www.samajalive.in
Monday, December 15, 2025
17.1 C
Bhubaneswar

ପ୍ରଜାକୋର୍ଟରେ ଗଡ଼ିଲା ମୁଣ୍ଡ

ପାଇକମାଲ: ପୁଣି ବରଗଡ଼ ଜିଲାରେ ଲାଲ ତାଣ୍ଡବ। ପୁଲିସ ସୂଚନାଦାତା ସନ୍ଦେହରେ ଶନିବାର ରାତିରେ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ପାନଦୋକାନୀ ବିଜୟ ସାହୁଙ୍କୁ ପ୍ରଜା କୋର୍ଟରେ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ। ଏ ସମ୍ପର୍କରେ ସୂଚନା ପାଇ ପୁଲିସ ବିଜୟଙ୍କ ଶବକୁ ଆଜି ଉଦ୍ଧାର କରିଛି। ବିଜୟଙ୍କ ମୃତ ଦେହ ନିକଟରେ ଗନ୍ଧମାର୍ଦନ ଅଞ୍ଚଳ କମିଟି ସଦସ୍ୟମାନେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ସଂକ୍ରାନ୍ତ ଏକ ହାତ ଲେଖା ଛାଡ଼ି ଯାଇଛନ୍ତି। କେବଳ ସେତିକି ନୁହେଁ, ଯେଉଁମାନେ ପୁଲିସକୁ ସହଯୋଗ କରିବେ ସେମାନଙ୍କୁ ମଧ୍ୟ ଏହି ପରି ଶାସ୍ତ ଦିଆଯିବ ବୋଲି ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି। ସାଲେପାଲି ନିକଟରେ ପାନ ଦୋକାନ କରିଥିବା ବିଜୟ ସାହୁ ଶନିବାର ରାତିରେ ଦୋକାନରେ ବସିଥିବାବେଳେ ୧୫ରୁ ଊର୍ଦ୍ଧ୍ବ ମାଓବାଦୀ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରିବା ସହ ବନ୍ଧୁକ ଦେଖାଇ ବିଜୟଙ୍କୁ ଅପରହଣ କରି ନେଇଥିଲେ। ଯେଉଁ କିଛି ଲୋକ ଏହାର ପ୍ରତିବାଦ କରିଥିଲେ ସେମାନଙ୍କୁ ମାଓବାଦୀମାନେ ବନ୍ଧୁକ ଦେଖାଇ ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ମାଓବାଦୀମାନେ ଗୁଳିଚାଳନା କରିବା ଯୋଗୁଁ
କେହି ସେମାନଙ୍କୁ ରୋକିବାକୁ ସାହସ କରି ପାରି ନ ଥିଲେ।ବିଜୟଙ୍କୁ ଦୋକାନରେ ସହଯୋଗ କରୁଥିବା ରଘୁନାଥ ବରିହା ନାମକ ଜଣେ ମୂକ ବ୍ୟକ୍ତି ଗାଁକୁ ଯାଇ ଏ ସମ୍ପର୍କରେ ବିଜୟଙ୍କ ପରିବାରକୁ ସୂଚନା ଦେଇଥିଲେ। ବିଜୟଙ୍କ ବାପା ରଣଜିତ୍‌ ତୁରନ୍ତ ଦୋକାନ ପାଖକୁ ଆସିଥିଲେ ଓ ଦୋକାନ ବନ୍ଦ କରି ଥାନାରେ ଖବର ଦେଇଥିଲେ। ରାତିରେ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ବିଳମ୍ବିତ ରାତିରେ ତାଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ନେଇ ଖବର ପ୍ରଚାରିତ ହୋଇଥିଲେ ହେଁ ତାହା ସ୍ପଷ୍ଟ ହୋଇ ପାରି ନ ଥିଲା। ତେବେ ଆଜି ସକାଳୁ ନିଜ ଦୋକାନ ସମ୍ମୁଖରେ ବିଜୟର ଶବ ହାତଗୋଡ଼ବନ୍ଧା ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବିଜୟଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସହ ଗୁଳି ମାଡ଼ ଚିହ୍ନ ରହିଥିଲା।
ଏ ସମ୍ପର୍କରେ ଖବର ପାଇ ରବିବାର ପାଇକମାଲ ପୁଲିସ ବିଜୟ ସାହୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଜୟଙ୍କ ମୃତଦେହ ନିକଟରେ ମାଓବାଦୀମାନେ ଛାଡ଼ି ଯାଇଥିôବା ଏକ ଚିଠିକୁ ପୁଲିସ ଜବତ କରିଛି। ଏଥିରେ ବିଜୟଙ୍କୁ ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସମ୍ପର୍କିତ ଲେଖା ହିନ୍ଦୀରେ ରହିଛି। ‘ବିଜୟ ସାହୁଙ୍କ ସୂଚନା ଆଧାରରେ ୨୦୧୭ ସେପ୍ଟେମ୍ବର ୨୬ ତାରିଖରେ ପୁଲିସ ସାଲେପାଲି ଗ୍ରାମରେ ରାତି ୮ଟାରେ ଚଢ଼ଉ କରି ଦୁଇଜଣ ବରିଷ୍ଠ ମାଓବାଦୀଙ୍କୁ ହତ୍ୟା କରିବାରେ ସକ୍ଷମ ହୋଇଥିଲା। ଏହା ସହ ଦୁଇଟି ବନ୍ଧୁକ ମଧ୍ୟ ପୁଲିସ ନେଇ ଯାଇଥିଲା। ଏଣୁ ପୁଲିସର ଗୁପ୍ତଚର କାର୍ୟ୍ୟରେ ନିୟୋଜିତ ବିଜୟ ସାହୁଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଛି’ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ଘଟଣା ପରେ ମୃତ ବିଜୟଙ୍କ ସ୍ତ୍ରୀ ବୃନ୍ଦାବତୀ ପାଇକମାଲ ଥାନାକୁ ଯାଇ ତା’ର ସ୍ୱାମୀଙ୍କ ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରିଛନ୍ତି। ବିଜୟଙ୍କ ମୃତ୍ୟୁ ପରେ ପତ୍ନୀ ବୃନ୍ଦାବତୀ ସାହୁ, ୫ ବର୍ଷର ପୁଅ ଓମକ୍ରିଷ୍ଣା ସାହୁ, ବାପା ରଣଜିତ ସାହୁ, ଓ ସାନଭାଇ ଲିଙ୍ଗରାଜ ସାହୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମୃତ ବିଜୟଙ୍କ ପିତା ରଣଜିତ ସାହୁଙ୍କ ଏତଲାକୁ ଭିତ୍ତିକରି ପାଇକମାଲ ଥାନାରେ ମାମଲା ହୋଇଛି ଏବଂ ଏସ୍‌ଡ଼ିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଏହାର ତଦନ୍ତ କରୁଛନ୍ତି।
.

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories