ହାଇଦରାବାଦ : ଗୋଦାବରୀ ନଦୀରେ ବାବଲି ପ୍ରକଳ୍ପ ବିରୋଧରେ ୨୦୧୦ରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ମହାରାଷ୍ଟ୍ରର ଏକ ଅଦାଲତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଅନ୍ୟ ୧୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ସେପ୍ଟେମ୍ବର ୨୧ରେ କୋର୍ଟରେ ହାଜର ହେବାକୁ ସେମାନଙ୍କୁ ଧରମବଦର ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଏନ୍ଆର୍ ଗଜଭିୟେ ନିର୍ଦେଶ ଦେଇଛନ୍ତି। ଏହି ଘଟଣାକୁ ଚନ୍ଦ୍ରବାବୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଧ୍ର ସମେତ ତେଲଙ୍ଗାନାରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି। ଟିଡିପିକୁ ଧମକାଇବା ଉଦ୍ଦେଶ୍ୟରେ ବିଜେପିର ରାଜନୈତିକ ଷଡ଼ଯନ୍ତ୍ରକ୍ରମେ ଯେଉଁ ଗିରଫ ପରୱାନାର ସମୟସୀମା ଶେଷ ହୋଇଯାଇଥିଲା ତାହାକୁ ନବୀକରଣ କରାଯାଇଛି ବୋଲି ଟିଡିପିର ତେଲଙ୍ଗାନା ମୁଖ୍ୟ ଏଲ୍. ରମଣ ଦର୍ଶାଇଛନ୍ତି। ନିର୍ଦେଶ ଅନୁଯାୟୀ ନାଇଡୁ ଓ ଅନ୍ୟ ନେତାମାନେ ଅଦାଲତରେ ହାଜର ହେବେ ବୋଲି ନାଇଡୁଙ୍କ ପୁତ୍ର ତଥା ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଏନ୍. ଲୋକେଶ କହିଛନ୍ତି।
Popular Categories



