚିତ ଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ସଂକେତ ଦେଇ ସାରିଛନ୍ତି । ଜାତୀୟ ଅଧିବେଶନରେ ବି ରାହୁଲ ଏହି ସଂକେତ ଦେଇଥିଲେ । ଉତ୍ତରପ୍ରଦେଶ କଂଗ୍ରେସର ନୂଆ ସଭାପତି ପଦ ପାଇଁ ପୂର୍ବ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ, ପୂର୍ବତନ ବିଧାୟକ ଲଳିତେଶ ତ୍ରିପାଠୀ, ପୂର୍ବତନ ସାଂସଦ ରାଜେଶ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି ।