ଆତଙ୍କ: ଦିନରେ ବାଇକ ଜାଳିଲେ, ରାତିରେ ଲୁଟିଲେ
ବଲାଙ୍ଗିର: ବୁଧବାର ଦିନ ଦି’ପହରୁ ରାତି ଯାଏ ବଲାଙ୍ଗିର ସହରରେ ଲୁଟିଆ ମାତିଥିବା ବେଳେ ସଇଁନ୍ତଲା ଥାନା ଅଞ୍ଚଳରେ ଡକାୟତ ଆତଙ୍କ ଖେଳାଇଛନ୍ତି। ବଲାଙ୍ଗିର ସହରରେ ଲୁଟ୍ କରୁଥିବା ଓ ବାଇକ୍ ପୋଡିରେ ଗୋଟିଏ ଗୋଷ୍ଠୀ ସାମିଲ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ନ୍ୟାୟପାଳିକାକୁ ଚାଲାଣ କରାଯାଇଥିବା ବେଳେ ଅନ୍ୟଜଣଙ୍କୁ ପୁଲିସ ପଚରା ଉଚୁରା ଚଳାଇଛି। ତେବେ ଚତୁରତାର ସହ ଲୁଟିଆ ଗୋଷ୍ଠୀର ମୁଖ୍ୟ ଓ ଅନ୍ୟ ସହଯୋଗୀ ପୁଲିସ ଆଖିରେ ଧୂଳି ଦେଇ ଖସିଯାଇଛନ୍ତି। ସହରାଞ୍ଚଳ ପୁଲିସ ମାମଲାର ତଦନ୍ତ କରିବା ସହ ଅନ୍ୟ ୨ ଲୁଟିଆଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ବୁଧବାର ଦିନ କଂସାରୀପଡ଼ାରେ ରହୁଥିବା ଠିକାଦାର ଜ୍ୟୋତି ବେଦବାକ ନିଜର ବାଇକ୍ ରଖି ଘର ଭିତରକୁ ଯାଇଥିଲେ। ଏହାର କିଛି ସମୟ ପରେ ଜଣେ ପଡିଶା ଲୋକ ଖବର ଦେଇଥିଲେ ଯେ ବାଇକ୍ ଜଳୁଛି। ସୂଚନା ଅନୁସାରେ, ୨ଜଣ ଯୁବକ ପଲସର୍ ବାଇକ୍ରେ ଆସି ସ୍ଥାନୀୟ କିଛି ଦୋକାନୀଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ପଲସର୍ ବାଇକ୍ରୁ ପେଟ୍ରୋଲ କାଢି ଶ୍ରୀ ବେଦବାକଙ୍କ ଗାଡିରେ ଢାଳିବା ସହ ନିଆଁ ଲଗାଇ ଦେଇଥିଲେ। ସ୍ୱର୍ଗତ ସାମ୍ବାଦିକ ସତ୍ୟ ନାରାୟଣ ବେହେରାଙ୍କ ଘର ଉପରେ ଢେଲା ପଥର ମାରିଥିବା ଆଲୋଚନା ହେଉଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଢେଲା ମାଡ କରାଯାଇ ନଥିବା କୁହାଯାଇଛି। ତେବେ ନିଆଁ ଲଗାଇ ୨ ଯୁବକ ପଳାଉଥିବା ବେଳେ ଶ୍ରୀ ବେଦବାକ ସେମାନଙ୍କୁ ଡାକ ପକାଇଥିଲେ। ସେଠାରୁ ତରବରରେ ପଳାଉଥିବା ବେଳେ ନିଆଁ ଲଗାଇଥିବା ଜଣେ ଯୁବକଙ୍କ ମୋବାଇଲ୍ ପଡି ଯାଇଥିଲା। ସହରାଞ୍ଚଳ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। କେବଳ ସେତିକି ନୁହେଁ, ରାତିରେ ଓଡି ୦୩ ୬୬୬୬ ନମ୍ବର ବୋଲେରୋ ଗାଡିରେ ୪ଜଣ ଯୁବକ ସମ୍ବଲପୁର ରାସ୍ତାରେ ଥିବା ମାରୁତି ସୋ ରୁମ୍ କର୍ମଚାରୀଙ୍କ ବାଇକ୍କୁ ଅଟକାଇଥିଲେ। ସେମାନଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଆକ୍ରମଣ କରିଥିଲେ। ମୋବାଇଲ୍ ଓ ଟଙ୍କା ଲୁଟି ଥିଲେ।
ଏତିକିରେ ସେମାନେ ଚୁପ୍ ରହି ନଥିଲେ। ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆସି ରୋଗୀଙ୍କ ସଂପର୍କୀୟମାନଙ୍କୁ ଆତଙ୍କିତ କରି ମୋବାଇଲ୍ ସହ ଟଙ୍କା ନେଇଥିଲେ। ସେହିପରି ସମ୍ବଲପୁର ରାସ୍ତାର ଛୁଇଁବନ୍ଧ ନିକଟରେ ଜଣେ ମିସ୍ତ୍ରୀଙ୍କ ପର୍ସ ଓ ବାଇକ୍ ଛଡ଼ାଇ ନେଇ ଯାଇଥିଲେ। ଅଭିଯୋଗ ଅନୁସାରେ ସୁଦପଡ଼ାର ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡିଛି। ସହରାଞ୍ଚଳ ପୁଲିସ ସୂଚନା ପାଇବା ପରେ ସେମାନଙ୍କୁ ପିଛା କରି ଧରିଥିଲା। ଗୋଟିଏ ଲୁଟ୍ ମୋବାଇଲ୍ ଜବତ କରିଥିଲା ପୁଲିସ। ତେବେ ଏହି ଲୁଟିଆ ଗୋଷ୍ଠୀର ମୁଖ୍ୟ ରାଜୁ ଓ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ବାଇକ୍ ପୋଡି ଓ ଲୁଟ୍ରେ ସାମିଲ ଥିବା ବିଭୂତିପଡ଼ାର ଅରୁଣ ନାଗ ଓ ସଞ୍ଜୀବ ସ୍ୱାଇଁଙ୍କୁ ପୁଲିସ କାବୁ କରିଥିଲା। ଅରୁଣ ନାଗକୁ ପୁଲିସ ନ୍ୟାୟାଳୟକୁ ପଠାଇଥିବା ବେଳେ ଅନ୍ୟଜଣଙ୍କୁ ପଚରା ଉଚୁରା ଚଳାଇଛି। ଫେରାର ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଉପଖଣ୍ଡ ପୁଲିସ ଅଧୀକ୍ଷକ ତୋଫାନ ବାଗ କହିଛନ୍ତି।
Comments are closed.