ବୁଡ଼ାରୀ ମୃତକଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ରିପୋର୍ଟ; ମୃତ୍ୟୁ ଦୁଃର୍ଘଟଣାବଶତଃ ଥିଲା

0

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉତ୍ତର ଦିଲ୍ଲୀର ବୁଡ଼ାରୀ ସମୂହ ମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି। ପରିବାର ସଦସ୍ୟବୃନ୍ଦ ମରିବାର ଅଭିପ୍ରାୟ ରଖି ନଥିଲେ ମଧ୍ୟ ପୂଜାର୍ଚ୍ଚନାରେ ଭୁଲ ହୋଇଯିବାରୁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ପରିବାରର ପ୍ରମୁଖ ସଦସ୍ୟ ତଥା ସାନ ପୁଅ ଲଳିତ ଚୁଣ୍ଡାୱତ ତାଙ୍କ ଦିବଂଗତ ବାପାଙ୍କ ପରାମର୍ଶ ଦର୍ଶାଇ ଘରେ ପୂଜାର୍ଚ୍ଚନା କରିଥିଲେ। ସେଥିପାଇଁ ପରିବାର ସଦସ୍ୟଙ୍କ ମୁହଁରେ କପଡ଼ା ବାନ୍ଧିବା ସହ ଗୋଡ଼ ହାତ ବାନ୍ଧି ଦେଇଥିଲେ। ମୃତ ୧୧ଜଣ ପରିବାର ସଦସ୍ୟଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ରିପୋର୍ଟ ଅନୁଯାୟୀ, ସେମାନେ ଆତ୍ମହତ୍ୟା କରିନଥିଲେ କିମ୍ବା ସେମାନଙ୍କୁ ହତ୍ୟା କରାଯାଇ ନଥିଲା; କିନ୍ତୁ ପୂଜା ସମୟରେ ଦୁର୍ଘଟଣାବଶତଃ ସେମାନେ ପ୍ରାଣ ହରାଇଥିଲେ। ଜୁନ୍‍ ମାସରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଦିଲ୍ଲୀ ପୁଲିସ ଜୁଲାଇ ମାସରେ ମୃତକଙ୍କ ମନସ୍ତତ୍ତ୍ୱିକ ବିଶ୍ଳେଷଣ ପରୀକ୍ଷା ପାଇଁ ସିବିଆଇକୁ ନିବଦେନ କରିଥିଲା। ଏହି ପରୀକ୍ଷାର ରିପୋର୍ଟ ବୁଧବାର ସନ୍ଧ୍ୟାରେ ମିଳିଛି।
ରିପୋର୍ଟ ଅନୁଯାୟୀ, ଏହି ଚର୍ଚ୍ଚିତ ଘଟଣାରେ ମୃତ୍ୟୁମୁଖ୍ୟରେ ପଡ଼ିଥିବା ଜଣେ ହେଲେ କେହି ମୃତ୍ୟୁ ଚାହିଁ ନଥିଲେ। ଯାହା ଘଟିଛି କେବଳ ଦୁର୍ଘଟଣାବଶତଃ। ମନସ୍ତାତ୍ତ୍ୱିକ ବିଶ୍ଳେଷଣ ହେଉଛି ମୃତ୍ୟୁ ପୂର୍ବରୁ ମୃତକଙ୍କ ମାନସିକ ସ୍ଥିତି ପରୀକ୍ଷା, ତାଙ୍କର ମେଡିକାଲ ରେକର୍ଡ, ଆତ୍ମୀୟଙ୍କ ସାକ୍ଷାତକାର ଇତ୍ୟାଦିର ରିପୋର୍ଟ। ସିବିଆଇ ପକ୍ଷରୁ ଏହି ବିଶ୍ଳେଷଣ କରାଯାଇଥିଲା। ଏଥିମଧ୍ୟରେ ଚୁଣ୍ଡାୱତ ପରିବାରର ବଡ଼ ପୁଅ ଦିନେଶ ସିଂହ ଚୁଣ୍ଡାୱତ ଓ ତାଙ୍କ ଭଉଣୀ ସୁଜାତା ନାଗପାଲ ତଥା ତାଙ୍କ ପରିବାରର ବକ୍ତବ୍ୟ ନିଆଯାଇଥିଲା। ଏହାଛଡ଼ା ଦୀର୍ଘ ୧୧ବର୍ଷ ଧରି ଈଶ୍ୱରଙ୍କ ସହ କଥାବାର୍ତ୍ତା ସଂକ୍ରାନ୍ତରେ ଲଳିତଙ୍କ ଦ୍ୱାରା ଲେଖାଯାଉଥିବା ଡାଏରୀର ମଧ୍ୟ ଅନୁଶୀଳନ କରାଯାଇଥିଲା। ତେବେ ଲଳିତ ହିଁ ପରିବାରର ସମସ୍ତଙ୍କୁ ଏହି ପୂଜାରେ ସାମିଲ କରିଥିଲା।

Leave A Reply