ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦର ଷୋଡଶ ବାର୍ଷିକ ଉତ୍ସବ ସମାରୋହ
ବାଙ୍କୀ: ଯୋରକୂଳ ଗ୍ରାମ ସ୍ଥିତ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦର ଷୋଡଶ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ରାଜ୍ୟ ସ୍ତରୀୟ କବିତା ଆସର, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ୍ ଭବାନୀ ପ୍ରସାଦ ହୋତା, ମୁଖ୍ୟବକ୍ତା ମାନସ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି କବି କୌଶିକ ନାୟକ, ଭରତ ଚରଣ ବେହେରା, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବାହାଦୁର ପାଟ୍ଟଶାଣୀ, ଡ. ରବିନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ସାରସ୍ୱତ ସାଧନାରେ କବି ତଥା ଲେଖକମାନଙ୍କର ଲେଖନୀ ମୁନରେ ବିକଶିତ ସମାଜ ଓ ସମୃଦ୍ଧ ସଂସ୍କୃତି ପାଇଁ ବାର୍ତ୍ତା ପ୍ରେରଣ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରୁଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବାଙ୍କୀ ମାଟି ଭାଷା ସାହିତ୍ୟ ଆନ୍ଦୋଳନର ଏକ ସମୃଦ୍ଧ ଅଞ୍ଚଳ ବୋଲି ମତ ରଖି ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ଗୋବିନ୍ଦ ରଥ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ହେମନ୍ତ ଦାସ ପ୍ରମୁଖଙ୍କୁ ଜନ୍ମ ଦେଇ ଚର୍ଚ୍ଚିକା ମାଟିରେ ଧନ୍ୟ ହୋଇଥିବା ପ୍ରକାଶ କରିଛନ୍ତି।
ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ସଞ୍ଚାଳିତ ସମାରୋହରେ ସାଧାରଣ ସମ୍ପାଦକ ତଥା କବିରତ୍ନ ବିଦ୍ୟାଧର ଖଟୁଆ ଆନୁଷ୍ଠାନିକ ବିବରଣୀ ପାଠ କରିବା ସହ ସମାରୋହର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା ଇଂ. ଭରତ ଚରଣ ବେହେରା, ଭବାନୀ ପ୍ରସାଦ ହୋତା, କୌଶିକ ନାୟକ, ଡ. ରବିନାରାୟଣ ପଣ୍ଡା, ବାହାଦୁର ପାଟ୍ଟଶାଣି, ଭୀମସେନ ନାୟକ, ରବିନାରାୟଣ ମଙ୍ଗରାଜ, ଶ୍ରୀବନ୍ତ ପ୍ରସାଦ ପାଣି, ଡ. କଲ୍ୟାଣୀ ପଟ୍ଟନାୟକ ପ୍ରମୁଖଙ୍କୁ ସାହିତ୍ୟ ଓ ବିବିଧ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ହେତୁ ମାନପତ୍ର, ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ପ୍ରାୟ ଉତ୍ସବରେ ୭୧ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନା ମଧ୍ୟରେ ପୂର୍ଣ୍ଣକୁମ୍ଭ ସମ୍ମାନ, ପୂର୍ଣ୍ଣକୁମ୍ଭ ସାହିତ୍ୟ ସୁଦ୍ଧା ସମ୍ମାନ, ପୂର୍ଣ୍ଣକୁମ୍ଭ ସଂସ୍କୃତି ସମ୍ମାନ, ପର୍ବତେଶ୍ୱର ସାରସ୍ୱତ ସମ୍ମାନ ସହିତ ବିଭିନ୍ନ ସାରସ୍ୱତ ସାଧକଙ୍କ ସ୍ମୃତିରେ ମଧ୍ୟ ଅନୁରୂପ ସ୍ମୃତି ସମ୍ମାନ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଛି। ସେହିପରି ପୂର୍ବାହ୍ନରେ ସଭାପତି ମନୋଜ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା। କବି ମନ୍ମଥ କୁମାର ସ୍ୱାଇଁ, ଅଖିଳେସ ମହାପାତ୍ର ଏବଂ କବୟିତ୍ରୀ ଶକୁନ୍ତଳା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଆସରରେ ଶତାଧିକ କବି ସାମ୍ପ୍ରତିକ କବିତା ପାଠ କରିଥିଲେ। ଅନୁଷ୍ଠାନର ଉପସଭାପତି ବିମଳ ଚନ୍ଦ୍ର ରାଉତରାୟ, ସଞ୍ଜୋଜକ ବିଜୟ କୁମାର ରଣା, ଶତରୂପା ମିଶ୍ର, କଳ୍ପନା ରାଉତ, ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ସାଗର ପରିଡା, ଲକ୍ଷ୍ମୀ ପ୍ରସାଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ। ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ ସୌଜନ୍ୟତାରେ ପ୍ରକାଶିତ ଅନୁଷ୍ଠାନର ମୁଖପତ୍ର ପୂର୍ଣ୍ଣକୁମ୍ଭ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।
Comments are closed.