ପୁଣି ରୁଷର ରାଷ୍ଟ୍ରପତି ହେଲେ ପୁଟିନ୍‌

0

ମସ୍କୋ : ରୁଷରେ ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦିମିର ପୁଟିନ ଐତିହାସିକ ବିଜୟ ହାସଲ କରିଛନ୍ତି । ଅପରପକ୍ଷରେ ବିରୋଧୀ ପ୍ରାର୍ଥୀ ଭୋଟ ରାଗିଂ ଅଭିଯୋଗ ଆଣିଛନ୍ତି । ସୋମବାର ସକାଳେ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଫଳ ଭ୍ଲାଦିମିର ପୁଟିନଙ୍କ ସପକ୍ଷରେ ଆସିଛି ।

ପୁଟିନ୍‌ ୭୬.୬% ଭୋଟ ପାଇ ଐତିହାସିକ ବିଜୟ ସହ ୪ର୍ଥ ଥର ରୁଷ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏହା ହେଉଛି ପୁଟିନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପୁଟିନ୍‌ ୨୦୨୪ ପର୍ଯ୍ୟନ୍ତ ରୁଷ ରାଷ୍ଟ୍ରପତି ପଦରେ ରହିବେ ।

ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ରୁଷ ଦଖଲ କରିବା, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍‌ର ହସ୍ତକ୍ଷେପ, ବ୍ରିଟେନ ସହିତ କୂଟନୈତିକ ତିକ୍ତତା ଓ ସିରିୟାରେ ରୁଷ୍‌ର ବୋମାମାଡ ଭଳି ଘଟଣାକୁ ନେଇ ପୁଟିନ ସମାଲୋଚିତ ହୋଇଥିଲେ ମଧ୍ୟ ତାଙ୍କ ସପକ୍ଷରେ ଜନମତ ଯାଇଛି।

ପୁଟିନ ପ୍ରଥମେ ୧୯୯୯ରୁ ଅଗଷ୍ଟରୁ ୨୦୦୦ ମେ ପର୍ଯ୍ୟନ୍ତ ରୁଷ୍‌ର ପ୍ରଧାନମନ୍ତ୍ରୀ ରହିଥିଲେ। ଏହା ପରେ ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ। ପରେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ଏହା ପରେ ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଅଛନ୍ତି। ଏହି ବିଜୟ ସହ ସେ ୨୦୨୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ ତୁଲାଇବେ । ୨୦୨୪ ବେଳକୁ ତାଙ୍କୁ ୭୧ ବର୍ଷ ହେବ । ଏହାସହ ଷ୍ଟାଲିନଙ୍କ ପରେ ରୁଷ ରାଷ୍ଟ୍ରପତି ଭାବେ ସର୍ବାଧିକ ସମୟ ସେବା କରିବାରେ ପୁଟିନ୍‌ ସୌଭାଗ୍ୟ ହାସଲ କରିବେ ।

ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ୬୭% ମତଦାନ ଗ୍ରହଣ କରାଯାଇଥିଲା । ପୁଟିନଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଏବଂ କମ୍ୟୁନିଷ୍ଟ ଦଳ ପ୍ରାର୍ଥୀ ପାୱେଲ ଗ୍ରୁଡ଼ନିନ ୧୧.୮% ଭୋଟ, ଭ୍ଲାଦିମିର ଝିରିନୋଭସ୍କାଏ ୫.୬% ଭୋଟ, ପୁଟିନଙ୍କୁ କଡ଼ା ସମାଲୋଚନା କରୁଥିବା ଟିଭି ତାରକା କସେନିଆ ସୋବଚାକ୍‌ ୧.୬% ଭୋଟ ହାସଲ କରିଛନ୍ତି।

Leave A Reply