www.samajalive.in
Sunday, December 7, 2025
13.1 C
Bhubaneswar

ଦାମଙ୍କ ବିକଳ୍ପ ବିଜୁ ବିଚାର ମଞ୍ଚ !

ଭୁବନେଶ୍ୱର: ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କ ପାଇଁ ବିଜେଡିର ଚିନ୍ତା ବଢ଼ିଛି। ତୁଣ୍ଡ ଉପରେ ନିୟନ୍ତ୍ରଣ ରଖିପାରୁ ନଥିବା ଏହି ବରିଷ୍ଠ ନେତା ସିଧାସଳଖ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ସହ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ରଖୁଛନ୍ତି। ବିଭିନ୍ନ ବିଭାଗରେ ଦୁର୍ନୀତି ଅଭିଯୋଗ ଆଣି ସେ ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରୟାସ କରିଛନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟକଳାପ ଦଳ ଓ ସରକାର ବିରୋଧୀ ବୋଲି ବିଜେଡି ବିଧାୟକ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି। ଦୁଇଦିନ ଧରି ଦାମ ଓ ଦଳରେ ତାଙ୍କ ବିରୋଧୀଙ୍କ ମଧ୍ୟରେ ବିରୋଧାଭାସ ତୀବ୍ର ହେବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପ୍ରତିପକ୍ଷ କହୁଛନ୍ତି। ଦାମ କାର୍ଯ୍ୟାନୁଷ୍ଠାନ ନେଇ ଚିନ୍ତିତ ନୁହନ୍ତି ଏବଂ ସେ ଲୋକଙ୍କ ସହିତ ଅଛନ୍ତି ବୋଲି କହି ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି।
ଦଳୀୟ ଶୃଙ୍ଖଳା ଭଙ୍ଗ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଦଳୀୟ ଶୃଙ୍ଖଳା ଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି। ବିଭିନ୍ନ ସମୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇ ଆସୁଛନ୍ତି। ଦଳ ଗଠନ ହେବା ଦିନଠାରୁ ଏଭିତରେ ବହୁ ପୁରୁଖା ନେତା ଦଳୀୟ ଶୃଙ୍ଖଳା ଭଙ୍ଗ ପ୍ରସଙ୍ଗରେ ବାଦ ପଡ଼ିଛନ୍ତି। ଏପରିକି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ କିଛି ନେତା ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ଦାମ କଟାକ୍ଷ କରି କହିଛନ୍ତି, ବର୍ତ୍ତମାନ ଦୁଇ
ତିନି ଜଣଙ୍କ ନିର୍ଦେଶରେ ଦଳ ଚାଲିଥିବାରୁ ସେ ଦଳରେ ରହିବା ଅପେକ୍ଷା ନ ରହିବା ଭଲ। ସେ ଭଲଭାବରେ ଜାଣନ୍ତି, ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ତେବେ ବିଜେଡ଼ିରୁ ଗଲେ ବି ସେ ବିଜୁଙ୍କୁ ଛାଡ଼ି ବଞ୍ଚିପାରିବେ ନାହିଁ ବୋଲି କହିଛନ୍ତି। ନିକଟରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଦଳର ଉପ ସଭାପତି ତଥା ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶ୍ରୀ ପଣ୍ଡା ମଧ୍ୟ ନିଜ ସାଂସଦ ପଦରୁ ଇସ୍ତଫା ଦେଇ ଦଳ ଛାଡ଼ିଛନ୍ତି। ଦାମଙ୍କ ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି ଯେ ଦାମଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯାଉଛି। ସେ ଯେଉଁ ଅଭିଯୋଗମାନ ଆଣିଛନ୍ତି ତାହା ଯଦି ସତ୍ୟ ହୋଇଥାଏ ତେବେ ସାଂଘାତିକ ଏବଂ ଏହା ତଦନ୍ତ ସାପେକ୍ଷ୍ୟ। ବୈଜୟନ୍ତଙ୍କ ଏଭଳି ଉକ୍ତି ଦାମଙ୍କ ପ୍ରତି ତାଙ୍କର ସମର୍ଥନ ବାରି ହୋଇ ପଡ଼ୁଛି।
ଦାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ତାଙ୍କୁ ଦଳରୁ ବହିଷ୍କାର ପରିପ୍ରେକ୍ଷୀରେ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଓ ସମ୍ଭାବ୍ୟ ଦୃଶ୍ୟପଟ୍ଟ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି କ୍ରମରେ ଦାମଙ୍କ ‘ବିଜୁ ବିଚାର ମଞ୍ଚ’କୁ ଏକ ରାଜନୈତିକ ଋୂପ ଦେଇ ଆଗାମୀ ଦିନରେ ଏହାକୁ ଏକ ରାଜନୈତିକ ବିକଳ୍ପ ଭାବେ ଗଢ଼ିତୋଳିବା ପାଇଁ ପ୍ରୟାସ ଜୋର ଧରିବ ବୋଲି ରାଜନୈତିକ ମହଲରେ ଆକଳନ ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିଚାରଧାରାରେ ବିଶ୍ୱାସ ରଖୁଥିବା ରାଜନେତାଙ୍କୁ ଏକାଠି କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।
ଏହି ଆଧାରରେ ବିଜେଡିରୁ ଦୂରେଇ ଯାଇଥିବା ବିଜୁପ୍ରେମୀ ନେତୃତ୍ୱଙ୍କୁ ପୁଣି ଗୋଟିଏ ମଞ୍ଚରେ ଏକାଠି ହେବାର ସମ୍ଭାବନା ସୃଷ୍ଟି କରୁଛି। ସଂପ୍ରତି ରାଜ୍ୟର ରାଜନୈତିକ ସ୍ଥିତିକୁ ଆକଳନ କଲେ ବିକଳ୍ପ ଖୋଜୁଥିବା ରାଜନେତାମାନଙ୍କ ମଧ୍ୟରେ ସମ୍ଭବତଃ ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେଇ, ବୈଜୟନ୍ତ ପଣ୍ଡା, ପଞ୍ଚାନନ କାନୁନ୍‍ଗୋ, ରାମକୃଷ୍ଣ ପଟ୍ଟନାୟକ, ଦିଲୀପ ରାୟଙ୍କ ଭଳି କିଛି ବରିଷ୍ଠ ନେତା ଦାମଙ୍କ ସହ ଏହି ମଞ୍ଚରେ ଏକାଠି ହୋଇପାରନ୍ତି।
ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଏକ ସମ୍ଭାବ୍ୟ ରାଜନୈତିକ ମଞ୍ଚରୁ ଫାଇଦା ନେବା ପାଇଁ ନିଶ୍ଚିତ ଭାବେ ଚେଷ୍ଟା କରିବେ। କିନ୍ତୁ ଏହା ରାଜ୍ୟର ରାଜନୈତିକ ସମୀକରଣକୁ କେତେଦୂର ପ୍ରଭାବିତ କରିପାରିବ ସେ ନେଇ ଏବେ ଠାରୁ ଆକଳନ କରିବା ଅପରିପକ୍ୱ ହେବ। ନବୀନଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ଏବେବି ଅକ୍ଷୁ୍‍ଣ୍ଣ ରହିଛି। ବିଜେଡିର ଦୃଢ଼ ସାଂଗଠନିକ ସ୍ଥିତି ଓ ନବୀନଙ୍କ ନେତୃତ୍ୱ ଦଳକୁ କୌଣସି ସ୍ଥିତିକୁ ମୁକାବିଲା କରିବାରେ ସାମର୍ଥ୍ୟ ଯୋଗାଉଛି। କିନ୍ତୁ ଏହା ନିଶ୍ଚିତ ଯେ ଯଦି ପରିବର୍ତ୍ତିତ ପରିସ୍ଥିତିରେ ବିଜୁପ୍ରେମୀ ନେତାମାନଙ୍କର ଏକାଠି ହେବା ପ୍ରକ୍ରିୟା ସାକାର ହୁଏ ତେବେ ୧୮ବର୍ଷ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ବିରୋଧୀଙ୍କୁ ସଂଘବଦ୍ଧ ଭାବେ ବିଜେଡିର ମୁକାବିଲା କରିବା ପାଇଁ ସୁଯୋଗ ସୃଷ୍ଟି କରିପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories