ଶ୍ରୀମନ୍ଦିର ସଂସ୍କାର ଓ ସର୍ବୋଚ୍ଚ ନ୍ୟାୟାଳୟ

0

ବିଶ୍ବଭୂଷଣ ହରିଚନ୍ଦନ

prayash

ଶ୍ରୀମନ୍ଦିର ସଂସ୍କାର ଉପରେ ବର୍ତ୍ତମାନ ବିତର୍କ ଚାଲିଛି। ସୁପ୍ରିମକୋର୍ଟଙ୍କର ନିର୍ଦେଶରେ ପୁରୀ ଜିଲା ଜଜ ସମସ୍ତ ଘଟଣାର ଅନୁମାନ କରି ଗୋଟିଏ ରିପୋର୍ଟ ଦେଇଛନ୍ତି। ତାକୁ ଆଧାର କରି ସୁପ୍ରିମକୋର୍ଟ କିଛି ନିର୍ଦେଶ ଦେଇଛନ୍ତି ଓ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଶ୍ରୀମନ୍ଦିର ପ୍ରଶାସନର ମତାମତ ଚାହିଁଛନ୍ତି। ଶ୍ରୀମନ୍ଦିରର ସେବାୟତମାନେ ଦାନ ଓ ଦକ୍ଷିଣା ଗ୍ରହଣ କରିପାରିବେ ନାହିଁ ଭଳି ଏକ ନିର୍ଦେଶନାମାକୁ ମନ୍ଦିର ପ୍ରଶାସନ ଲାଗୁ କରିସାରିଛନ୍ତି। ୧୯୭୭ ମସିହାର ଜନତା ପାର୍ଟି ସରକାର ଓ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି- ବିଜେପି ମେଣ୍ଟ ସରକାରରେ ରାଜ୍ୟର ଆଇନ ମନ୍ତ୍ରୀ ଭାବରେ ଦୁଇଥର ଯାକ ହୋଇଥିବା ପ୍ରଶାସନିକ ସଂସ୍କାର ସହିତ ମୁଁ ଓତପ୍ରୋତ ଭାବେ ଜଡ଼ିତ ଥିବାରୁ ଏ ସଂପର୍କରେ କିଛି ମତାମତ ଦେବାକୁ ଶ୍ରେୟ ମନେକରୁଛି। ଏ ସଂପର୍କରେ ମୋର ଯେଉଁ ଅନୁମାନ, ତା’ ହେଉଛି ଯେ କେତେକ ବିଶୃଙ୍ଖଳିତ ସେବାୟତଙ୍କ ମନମାନି କାରବାର, ବିଶୃଙ୍ଖଳା, ଭକ୍ତମାନଙ୍କ ପ୍ରତି ଦୁର୍ବ୍ୟବହାର, ମହିଳାଙ୍କୁ ଅସମ୍ମାନ, ଏପରିକି ଦର୍ଶନାର୍ଥୀଙ୍କୁ ମାଡ଼ମାରିବା ଘଟଣା ଭକ୍ତମାନଙ୍କୁ ଓ ସାଧାରଣ ଲୋକଙ୍କୁ ଉତ୍‌କ୍ଷିପ୍ତ ଓ କ୍ରୋଧିତ କରିଥିବାରୁ ଏ ସଂସ୍କାର ପ୍ରସଙ୍ଗ ବାରମ୍ବାର ଉଠୁଛି। ପ୍ରକୃତ ଘଟଣା ହେଉଛି ଯେ କିଛି ସୀମିତ ସେବାୟତଙ୍କର ଏ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ସମଗ୍ର ସେବାୟତ ସମାଜକୁ ନିନ୍ଦିତ କରିଛି ଓ ଏଥିପାଇଁ ଏ ସମସ୍ତଙ୍କ ବିରୁଦ୍ଧରେ ତୀବ୍ର ଜନପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଏ ସମସ୍ତ ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ କରି ସେବାୟତମାନଙ୍କର ପାରଂପରିକ ଅଧିକାରର ଉଚ୍ଛେଦ କରିବାକୁ ଓ ଦେଶର ଅନ୍ୟ କେତେକ ମନ୍ଦିରରେ ଥିବା ବ୍ୟବସ୍ଥାକୁ ଶ୍ରୀମନ୍ଦିରରେ ପ୍ରଚଳନ କରି ସେବାୟତମାନେ ମନ୍ଦିରର ବେତନଭୋଗୀ କର୍ମଚାରୀଭାବେ ରହିବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ତାଙ୍କର ଚୂଡ଼ାନ୍ତ ରାୟ ଶୁଣାଇ ନ ଥିଲେ ସୁଦ୍ଧା, କିଛି କଠୋର ନିଷ୍ପତ୍ତି ଯେ ନେବେ, ଏହା ତାଙ୍କର ପଚାରିଥିବା ପ୍ରଶ୍ନାବଳୀରୁ ଜଣାଯାଉଛି।
ପ୍ରଥମ ପ୍ରଶାସନିକ ସଂସ୍କାର କଥା ଉଠିଥିଲା ୧୯୭୭ ମସିହାରେ ଯେତେବେଳେ ରାଜ୍ୟରେ ଜନତା ପାର୍ଟି ସରକାର ଶାସନ କରୁଥିଲା। ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ନେତୃତ୍ୱରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗୋଟିଏ ୯ ଜଣିଆ କମିଟି ଗଠିତ ହୋଇଥିଲା। ଭଗବତ ଦୟାଲ ଶର୍ମାଙ୍କ ପ୍ରଥମ ରିପୋର୍ଟ ଥିଲା ଯେ ମନ୍ଦିରର ନୀତି ଓ ଅନ୍ୟ ସବୁ ବିଶୃଙ୍ଖଳା ଦୂରକରିବା ପାଇଁ ହେଲେ ସେବାୟତଙ୍କ ପାରଂପରିକ ସ୍ବତ୍ବ ଓ ଅଧିକାରକୁ ଉଚ୍ଛେଦ କରି ପ୍ରାୟ ତିରୁପତି ଢ଼ାଂଚାରେ ସେବାୟତମାନଙ୍କୁ ଦରମାପ୍ରାପ୍ତ କର୍ମଚାରୀ ଭଳି ରଖିବାକୁ। ଅନ୍ୟ ଏକ ସୁପାରିସ ଥିଲା ଯେ ଗଜପତି ମହାରାଜାଙ୍କର ରଥ ଉପରେ ଛେରାପହଁରା ପାରଂପରିକ ଅଧିକାର ହୋଇପାରିବ ନାହିଁ। ତା ସହିତ ଅନ୍ୟ କେତେକ ସୁପାରିସ ମଧ୍ୟ ଥିଲା। ଶ୍ରୀମନ୍ଦିରର ଶହଶହ ବର୍ଷର ପରଂପରା ଓ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରି ତିରୁପତି କିମ୍ବା ଦେଶର ଅନ୍ୟ କୌଣସି ମନ୍ଦିରର ବ୍ୟବସ୍ଥା ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ନୀତି ଓ ଅନ୍ୟ କାର୍ଯ୍ୟକ୍ରମ କରିବା ଓ ସେବାୟତମାନଙ୍କୁ କେବଳ ବେତନଭୋଗୀ କର୍ମଚାରୀ ପରିଣତ କରିବା ସପକ୍ଷରେ ମୁଁ ନ ଥିଲି। ଠିକ୍ ସେହିଭଳି ଗଜପତି ମହାରାଜାଙ୍କର ପାରଂପରିକ ଅଧିକାର ରଥ ଉପରେ ଛେରାପହଁରା, ଯାହା ଜଗନ୍ନାଥ ସଂସ୍କୃତି ଓ ପରଂପରାର ଅବିଚ୍ଛେଦ୍ୟ ଅଂଗ ହୋଇ ରହିଆସିଛି, ତା’ର ଉଚ୍ଛେଦ ମଧ୍ୟ କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ ବୋଲି ମୋର ମତ ଥିଲା। ସେଥିପାଇଁ ସେ ରିପୋର୍ଟକୁ ମୁଁ ପକାଇ ରଖିଥିଲି। ରାଜ୍ୟପାଳ ଶ୍ରୀ ଶର୍ମାଙ୍କ ସମସ୍ତ ଚାପ ସତ୍ତ୍ବେ ତାଙ୍କ ସୁପାରିସକୁ ଆମେ ଗ୍ରହଣ କଲୁ ନାହିଁ। କେବଳ ରତ୍ନଭଣ୍ଡାର ଖୋଲି ଶ୍ରୀଜଗନ୍ନାଥଙ୍କ ସୁନା, ରୁପା ଇତ୍ୟାଦି ସବୁ ସଂପତ୍ତିର ଆକଳନ ଓ ତାଲିକା ପ୍ରସ୍ତୁତ କରିବା ସୁପାରିସକୁ ସରକାର ଗ୍ରହଣ କଲେ ଓ କାର୍ଯ୍ୟକାରୀ କଲେ।
ଦ୍ୱିତୀୟ ପ୍ରଶାସନିକ ସଂସ୍କାର ଆସିଥିଲା ୨୦୦୪ / ୨୦୦୫ ମସିହାରେ। ସେଥିପାଇଁ ୨୦୦୩ ଓ ୨୦୦୪ ରେ ଜଗନ୍ନାଥ ମନ୍ଦିର ଆଇନରେ କେତେକ ସଂଶୋଧନ ମୁଁ ଆଣିଥିଲି। ଏହାଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ଉଚ୍ଚ କ୍ଷମତାସଂପନ୍ନ ୧୮ଜଣିଆ ପରିଚାଳନା କମିଟି କରାଗଲା। ଗଜପତି ମହାରାଜା ଏହାର ଚେୟାରମ୍ୟାନ ରହିଲେ ଓ କାର୍ଯ୍ୟକାରୀ ଚେୟାରମ୍ୟାନ ରହିଲେ ରାଜ୍ୟ ସରକାରଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଆଇ.ଏ.ଏସ୍. ଅଫିସର। ମନ୍ଦିରର ମୁଖ୍ୟ ପ୍ରଶାସକ କମିସନର ସେକ୍ରେଟେରୀ କିମ୍ବା ତଦୂର୍ଦ୍ଧ୍ବ ପାହ୍ୟାର ଜଣେ ଆଇ.ଏ.ଏସ୍. ଅଫିସର ରହିଲେ। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକ ଜଣେ ଯୁଗ୍ମ ଶାସନ ସଚିବ ପାହ୍ୟାର ଅଫିସର ରହୁଥିଲେ। ଏଭଳି ଏକ ଉଚ୍ଚ କ୍ଷମତାସଂପନ୍ନ ପରିଚାଳନା କମିଟି କରିବା ପରେ ଶ୍ରୀମନ୍ଦିର ପ୍ରଶାସନ, ନୀତି ଇତ୍ୟାଦି ସବୁ କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହେଲା।
ସୁପ୍ରିମକୋର୍ଟରେ ଏ ସଂପର୍କିତ ମାମଲାର ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ଆମକୁ ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ। ଆଇନଗତ, ଧାର୍ମିକ ପରଂପରା, ଶ୍ରୀ ଜଗନ୍ନାଥ ମନ୍ଦିରର ଗରିମା, ସେବାୟତମାନଙ୍କ ପାରଂପରିକ ଅଧିକାର ଓ ଭକ୍ତମାନଙ୍କର ଅଧିକାର ସଂପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତି, ନୀତି ଓ ପରଂପରା ହେଉଛି ଅନନ୍ୟ ଓ ଅସାଧାରଣ, ଯାହା ଅନ୍ୟ କୌଣସି ମନ୍ଦିରରେ ନାହିଁ। ସେ ସାଧାରଣ ମଣିଷର ଦେବତା, ପତିତପାବନ ଓ ସମଗ୍ର ବିଶ୍ୱର କର୍ତ୍ତା। ତାଙ୍କର ରଥଯାତ୍ରା, ନବକଳେବର, ରଥ ଉପରେ ଗଜପତିଙ୍କର ଛେରାପହଁରା, ବିଭିନ୍ନ ପର୍ବରେ ବିଭିନ୍ନ ବେଶ ଓ ନୀତିକାନ୍ତିରେ ସ୍ୱାତନ୍ତ୍ର୍ୟ ରହିଛି। ଛତିଶାନିଯୋଗର ବିଭିନ୍ନ ଶ୍ରେଣୀର ସେବାୟତଙ୍କର ଭିନ୍ନଭିନ୍ନ ସେବା ସ୍ବତ୍ତ୍ବଲିପିରେ ଲିପିବଦ୍ଧ ହୋଇଛି। ଏଠାରେ ଦଇତାପତି ସେବାୟତମାନେ ଜଗନ୍ନାଥଙ୍କର ବଂଶ କୁଟୁମ୍ବ ବୋଲାନ୍ତି। ଏ ସବୁ ପରଂପରା ଓ ବ୍ୟବସ୍ଥାକୁ ଯଦି ଉଚ୍ଛେଦ କରିଦେବା, ସେ ଆଉ ଶ୍ରୀ ଜଗନ୍ନାଥ ହୋଇ ରହିବେ ତ? ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଗଜପତିଙ୍କର ରଥ ଉପରେ ଛେରାପହଁରା, ନବକଳେବର ଇତ୍ୟାଦିର ଆଉ କି ଆବଶ୍ୟକତା ଅଛି! ଆମର ନିର୍ଦିଷ୍ଟ ମତ ଯେ ଶ୍ରୀଜଗନ୍ନାଥ, ତାଙ୍କର ସଂସ୍କୃତି ଓ ପରଂପରା, ନୀତିକାନ୍ତି ସହିତ ସମସ୍ତ ବ୍ୟବସ୍ଥାକୁ ଅନ୍ୟ କୌଣସି ମନ୍ଦିର ସହିତ ତୁଳନା କରାଯାଇ ପାରିବ ନାହିଁ। ଅନ୍ୟ କୌଣସି ମନ୍ଦିରର ବ୍ୟବସ୍ଥାକୁ ଅନୁସରଣ କରି, ଏ ସବୁର ଉଚ୍ଛେଦ କିମ୍ବା ଆମୂଳଚୂଳ ପରିବର୍ତ୍ତନ କରାଯାଇ ପାରିବ ନାହିିଁ, କିନ୍ତୁ ଏଥିରେ ଅନେକ ସଂସ୍କାର ଅଣାଯାଇ ପାରିବ। ସେବାୟତମାନଙ୍କର ପାରଂପରିକ ଅଧିକାରର ସଂପୂର୍ଣ୍ଣ ଉଚ୍ଛେଦ ନ କରି ସେଥିରେ ମଧ୍ୟ ବହୁ ସଂସ୍କାର ଆଣିବାର ଆବଶ୍ୟକତା ରହିଛି।
ସେବାୟତମାନେ କିଭଳି ଶୃଙ୍ଖଳିତ ହେବେ, ଠାକୁରଙ୍କର ନୀତି ସଂପାଦନରେ କୌଣସି ଅବହେଳା କରିବେ ନାହିଁ, ସେଥିପ୍ରତି କଠୋରତା ଅବଲମ୍ବନ କରାଯିବା ଉଚିତ। ଭକ୍ତମାନଙ୍କ ପ୍ରତି ଦୁର୍ବ୍ୟବହାର ଓ କେତେ କ୍ଷେତ୍ରରେ ସେମାନଙ୍କୁ ମାଡ଼ ମରାଯାଉଥିବା ଦୁର୍ଭାଗ୍ୟଜନକ। ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ଅସଦାଚରଣ କରୁଥିବା ସେବାୟତର ଜଗନ୍ନାଥଙ୍କ ସେବାୟତ ହେବାର ଅଧିକାର ନାହିଁ। ସେବାୟତ ହେବା ପାଇଁ ସେମାନେ ଅଯୋଗ୍ୟ। ସେଭଳି ବ୍ୟକ୍ତି ଆଉ ସେବାୟତ ହୋଇ ରହିବେ ନାହିଁ ଓ ତାଙ୍କୁ ପୂରା ବହିଷ୍କାର କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଜଗନ୍ନାଥ ମନ୍ଦିର ଆଇନରେ ଏସବୁ ପାଇଁ ଦଣ୍ଡ ବ୍ୟବସ୍ଥା ପ୍ରାୟ ରହିଛି। ସେବାୟତଙ୍କୁ ତାଙ୍କର କୁକର୍ମ ପାଇଁ ନିଲମ୍ବନ ଓ ବହିଷ୍କାରର ବ୍ୟବସ୍ଥା ରହିଛି। ଆଇନକୁ ସଂଶୋଧନ କରି ଏ କ୍ଷେତ୍ରରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇ ପାରିବ। ତା ସହିତ ଫୌଜଦାରୀ ଆଇନ ଅନୁସାରେ ମଧ୍ୟ ସେମାନେ ଦଣ୍ଡିତ ହେବା ଆବଶ୍ୟକ।
ଅଣହିନ୍ଦୁମାନଙ୍କର ମନ୍ଦିରକୁ ଅବାଧ ପ୍ରବେଶ ପାଇଁ ବିତର୍କ ଚାଲିଛି। ଶ୍ରୀଜଗନ୍ନାଥଙ୍କ ଉପରେ ଯାହାଙ୍କର ବିଶ୍ୱାସ ନାହିଁ ସେମାନେ ମନ୍ଦିରକୁ କ’ଣ ପର୍ଯ୍ୟଟକ ଭାବରେ ଯିବେ? ଏହା କ’ଣ ପର୍ଯ୍ୟଟନ ସ୍ଥଳୀ ନା କୋଟିକୋଟି ଜଗନ୍ନାଥ ଭକ୍ତଙ୍କର ବିଶ୍ୱାସ ଓ ଭରସାର ମହାନ ମନ୍ଦିର! ଏ ସଂପର୍କରେ ଗଜପତି ମହାରାଜାଙ୍କର ଏକ ପ୍ରଶ୍ନ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ଆତଙ୍କବାଦୀଙ୍କ ନିଶାଣରେ ଥିବା ଶ୍ରୀମନ୍ଦିରକୁ ହିନ୍ଦୁ ଧର୍ମରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତିଙ୍କୁ ଅବାଧ ପ୍ରବେଶର ସୁଯୋଗ ଦେବା ମନ୍ଦିରର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ନାହିଁ ତ? ତେବେ ଆମର ମତ ଯେ ସବୁ ପ୍ରକାର ହିନ୍ଦୁ, ଯେଉଁମାନେ ଜଗନ୍ନାଥଙ୍କୁ ତାଙ୍କର ଆରାଧ୍ୟ ଠାକୁର ଭାବେ ପୂଜା କରୁଛନ୍ତି, ସେମାନଙ୍କ ଉପରେ କୈାଣସି କଟକଣା ରହିବା ଅନୁଚିତ। ଆହୁରି ଏକ ପ୍ରସଙ୍ଗ ହେଉଛି ସେବାୟତମାନଙ୍କୁ ଦାନ ଓ ଦକ୍ଷିଣା ବଂଦ କରିବା। ଯେଉଁ ଭକ୍ତ ଶ୍ରୀ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଅନ୍ୟ ଦେବତାଙ୍କୁ ଦର୍ଶନ କରିବା ପାଇଁ ଜଣେ ସେବାୟତଙ୍କର ସାହାଯ୍ୟ ନେବେ, ସେ ସ୍ୱଇଚ୍ଛାରେ ଦକ୍ଷିଣା ଦେବାକୁ ବାରଣ କରାଯିବ କାହିଁକି? ଯେଉଁମାନେ ଆମ ପାଇଁ ପୂଜା କରନ୍ତି କିମ୍ବା ଠାକୁରଙ୍କୁ ଦର୍ଶନ କରାନ୍ତି ସେମାନଙ୍କୁ ଯାଚିକରି ଦକ୍ଷିଣା ଦେବା ଆମ ଧର୍ମ ଓ ପରଂପରା ବୋଲି ମନେ କରାଯାଏ। ତେବେ ଜୋର ଜବରଦସ୍ତ ଦକ୍ଷିଣା ଆଦାୟ କରିବା କିମ୍ବା ଭକ୍ତଙ୍କୁ ସେଥିପାଇଁ ଦୁର୍ବ୍ୟବହାର କରିବା କୌଣସିମତେ ଗ୍ରହଣୀୟ ନୁହେଁ ଓ ଦଣ୍ଡନୀୟ ହେବା ଆବଶ୍ୟକ।
ଶେଷ ପ୍ରଶ୍ନ ହେଉଛି ଶହଶହ ବର୍ଷ ଧରି ଚଳି ଆସିଥିବା ଧାର୍ମିକ ପରଂପରାରେ ବିଚାରାଳୟ ବା ସୁପ୍ରିମକୋର୍ଟ ହସ୍ତକ୍ଷେପ କରି, ତାହାର ଉଚ୍ଛେଦ କିମ୍ବା ଆମୂଳଚୂଳ ପରିବର୍ତ୍ତନ କରିବା ସମ୍ବିଧାନସମ୍ମତ କି? ଏଭଳି ଅଖଣ୍ଡ କ୍ଷମତା ସୁପ୍ରିମକୋର୍ଟଙ୍କର ଅଛି କି? ଏଭଳି ଅନେକ ଗୁରୁତର ପ୍ରଶ୍ନର ସମାଧାନ ପାଇଁ ଧର୍ମାଚାର୍ଯ୍ୟ, ଧର୍ମଗୁରୁ, ଜଗନ୍ନାଥ ଧର୍ମ ଓ ସଂସ୍କୃତିର ବିଶେଷଜ୍ଞ, ଆଇନ ବିଶାରଦ, ଶ୍ରୀମନ୍ଦିର ପ୍ରଶାସନିକ ଓ ଅନ୍ୟାନ୍ୟ ସଂସ୍କାର ସହିତ ସଂପୃକ୍ତ ଓ ଆଗ୍ରହୀ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ।

Leave A Reply