ରାଜକ୍ଷମା ଲୋଡ଼ିଲେ ଆଶାରାମ

0

ଯୋଧପୁର : ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ରାଜସ୍ଥାନର ଏକ ଜେଲ୍‍ରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଏବେ ରାଜକ୍ଷମା ଲୋଡ଼ିଛନ୍ତି। ଏ ନେଇ ସେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ନିକଟକୁ ଏକ ଆବେଦନ ପତ୍ର ପଠାଇଛନ୍ତି। ବୟସ ଦୃଷ୍ଟିକୋଣରୁ ତାଙ୍କୁ ପ୍ରଦାନ କରାଯାଇଥିବା ଆଜୀବନ କାରାଦଣ୍ଡାଦେଶ ଅତ୍ୟନ୍ତ କଠୋର ହୋଇଥିବାରୁ ତାହାକୁ କୋହଳ କରିବାକୁ ଉକ୍ତ ଆବେଦନରେ ସେ ନିବେଦନ କରିଛନ୍ତି। ତାଙ୍କ ରାଜକ୍ଷମା ଆବେଦନକୁ ରାଜ୍ୟପାଳ ଇତିମଧ୍ୟରେ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇ ସବିଶେଷ ରିପୋର୍ଟ ଲୋଡିଛନ୍ତି। ଆବେଦନଟି ଏବେ ଗୃହ ମନ୍ତ୍ରଣାଳୟରୁ ଯୋଧପୁର କେନ୍ଦ୍ରୀୟ କାରାଗାର ପ୍ରଶାସନ ଏବଂ ପରେ ଜିଲା ପ୍ରଶାସନ ନିକଟରେ ପହଞ୍ଚିଛି। ଏହା ଉପରେ ଜିଲା ପ୍ରଶାସନ ଓ ପୁଲିସ ନିକଟରୁ ରିପୋର୍ଟ ପାଇବା ପରେ ତାହାକୁ ରାଜସ୍ଥାନ ମହାନିର୍ଦେଶକ (କାରଗାର)ଙ୍କ ନିକଟକୁ ପଠାଯିବ ବୋଲି ଯୋଧପୁର କେନ୍ଦ୍ରୀୟ ଜେଲ୍‍ର ସୁପରିଣ୍ଟେଣ୍ଡେଣ୍ଟ କୈଳାସ ତ୍ରିବେଦୀ କହିଛନ୍ତି।
ଉଲ୍ଲେଖ ଯେ, ୨୦୧୮ ଏପ୍ରିଲ ୨୫ରେ ଯୋଧପୁରର ଏକ କୋର୍ଟ ଏହି ମାମଲାରେ ଆଶାରାମଙ୍କୁ ଦୋଷୀ ଘୋଷଣା କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ମାତ୍ର ଏହି ଦଣ୍ଡାଦେଶ ବିରୋଧରେ ଆଶାରାମ ଜୁଲାଇ ୨ରେ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିନାହାନ୍ତି। ହାଇକୋର୍ଟଙ୍କ ଶୁଣାଣି ପୂର୍ବରୁ ଆଶାରାମ ରାଜକ୍ଷମା ଲୋଡିଛନ୍ତି।

Leave A Reply