ସଂସଦରେ ଆସିବ କ୍ରିପ୍ଟୋକରେନ୍ସି ବିଲ୍‍; ସରକାର ଆନୁଷ୍ଠାନିକ ଡିଜିଟାଲ ମୁଦ୍ରା ବ୍ୟବସ୍ଥା ସୃଷ୍ଟିକରିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତ ଅଧିବେଶନ କାଳରେ କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍‍ ଆଗତ କରିବାକୁ ଯୋଜନା କରିଛନ୍ତି । ଏହାଦ୍ୱାରା ସରକାରୀ ସ୍ତରରେ ଏକ ଡିଜିଟାଲ ମୁଦ୍ରା ବ୍ୟବସ୍ତା ସୃଷ୍ଟି କରାଯିବା ପଥ ସୁଗମ ହୋଇପାରିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଏହି ଡିଜିଟାଲ ମୁଦ୍ରା ପ୍ରଚଳନ କରାଯିବ । ସେଥିପାଇଁ ସରକାର ‘କ୍ରିପ୍ଟୋକରେନ୍ସି ଏବଂ ସରକାରୀ ଡିଜିଟାଲ ମୁଦ୍ରା ନିୟନ୍ତ୍ରଣ ବିଲ୍‍, ୨୦୨୧’ ଆଣିବାକୁ ଯାଉଛନ୍ତି ।
ସଂସଦର ଏକ ବୁଲେଟିନ ସୂତ୍ରରୁ ଜଣାଯାଇଛି ଯେ ଏହି ବିଲ୍‍ରେ ଭାରତରେ ସମସ୍ତ ପ୍ରକାର ବେସରକାରୀ କ୍ରିପ୍ଟୋକରେନ୍ସିକୁ ନିଷେଧ କରାଯିବ । ତେବେ କ୍ରିପ୍ଟୋକରେନ୍ସି ପଛରେ ରହିଥିବା ପ୍ରଯୁକ୍ତି ଏବଂ ତାହାର ବ୍ୟବହାର କ୍ଷେତ୍ରରେ ସରକାର କିଛିଟା କୋହଳ କରିବେ । ମୋଟାମୋଟି ଭାବରେ କେନ୍ଦ୍ର ସରକାର ଆଗାମୀ ଶୀତ ଅଧିବେଶନ କାଳରେ ମୋଟ ୨୬ଟି ନୂଆ ବିଲ୍‍ ଆଗତ କରିବାକୁ ପ୍ରସ୍ତାବ ରଖିଛନ୍ତି । ଉଚ୍ଚ ସରକାରୀ ମହଲରୁ ଜଣାଯାଇଛି ଯେ କ୍ରିପ୍ଟୋକରେନ୍ସିକୁ ମୁଦ୍ରା ଭାବରେ ଗ୍ରହଣ କରାଯିବା ବିଷୟକୁ ନେଇ ସରକାର ନାରାଜ ଥିବା ଜଣାଯାଇଛି । କାରଣ କରେନ୍ସି ନୋଟ ଏବଂ ମୁଦ୍ରାଗୁଡିକ ପଛରେ ବୈଧାନିକ ସମର୍ଥନ ରହିଛି ଏବଂ ସରକାରଙ୍କ ସହିତ ପରାମର୍ଶ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ନିୟନ୍ତ୍ରଣ କରୁଛି । ଏହି ସୂତ୍ରରୁ ଆଉ ମଧ୍ୟ କୁହାଯାଇଛି ଯେ ଭାରତ ସରକାର କ୍ରିପ୍ଟୋକରେନ୍ସି ସହିତ ସଂଯୁକ୍ତ ଚିନ୍ତାଧାରା ଓ ପ୍ରଯୁକ୍ତିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ଚାହାନ୍ତି ନାହିଁ ଏବଂ ଚୀନ ଭଳି ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବେନାହିଁ । ସୂଚନାଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରିପ୍ଟୋକରେନ୍ସିକୁ ନେଇ ୨୦୧୭ରୁ ତାହାର ଗଭୀର ଚିନ୍ତା ପ୍ରକଟ କରିଆସୁଛି । ୨୦୧୭ ଜୁଲାଇରେ ଆରବିଆଇର ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ ଏକ ସଂସଦୀୟ ମଣ୍ଡଳୀ ନିକଟରେ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ କ୍ରିପ୍ଟୋକରେନ୍ସି ସମ୍ପର୍କିତ ଦେଣନେଣ ଉପରେ କଡା ନଜର ରଖିଛି ।

kalyan agarbati

Comments are closed.