ବଲାଙ୍ଗିର: ମାସେ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଆଚରଣ ବିଧି ବି ଲାଗୁ ହୋଇ ସାରିଛି। ଆଚରଣ ବିଧି ଲାଗୁ ହେବା ସମୟରେ କୌଣସି ଭିତ୍ତିପ୍ରସ୍ତର, ଶିଳାନ୍ୟାସ କିମ୍ବା ଭୋଟର୍ଙ୍କୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି। ତେବେ ରାଜ୍ୟ ସରକାରଙ୍କ ଘୋଷିତ ଘରକୁ ମରାମତି ସହାୟତା ବାବଦରେ ପୋଷ୍ଟର ଲଗାଇବା ଅଭିଯାନ ଜାରି ରହିଛି। ଏହା କ’ଣ ଆଚରଣ ବିଧିର ଉଲଂଘନ ନୁହେଁ କି ବୋଲି ପ୍ରଶ୍ନ ହେଉଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନେକ ଯୋଜନା ସାମ୍ନାକୁ ଆଣିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡଠାରୁ ଆରମ୍ଭ କରି ଚାକିରି ସମୟସୀମା ବୃଦ୍ଧି ସହ ବିଜୁ ପକ୍କା ଘର, ଇନ୍ଦିରା ଆବାସ ଘର କରିଥିବା ଲୋକଙ୍କ ଘରର ମରାମତି ପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଓ ୩ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ଘୋଷଣା କରିଛନ୍ତି। କିଛି ଲୋକ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରୁଥିବା ବେଳେ କିଛି ଲୋକ ବିରୋଧ ବି କରୁଛନ୍ତି। ବଲାଙ୍ଗିର ଜିଲାରେ ମଧ୍ୟ ଏହି ସହାୟତା ପାଇଥିବା ଲୋକଙ୍କ ଘରେ ଅଭିନବ ଢଙ୍ଗରେ ପ୍ରଚାର ପ୍ରସାର ଚାଲିଛି। ଆଚରଣ ବିଧି ଲାଗିବା ପୂର୍ବରୁ ଦଳ ବଳ ନେଇ ନେତାଏ ସହାୟତା ପାଇଥିବା ଲୋକଙ୍କ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଲଗାଉଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଚରଣ ବିଧି ଓ କଟକଣା ଲଗାଇବା ପରେ ଗାଁ ଗାଁରେ ଦଳୀୟ ନେତାଏ କି ଶାସକ ଦଳର ଚିହ୍ନା ମୁହଁମାନେ ବୁଲୁ ନାହାନ୍ତି କି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଉ ନାହାନ୍ତି। ଏହା ବଦଳରେ ଦଳୀୟ ନେତାଏ ନିଜ ଦଳର କର୍ମୀମାନଙ୍କୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତଥା ଗ୍ରାମାଞ୍ଚଳସ୍ତରୀୟ ନାରୀ ନେତ୍ରୀଙ୍କୁ ଲଗାଇ ପୋଷ୍ଟର ଲଗାଇବା ଅଭିଯାନ ଜାରି ରହିଛି। ସାମାଜିକ ଗଣମାଧ୍ୟମରେ ବି ଏହାକୁ ଛଡ଼ା ଯାଉଛି। ଆଉ ନାରୀ ନେତ୍ରୀମାନେ ପୋଷ୍ଟର ଲଗାଇବା ସହ ସକ୍ଷିପ୍ତ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି। ପୂରା ତାଲିମ ପ୍ରାପ୍ତ ଭଳି ଗ୍ରାମାଞ୍ଚଳ ଲୋକଙ୍କୁ ବୁଝାଉଛନ୍ତି ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ। ଖାଉଟି କାର୍ଡ ଥିବା ଲୋକଙ୍କୁ ହଜାରେ ଟଙ୍କା, ଘର ମରାମତି ବାବଦରେ ଟଙ୍କା, ଜନ୍ମରୁ ମୃତ୍ୟୁ ଯାଏ ବିଭିନ୍ନ ଯୋଜନା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ମିଳୁଥିବା ସୁବିଧା ସଂପର୍କରେ ବଖାଣୁଛନ୍ତି। ଜିଲାର ଗ୍ରାମାଞ୍ଚଳରେ ନବୀନ ସରକାରଙ୍କ ପ୍ରଚାର ପ୍ରସାର ଚାଲିଥିବା ବେଳେ କେହି ଏହାର ଟେର୍ ବି ପାଉ ନାହାନ୍ତି।
ଏଥିସହିତ କଥା ଛଳରେ ନାରୀ ନେତ୍ରୀମାନେ ପଞ୍ଚାୟତ ନିର୍ବାଚନ ପାଇଁ ବି ପ୍ରଚାର କରୁଛନ୍ତି। ସେମାନେ ଲୋକଙ୍କ ଆସ୍ଥା ଭାଜନ ସହ ନିଜ ସପକ୍ଷରେ ଜନମତ ନେବା ପାଇଁ ବାର୍ତ୍ତା ଦେଉଛନ୍ତି ଯେ, ଯେଉଁ ମୁଖ୍ୟମନ୍ତ୍ରୀ ଏତେ ସବୁ ଯୋଜନା ଲୋକଙ୍କ ପାଇଁ କରିଛନ୍ତି ତାଙ୍କୁ ଆମେ ଆଗାମୀ ନିର୍ବାଚନରେ ବିଜୟୀ କରାଇବା। ଆଉ ଲୋକେ ବି ଏଥିରେ ସହମତି ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।
ପଞ୍ଚାୟତ ନିର୍ବାଚନ ପାଇଁ ଅଚାରଣ ବିଧି ଲାଗୁ ହୋଇଥିବା ବେଳେ ଶାସକ ଦଳର କର୍ମକର୍ତ୍ତାଙ୍କ ଭିତିରିଆ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ସାରା ରାଜ୍ୟରେ ଲାଗୁ ହୋଇଥିଲା ବେଳେ ବିଜେଡି ଦଳ ସରକାରୀ କାର୍ଯ୍ୟକ୍ରମ କହି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଗାଁ ଗାଁରେ ବୁଲି ବିଜେଡି କର୍ମୀ ଲଗାଉଛନ୍ତି। ନିର୍ବାଚନ ପ୍ରଚାର କରୁଛନ୍ତି। ଖବର ଅନୁସାରେ, ସରକାର ଘୋଷଣା କରିଥିବା କିଛି କାର୍ଯ୍ୟକ୍ରମ ଅନୁଯାୟୀ ନଗଦ ଟଙ୍କା ମଧ୍ୟ ବାଣ୍ଟୁଛନ୍ତି। ଜିଲା ପ୍ରଶାସନ ନୀରବତା ଅବଲମ୍ବନ କରିବା ଦୁଃଖଦାୟକ। ମୋର ଦାବି ଯେଉଁମାନେ ଆଚରଣ ବିଧି ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ କହିଛନ୍ତି ଶ୍ରୀ ମିଶ୍ର। ଅନ୍ୟପଟେ ସାଂସଦ ସଙ୍ଗୀତା ସିଂହଦେଓ କହିଛନ୍ତି ଯେ, ଶାସକ ଦଳ ବିଜେଡି। ସେମାନେ ନିଜ ମନ ମର୍ଜିରେ କରୁଛନ୍ତି। ଜିଲା ପ୍ରଶାସନ ଆଚରଣ ବିଧି ଉଲଂଘନ ନେଇ ଦୃଷ୍ଟି ଦେବା କଥା। ସେହିପରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆଚରଣ ବିଧି ଲାଗୁ ହେବା ପରେ ଏଭଳି କାର୍ଯ୍ୟକୁ ଅଶୋଭନୀୟ କହିବା ସହ ନିର୍ବାଚନ କମିଶନ ଓ ପ୍ରଶାସନ ଏଥିପ୍ରତି ନଜର ରଖିବା ଆବଶ୍ୟକ କହିଛନ୍ତି।



