ଆଇନଜୀବୀ, ପୁଲିସ ଓ ଜନତା
କେ. ଏନ. ଦାସ
ଫୌଜଦାରୀ ଶାସନ ବ୍ୟବସ୍ଥାରେ ପୁଲିସ ଓ ଆଇନଜୀବୀଙ୍କୁ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। କୌଣସି ଅପରାଧ ଘଟିଲେ ତା’ର ଅନୁସନ୍ଧାନ କରି ଦୋଷୀକୁ ଧରିବା ହେଲା ପୁଲିସର ପ୍ରଧାନକର୍ତ୍ତବ୍ୟ। ଧରି ଦେଲେ ଯେ ପୁଲିସର କାମ ସରିଗଲା, ତାହାନୁହେଁ। ସବୁଠାରୁ ମୁଖ୍ୟକାର୍ଯ୍ୟ ଅପରାଧୀ ବିରୋଧରେ ସଠିକ୍ ସାକ୍ଷୀ ଓ ପ୍ରମାଣ ଯୋଗାଡ଼ କରି ତା ବିରୋଧରେ କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ କରିବା। ଏହା ପରେ ଓକିଲଙ୍କ କାର୍ଯ୍ୟ କୋର୍ଟରେ ଆରମ୍ଭ ହୁଏ। ସରକାରୀ ଓକିଲ ପୁଲିସର ଅଭିଯୋଗ ଫର୍ଦକୁ କୋର୍ଟରେ ଉପସ୍ଥାପନ କରି ଦୋଷୀ ବିରୋଧରେ ସାକ୍ଷ୍ୟ ପ୍ରମାଣ ସାବ୍ୟସ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଚେଷ୍ଟା କରନ୍ତି। ଅନ୍ୟପକ୍ଷରେ ପ୍ରତିପକ୍ଷ ଓକିଲ ଅପରାଧୀକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟିତ ହୁଅନ୍ତି। ଏହିସବୁ କାର୍ଯ୍ୟ ପୁଲିସ ଓ ଓକିଲ ଏକ ଅନୁଶାସନ ଓ ପ୍ରଣାଳୀ ମଧ୍ୟରେ ହିଁ କରିଥାନ୍ତି।
ଶାସନ ପ୍ରଣାଳୀରେ ଏହି ଦୁଇ ଗୋଷ୍ଠୀଙ୍କର ଭୂମିକା ପରିପୂରକ ଓ ଗୁରୁତ୍ବପୂର୍ଣ୍ଣ। ଏହି ଦୁଇ ଗୋଷ୍ଠୀଙ୍କ ସହଯୋଗ ବିନା ଫୌଜଦାରୀ ଆଇନ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ବିପର୍ଯ୍ୟସ୍ତ ହୋଇଯିବ। ତେଣୁ ଏମାନଙ୍କ ଭିତରେ ସମନ୍ବୟ ଓ ସହଭାଗିତା ରହିବା ଏକାନ୍ତ ଆବଶ୍ୟକ। ଦୁର୍ଭାଗ୍ୟର କଥା ଯେ, ଏହି ଦୁଇ ଗୋଷ୍ଠୀଙ୍କ ଭିତରେ ଅନେକ ସମୟରେ ସଂଘର୍ଷ ବା ବିବାଦୀୟ ପରିସ୍ଥିତି ଉପୁଜିଥାଏ। ଅତୀତରେ ଏହିପରି ଅନେକ ଘଟଣା ଘଟିଛି। ସେଗୁଡ଼ିକର ପୁନରାବୃତ୍ତି ମୁଁ ଏଠାରେ କରିବାକୁ ଚାହୁଁନାହିଁ। ଏବେ କଟକରେ ଯେଉଁ ଅଭାବନୀୟ ଘଟଣା ଘଟିଲା ତାହା ଅତି ନିନ୍ଦନୀୟ। ଦିନ ଦ୍ବିପ୍ରହରରେ ଜଣେ ଆଇନଜୀବୀଙ୍କ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣ ଅତି ଅପ୍ରତ୍ୟାଶ୍ରିତ ଓ ନୃଶଂସତାର ନିଦର୍ଶନ। ଏକ ଗଣତାନ୍ତ୍ରିକ ରାଜ୍ୟରେ ଜଣେ ଆଇନ୍ଜୀବୀଙ୍କୁ ପୁଲିସ ଯଦି ଏପରି ନିଷ୍ଠୁର ବ୍ୟବହାର କରିପାରେ ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେଉଥିବ ତାହା ଅନୁମାନ କରିହେବ। ଘଟଣାଟି ଅତି ଛୋଟ କଥାରୁ ସୃଷ୍ଟି। ଏକ ଗାଡ଼ି ଦୁର୍ଘଟଣାରୁ ଏହା ଘଟିବାର ସୂଚନା ମିଳେ। ସଂପୃକ୍ତ ବ୍ୟକ୍ତିଜଣକ ନିଜର ପରିଚୟ ଦେଲାପରେ ପୁଲିସ ଆଇନଅନୁସାରେ ଯାହା କରିବାର କରିପାରିଥାନ୍ତା। ପୁଲିସର କାର୍ଯ୍ୟକୁ କେହି ପ୍ରଶ୍ନ କରି ପାରି ନଥାନ୍ତେ। ତେବେ ଜଣେ ଆଇନଜୀବୀଙ୍କ ପରିଚୟ ପାଇଲାପରେ ତାଙ୍କୁ ଗୋଡ଼େଇଗୋଡ଼େଇ ଲାଠିରେ ମାରିବା ପୁଲିସର ଆଇନସିଦ୍ଧ କାର୍ଯ୍ୟ ନୁହେଁ। ତାହା ପୁଣି ଦୁଇ ବା ତିନିଜଣ କନେଷ୍ଟବଳ କରିଛନ୍ତି। ତାଙ୍କୁ ଏହା କରିବା ପାଇଁ ନିର୍ଦେଶ କିଏ ଦେଲା? ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ଯଦି ସେମାନେ କୌଣସି ଉପରିସ୍ଥ ପୁଲିସ ଅଫିସରଙ୍କ ନିର୍ଦେଶରେ ଏହା କରିନାହାନ୍ତି, ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଉପରିସ୍ଥ ପୁଲିସ ଅଧିକାରୀମାନେ କରୁଥିଲେ କ’ଣ? ସେମାନେ ତ ଏହି କନଷ୍ଟେବଳମାନଙ୍କୁ ଏହା ନକରିବା ପାଇଁ ଆକଟ କରିପାରିଥାନ୍ତେ। ଏହା ଜାଣିଶୁଣି କେହି ନକରି ତାଙ୍କୁ ଜବରଦସ୍ତ ଥାନାକୁ ନେବାକୁ ଚେଷ୍ଟାକଲେ। ଏହା ଅନାବଶ୍ୟକ ଥିଲା। ସେ ଯଦି ଫେରାର ହୋଇଯାଇଥାନ୍ତେ ତାଙ୍କୁ ଧରିବା ପାଇଁ ବିଶେଷ କୌଣସି ଅସୁବିଧା ହୋଇନଥାନ୍ତା।
ପୁଲିସର ମାତ୍ରାଧିକ କାର୍ଯ୍ୟ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ପ୍ରତିଫଳିତ ହୋଇଛି। ତାହା ମୁଁ ଏଠାରେ ବିଶ୍ଳେଷଣ କରିବାକୁ ଚାହୁଁନାହିଁ। େଦ୍ବୖତନଗରୀ ପୁଲିସ କମିସନର ଏକ ଅନୁସନ୍ଧାନ କରାଇଲେ ଓ ପରେ ତିନିଜଣ ଅଧସ୍ତନ ପୁଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ। ଫେସ୍ବୁକ୍ ଓ ଟିଭିରେ ପୁଲିସ ମାତ୍ରାଧିକ କାର୍ଯ୍ୟ ବାରମ୍ବାର ଦେଖାଇଲାପରେ ଆଉଥରେ ତଦନ୍ତ କରିବାର ଆବଶ୍ୟକତା କ’ଣଥିଲା? ଦ୍ବିତୀୟରେ ଆମର ଆଇନଜୀବୀ ବନ୍ଧୁ ମାଡ଼ଖାଇବା ଓ କ୍ଷତବିକ୍ଷତ ହେବା ଘଟଣାକୁ ପୁଲିସ କମିସନର ତ ମନା କରିପାରିବେ ନାହିଁ। କାରଣ ତା’ର ଲାଇଭ୍ ଭିଜୁଆଲ୍ ସେ ବହୁବାର ଦେଖିସାରିଥିବେ। ତେଣୁ ସେହି ପୁଲିସ ବାବୁମାନଙ୍କ ନାମରେ ଫୌଜଦାରୀ ମାମଲା କରି ଗିରଫ କରିବାର କୌଣସି ଅସୁବିଧା ନାହିଁ। ସେମାନେ ଗିରଫ ହେଲାପରେ କୋର୍ଟକୁ ଆସି ଜାମିନ୍ ପାଇବାର ଅଧିକାରକୁ ତ କେହି ମନା କରିପାରିବେ ନାହିଁ। ଏତିକି କାର୍ଯ୍ୟକୁ ଉପରିସ୍ଥ ପୁଲିସ୍ ଅଧିକାରୀମାନେ କାହିଁକି କରିବାକୁ ଦୂରେଇ ଯାଉଛନ୍ତି ଜଣାନାହିଁ। ଏହା କୌଣସି ବେଆଇନ୍ ବା ଅନୈତିକ କାର୍ଯ୍ୟ ନୁହେଁ। ତେଣୁ ଏହାକୁ କାର୍ଯ୍ୟକାରୀ କଲେ କୋର୍ଟ କାର୍ଯ୍ୟରେ ଯେଉଁ ଅଚଳାବସ୍ଥା ଦେଖାଦେଇଛି ତାହା ଦୂର ହୋଇପାରନ୍ତା ଓ ସାଧାରଣ ଲୋକ ନ୍ୟାୟପାଇବାରୁ ବଞ୍ଚିତ ହୁଅନ୍ତେ ନାହିଁ।
ଅବଶ୍ୟ ଏହା ଭିତରେ ଉଚ୍ଚନ୍ୟାୟାଳୟ ଏହି ଘଟଣାର ତଦନ୍ତଭାର କ୍ରାଇମ୍ବ୍ରାଞ୍ଚ ଉପରେ ନ୍ୟସ୍ତ କରିଛନ୍ତି ଏବଂ ମାମଲା ତଦନ୍ତ ଜଣେ ଡିଆଇଜି ସ୍ତରରେ ଅଧିକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ଆମ୍ଭେ ଏଠାରେ କାହାର ତଦନ୍ତ ଦକ୍ଷତା ଉପରେ ପ୍ରଶ୍ନ ଉତ୍ଥାପନ କରୁନାହୁଁ। ମାତ୍ର ଗୋଟେ ଭାଇ ଆଉ ଗୋଟେ ଭାଇର ଭୁଲକୁ କେତେ ପରିମାଣରେ ଉଲ୍ଲେଖ କରିପାରିବେ ତାହାହିଁ ପ୍ରଶ୍ନ। ଉଚ୍ଚନ୍ୟାୟାଳୟ ଏହାର ଏକ ବିଚାରବିଭାଗୀୟ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ ଅଧିକ ଗ୍ରହଣୀୟ ହୋଇପାରିଥାନ୍ତା। ଏହା ବ୍ୟତୀତ ଉଚ୍ଚନ୍ୟାୟାଳୟ ଏହି ମାମଲାର ନିଷ୍ପତ୍ତି କରିବା ସମୟରେ ପୁଲିସ ଜଣେ ଆଇନ୍ଜୀବୀଙ୍କ ବିରୋଧରେ କୌଣସି ଘଟଣାରେ ଯଦି କାର୍ଯ୍ୟାନୁଷ୍ଠାନ କରିବାକୁ ଚାହଁିବେ ତେବେ କେଉଁ ପଦ୍ଧତି ସବୁ ଅବଲମ୍ବନ କରିବେ ତାହା ଲିପିବଦ୍ଧ କରିବା ଉଚିତ୍।
ବାର୍ ଓ ପୁଲିସ ମଧ୍ୟରେ ଏପରି ବିବାଦର ପୁନରାବୃତ୍ତି ନହେବା ପାଇଁ ହାଇକୋର୍ଟ ଗୁରୁତର ସହିତ ବିଚାର କରିବା କଥା। ସେଥିପାଇଁ ମୋ ମତରେ କୌଣସି ଆଇନଜୀବୀ ଯଦି କୌଣସି ଫୌଜଦାରୀ ମାମଲାରେ ଲିପ୍ତ ଥିବାର ପ୍ରମାଣ ପାଇଲେ, ପୁଲିସ ପ୍ରଥମେ ନୋଟିସ୍ ଦ୍ବାରା ସେହି ଆଇନ୍ଜୀବୀଙ୍କୁ ଡକାଇ ବୟାନ ନେବା ଉଚିତ୍। ଯଦି ସେ ନୋଟିସ ପାଇ ଆସିବେ ନାହିଁ, ତେବେ ସେଠାକାର ବାର ଆସୋସିଏସନ୍ ମାଧ୍ୟମରେ ତାଙ୍କର ଉପସ୍ଥାନ ଜାହିର କରିପାରିବେ। ଏଥିରେ ସଫଳ ନହେଲେ ପୁଲିସ ସଂପୃକ୍ତ ଓକିଲଙ୍କ ବିରୋଧରେ ୱାରେଣ୍ଟ ଜାରି କରିପାରିବେ। ଏକ ସ୍ବାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୁଲିସର କୌଣସି ନାଗରିକଙ୍କୁ ମାଡ଼ ଦେବାର ଅଧିକାର ନାହିଁ। ଆଇନ୍ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ଭଦ୍ର ସମାଜ ପୁଲିସକୁ ଆକଟ କରିପାରିବ ନାହିଁ କି, କରିବା ଗ୍ରହଣୀୟ ନୁହେଁ।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ