ଚାଲିବ ଆଲୁମିନିୟମ ରେଳ
ନିର୍ମଳାଙ୍କ ବଜେଟରେ ରେଳ ଭିତ୍ତିଭୂମି ସୁଦୃଢ଼ ପାଇଁ ଉଦ୍ୟମ କରାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଦେଶରେ ଆସନ୍ତା ତିନି ବର୍ଷ ମଧ୍ୟରେ ୪୦୦ ମଧ୍ୟମ ଦ୍ରୁତଗାମୀ ‘ବନ୍ଦେ ଭାରତ’ ରେଳ ଚଳାଚଳ କରିବା ପ୍ରସ୍ତାବ ରହିଛି। ଏହି ରେଳଗାଡ଼ିର ବଗିଗୁଡ଼ିକ ଇସ୍ପାତ ବା ଲୁହା ବଦଳରେ ଆଲୁମିନିୟମରେ ନିର୍ମାଣ ହେବ। ଅପେକ୍ଷାକୃତ ଭାବେ ଏହା ହାଲୁକା ହେବା ଦ୍ବାରା ଅଧିକ ଗତିଶୀଳ ହୋଇପାରିବ। ଏହାଦ୍ବାରା ଶକ୍ତି ସଞ୍ଚୟ ମଧ୍ୟ ହୋଇପାରିବ। ଏତଦ୍ ବ୍ୟତୀତ ‘ପୋଷ୍ଟାଲ (ଡାକ) ରେଳ’ ଚଳାଚଳ ପାଇଁ ପ୍ରସ୍ତାବ ରହିଛି। ଏଥିରେ ପାର୍ସଲ ଓ ଚିଠି ଭଳି କେବଳ ଡାକ ବିଭାଗ ସାମଗ୍ରୀ ପରିବହନ ହେବ। ପୁନଶ୍ଚ ‘ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ’ ନୀତି ଅନୁସାରେ ବିଭିନ୍ନ ଅଞ୍ଚଳରୁ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ପରିବହନକୁ ପ୍ରୋତ୍ସାହନ ଦିଆଯିବ। ଏହାଦ୍ବାରା ବିଶେଷ ଭାବେ କ୍ଷୁଦ୍ର ଶିଳ୍ପ ଓ କୃଷକ ସମାଜ ଉପକୃତ ହେବେ ବୋଲି ନିର୍ମଳା କହିଛନ୍ତି। ବନ୍ଦେ ଭାରତ ବ୍ୟତୀତ ଆସନ୍ତା ୩ ବର୍ଷରେ ୧୦୦ ଗତି ଶକ୍ତି ମାଲ୍ ପରିବହନ ରେଳ (କାର୍ଗୋ) ଟର୍ମିନାଲ ପ୍ରତିଷ୍ଠା ପାଇଁ ନିର୍ମଳା ଘୋଷଣା କରିଛନ୍ତି। ଏସବୁକୁ ନିର୍ମଳା ‘ପିଏମ୍ ଗତି ଶକ୍ତି ମାଷ୍ଟରପ୍ଲାନ୍’ ଅନ୍ତର୍ଭୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରେଳବାଇ ପକ୍ଷରୁ ଆସନ୍ତା ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ଦେଶର ୭୫ଟି ରେଳପଥରେ ମୋଟ ୪୪ଟି ବନ୍ଦେ ଭାରତ ରେଳ ଚଳାଇବା ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ସ୍ବାଧୀନତା ଦିବସ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
ରେଳବଗି ଆଲୁମିନିୟମରେ ନିର୍ମାଣ ହେବାଦ୍ବାରା ଇଞ୍ଜିନକୁ ଛାଡ଼ି ଟ୍ରେନ୍ର ହାରାହାରି ଓଜନ ୫୦ ଟନ୍ ହ୍ରାସ ପାଇବ। ଏହାଦ୍ବାରା ଗାଡ଼ି ଚାଲିବା ପାଇଁ ବ୍ୟବହୃତ ଶକ୍ତି ସଞ୍ଚୟ ହୋଇପାରିବ। ସମ୍ପ୍ରତି ୧୬ ବଗି ବିଶିଷ୍ଟ ରେଳଗାଡ଼ି ନିର୍ମାଣ ପାଇଁ ୧୦୬ କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ଆଲୁମିନିୟମ ବ୍ୟବହାର ଦ୍ବାରା ମୂଲ୍ୟ ୨୫କୋଟି ଟଙ୍କା ଅଧିକ ହେବ; କିନ୍ତୁ ଆଲୁମିନିୟମ ବଗି ବ୍ୟବହାର ଦ୍ବାରା ଯେତିକି ଶକ୍ତି ସଞ୍ଚୟ ହେବ ତାହା ଏହି ବର୍ଦ୍ଧିତ ମୂଲ୍ୟକୁ ଭରଣା କରିବାରେ ସକ୍ଷମ ହେବ। ପୁନଶ୍ଚ ଏ ବାବଦ ଆନୁଷଙ୍ଗିକ ବ୍ୟୟ ମଧ୍ୟ କମ୍ ହେବ। ନିର୍ମଳାଙ୍କ ପ୍ରସ୍ତାବ ଅନୁସାରେ ଆଗକୁ ବନ୍ଦେ ଭାରତ ରେଳ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ। ନୂଆ ବନ୍ଦେ ଭାରତ ରେଳ ନିର୍ମାଣ ଓ ଏ ବାବଦ ଭିତ୍ତିଭୂମି ପ୍ରସ୍ତୁତି ବାବଦରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ରେଳ ଦୁର୍ଘଟଣାର ପ୍ରତିକାର ପାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗ ଉପରେ ଅଧିକ ଧ୍ୟାନ ଦିଆଯିବ। ଦୁର୍ଘଟଣା ପ୍ରତିହତ କଲାଭଳି ନୂତନ ରେଳ ଧାରଣା ନିର୍ମାଣ, ଟ୍ରେନ୍ କୋଲିଜନ୍ ଆଭଏଡାନ୍ସ ସିଷ୍ଟମ୍ (ଟିସିଏଏସ୍) ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାକୁ ନିର୍ମଳା ‘କବଚ’ ଆଖ୍ୟା ଦେଇଛନ୍ତି। ଏହି ବ୍ୟବସ୍ଥା ୨ହଜାର କିଲୋମିଟର େରଳ ନେଟୱର୍କରେ ସଂଯୁକ୍ତ ହେବ। ସୁରକ୍ଷା ବ୍ୟବସ୍ଥାକୁ ବିଶ୍ବସ୍ତରୀୟ କରାଯାଉଥିବା ନିର୍ମଳା କହିଛନ୍ତି।
ଏସବୁ ବାବଦରେ ଚଳିତ ବଜେଟରେ ରେଳବାଇ ପାଇଁ ୧ଲକ୍ଷ ୪୦ହଜାର ୩୬୭କୋଟି ୧୩ ଲକ୍ଷ ଟଙ୍କା ଆବଣ୍ଟିତ ହୋଇଛି। ଏହା ଗତ ବଜେଟ ତୁଳନାରେ ୨୦ହଜାର ୩୧ କୋଟି ଟଙ୍କା ଅଧିକ। ଗତ ବର୍ଷ ନିର୍ମଳା ରେଳବାଇ ପାଇଁ ମୋଟ ୧ଲକ୍ଷ ୧୦ହଜାର କୋଟିର ବ୍ୟୟ ବରାଦ କରିଥିଲେ। ରେଳବାଇର ସାର୍ବଜନୀନ େକ୍ଷତ୍ର, ବିଶେଷ ଓ ଜରୁରୀ ବ୍ୟବସ୍ଥା ପାଇଁ ଚଳିତ ବଜେଟରେ ୩୮ ହଜାର ୬୮୬ କୋଟି ୫୯ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଧୁନିକ ରୋଲିଂ ଟ୍ରାକ୍ ନିର୍ମାଣ ପାଇଁ ୭୯୭୭ କୋଟି ଟଙ୍କା, ଉତ୍ସର୍ଗୀକୃତ ମାଲ୍ପରିବହନ ବ୍ୟବସ୍ଥା ପାଇଁ ୧୫ହଜାର ୭୧୦ କୋଟି ୪୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିଭଳି ରେଳ ଲାଇନ ନବୀକରଣ ପାଇଁ ୧୩ ହଜାର ୩୩୫ କୋଟି ଓ ଦୋହରାକରଣ ପାଇଁ ୧୨ ହଜାର ୧୦୮ କୋଟିର ବ୍ୟୟବରାଦ କରାଯାଇଛି।
Comments are closed.