ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ଏସ୍. ନାମ୍ବି ନାରାୟଣନଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସ୍ବାଗତଯୋଗ୍ୟ। ଅବଶ୍ୟ ଏହାଦ୍ବାରା ସେ ଯେପରି ନିର୍ଯାତିତ, ଅପମାନିତ ଓ ପୀଡ଼ିତ ହୋଇଛନ୍ତି, ତା’ର ଭରଣା ହୋଇପାରିବ ନାହିଁ; କିନ୍ତୁ ସେ ଯେ ନିର୍ଦୋଷ ଓ ତାଙ୍କୁ ଦୋଷୀ ସଜାଇଥିବା ଲୋକେ ଦଣ୍ଡ ପାଇବା ଯୋଗ୍ୟ, ତାହା ପ୍ରମାଣ ହେବା ଶ୍ରୀ ନାରାୟଣନଙ୍କୁ ନିଶ୍ଚୟ ଆଶ୍ବସ୍ତ କରିଥିବ। ଏହି ସମଗ୍ର ପ୍ରକରଣରେ ଯେଉଁ କଥାଟି ବେଶି ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଆମ ଦେଶର ପୁଲିସ ତଦନ୍ତର ଶୋଚନୀୟ ଦୁର୍ବଳତା। ୧୯୯୪ରେ ମାଳଦ୍ବୀପର ଦୁଇଜଣ ମହିଳାଙ୍କ ଜରିଆରେ ପାକିସ୍ତାନକୁ ମହାକାଶ ପ୍ରଯୁକ୍ତି ତଥ୍ୟ ଗୋପନରେ ଦେଇଥିବା ଅଭିଯୋଗରେ (ଯାହା ତଥାକଥିତ ଇସ୍ରୋ ଗୁପ୍ତଚର ମାମଲା ଭାବେ ଜଣାଶୁଣା) ବିଶିଷ୍ଟ ବୈଜ୍ଞାନିକ ଶ୍ରୀ ନାରାୟଣନଙ୍କ ସମେତ ତିନିଜଣ ବୈଜ୍ଞାନିକଙ୍କୁ ଗିରଫ କରାଗଲା। ଏହି ଘଟନାର ତଦନ୍ତ ଭାର ପରେ ସିବିଆଇକୁ ଦିଆଯାଇଥିଲା। ସିବିଆଇ ମାମଲାଟିକୁ ବନ୍ଦ କରିବା ପାଇଁ ସୁପାରିସ କରି କହିଥିଲା ଯେ ଏହା ସଂପୂର୍ଣ୍ଣ ପ୍ରମାଣବିହୀନ ଏବଂ ପୁଲିସ ତଦନ୍ତର ବଡ଼ ବିଫଳତା। ପୁଲିସ କେବଳ ସନ୍ଦେହରେ ନାମୀ ବୈଜ୍ଞାନିକମାନଙ୍କୁ ଯେଉଁ ଢଙ୍ଗରେ ଜେରା କରିଥିଲା, ତାହା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ଏହାରି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ନେଇ ମଧ୍ୟ ଯେଉଁ ଚର୍ଚା ହେଉଛି, ତାହା ମଧ୍ୟ ଅମୂଳକ ନୁହେଁ। ଏହି ମାମଲାରେ କେରଳ ରାଜ୍ୟ ସରକାରଙ୍କ ଅଥର୍ବପଣିଆ ନିନ୍ଦନୀୟ; କାରଣ ନିଜ ପୁଲିସର ଅନ୍ୟାୟମୂଳକ କାର୍ଯ୍ୟକୁ ମଧ୍ୟ କ୍ରମାଗତ ପ୍ରଶ୍ରୟ ଦେଇଆସିଥିଲେ। ଏହା ବର୍ତ୍ତମାନ ପ୍ରମାଣିତ ହୋଇସାରିଛି। ସର୍ବୋଚ୍ଚ ନ୍ୟାୟାଳୟ ଯଥାର୍ଥରେ ଶ୍ରୀ ନାରାୟଣନଙ୍କ ପାଇଁ କେବଳ କ୍ଷତିପୂରଣ ନିର୍ଦେଶ ଦେଇନାହାନ୍ତି, ବରଂ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ କି ପ୍ରକାରର ଦଣ୍ଡବିଧାନ କରାଯାଇପାରିବ, ତାହା ସ୍ଥିର କରିବା ନିମନ୍ତେ ଏକ କମିଟି ଗଢ଼ିବାକୁ କହିଛନ୍ତି। ବିନା ଦୋଷରେ ଦେଶର ଜଣେ ପ୍ରବୁଦ୍ଧ ବିଜ୍ଞାନୀଙ୍କୁ ସୁଦୀର୍ଘ ୨୪ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ିବାକୁ ବାଧ୍ୟ କରାଯିବା ସହ ଯେଉଁ ଶାରୀରିକ, ମାନସିକ କଷ୍ଟ ଦିଆଗଲା, ତାହା ଅକ୍ଷମଣୀୟ। ପୁଲିସ ଓ ବିଚାର ବ୍ୟବସ୍ଥାକୁ ଅଧିକ ସମ୍ବେଦନଶୀଳ ଏବଂ ନ୍ୟାୟପରାୟଣ କରିବାର ଆବଶ୍ୟକତା ରହିଛି, ତାହା ଏହି ଘଟନାରୁ ସ୍ପଷ୍ଟ।
Popular Categories



