ପିପିଲି:ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନ ସମ୍ମୁଖରୁ ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକିରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାଇ, ଅନନ୍ତପୁର ଗ୍ରାମର ବ୍ୟବସାୟୀ ଧୃବଚରଣ ପ୍ରଧାନ ଆଜି ପୂର୍ବାହ୍ନରେ ମଠସାହି ଛକରେ ଥିବା ଏସ୍ବିଆଇ ଭାରତୀପୁର ଶାଖାରୁ ୫୦ହଜାର ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ସେ ନିଜ ବାଇକ୍ ଡିକିରେ ରଖି ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ତେବେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଉକ୍ତ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ୍ ଡିକିର ତାଲାକୁ ଖୋଲି ଜଣେ ଦୁର୍ବୁତ୍ତ ଡିକି ମଧ୍ୟରୁ ୫୦ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଥିଲା।
ପରେ ଧୃବଚରଣ ଏ ସଂପର୍କରେ ଜାଣିବା ପରେ ବ୍ୟାଙ୍କ ଓ ଉକ୍ତ ଦୋକାନ ନିକଟରେ ଲାଗିଥିବା ସିସିଟିଭିକୁ ନେଇ ଯାଞ୍ଚ କରିବାରେ ୪ଜଣ ଦୁର୍ବୁତ୍ତ ତାଙ୍କୁ ବ୍ୟାଙ୍କରୁ ପିଛା କରିଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ବାଇକ୍ ଡିକିର ତାଲାକୁ ଖୋଲି ଟଙ୍କା ନେଇ ଯାଇଥିବା ସଂପର୍କରେ ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ସହ ଚୋରି ସମୟର ସିସିଟିଭି ଫୁଟେଜ୍କୁ ପୁଲିସକୁ ଦେଇଥିବା ସୂଚନା ମିଳିଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଫୁଟେଜ୍କୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅପରାଧିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।



