୨+୨ ଚୁକ୍ତି

0

ଚଳିତବର୍ଷ ଦୁଇଥର ବାତିଲ ହେବାପରେ ଗତ ଶୁକ୍ରବାର ଭାରତ ଓ ଆମେରିକାର ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବା ଗୁରୁତ୍ବପୂର୍ଣ୍ଣ। ବିଶେଷତଃ ଏହାଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ଭିତରେ ଯେଉଁ ସମ୍ବନ୍ଧ ଆରମ୍ଭ ହେବାକୁ ଯାଉଛି, ତାହା ଉଭୟ ଦେଶ ପାଇଁ ମାଇଲ୍‌ଖୁଣ୍ଟ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଏପରି ଚିନ୍ତା ପଛରେ ରହିଛି ଭାରତର ରୁଷ ଉପରେ ଅତ୍ୟଧିକ ନିର୍ଭରଶୀଳତା। ବର୍ତ୍ତମାନର ଆନ୍ତର୍ଜାତିକ ସମୀକରଣରେ ସମ୍ପର୍କଗୁଡ଼ିକ ବଦଳି ଚାଲିଥିବାବେଳେ ଆମେରିକାକୁ ପ୍ରତିରକ୍ଷା ସହଯୋଗୀ ଭାବେ ସମ୍ପର୍କ ଯୋଡ଼ିବା ଭାରତ ପାଇଁ କେତେ ଲାଭଦାୟକ ହେବ, ତାହା ଭବିଷ୍ୟତ କହିବ। ତେବେ ଏହାଦ୍ବାରା କୌଣସି ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳତା ନିଶ୍ଚିତ ଭାବେ କମ୍ ହେବା ଆଶା କରାଯାଏ। ନିଜର ସୈନ୍ୟଶକ୍ତିକୁ ଅତ୍ୟାଧୁନିକ କରିବା କ୍ଷେତ୍ରରେ ନିଷ୍ପତ୍ତି ନେବାରେ ଆଉ ସମସ୍ୟା ସୃଷ୍ଟି ହେବନାହିଁ ବୋଲି କୁହାଯାଉଛି। ଏହାଛଡ଼ା ବିଶ୍ବ ମହାଶକ୍ତି ଧରାଯାଉଥିବା ଦେଶଗୁଡ଼ିକ ସହ ନିଜକୁ ସମକକ୍ଷ ବୋଲି ଭାବିବାର ଏକ ଅବସର ମିଳିବ। ସୂଚନାଯୋଗ୍ୟ, ଦଶ ବର୍ଷ ପୂର୍ବରୁ ଆମେରିକା ସହ ଭାରତର ପ୍ରତିରକ୍ଷା କାରବାର ଖୁବ୍ କମ୍ ଥିଲା, କିନ୍ତୁ ଆଜି ଭାରତ ତା’ଠାରୁ କୋଟିକୋଟି ଡଲାର ମୂଲ୍ୟର ଉପକରଣ କିଣୁଛି ଓ ଆଗାମୀ ସମୟରେ ଏହି ପରିମାଣ ବୃଦ୍ଧି ପାଇବ। ତେଣୁ ଏଥିରେ କେବଳ ଭାରତ ନୁହେଁ, ଆମେରିକାର ହିତ ମଧ୍ୟ ନିହିତ।
ଭାରତ-ଆମେରିକାର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀମାନଙ୍କ ଆଲୋଚନାରେ ଦୁଇ ଦେଶ ମଧ୍ୟ ଯେଉଁ ‘କମ୍‌କାସା’ (କମ୍ୟୁନିକେସନ୍ସ, କମ୍ପାଟିବିଲିଟି ଏଣ୍ଡ୍‌ ସିକ୍ୟୁରିଟି ଏଗ୍ରିମେଣ୍ଟ’ ଚୁକ୍ତି ହୋଇଛି, ତାହା କାର୍ଯ୍ୟକାରୀ ହେଲେ ଭାରତ ପାଇଁ ବହୁତ କିଛି ନୂଆ ପ୍ରତିରକ୍ଷା ପ୍ରଯୁକ୍ତି ମିଳିବ ବୋଲି କୁହାଯାଇଛି। ଆମେରିକା ଭାରତକୁ ସମସ୍ତ ଗୋପନୀୟ ସୁରକ୍ଷା ପ୍ରଯୁକ୍ତି ଦେବ, ସେନାକୁ ଅତ୍ୟାଧୁନିକ ସଂଚାର ପଦ୍ଧତିବିଶିଷ୍ଟ ପ୍ରଯୁକ୍ତି ମିଳିବ ଏବଂ ସି-୧୭ ଓ ସି-୧୩୦ ହରକ୍ୟୁଲେସ ଭଳି ବିମାନ ଭାରତରେ ନିର୍ମାଣ ହେବା ପାଇଁ ଦ୍ବାର ଖୋଲିବ। ଭାରତର ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ତଥ୍ୟ ମଧ୍ୟ ଆମେରିକା ଯୋଗାଇଦେବ ବୋଲି ଚୁୁକ୍ତି ହୋଇଛି। ଆମେରିକା ପ୍ରତିଶ୍ରୁତି ଦେଇଛି ଯେ ଚୀନ ଓ ପାକିସ୍ତାନରେ ହେଉଥିବା ସୈନ୍ୟପ୍ରସ୍ତୁତି ଉପରେ ମଧ୍ୟ ନିରନ୍ତର ସୂଚନା ପ୍ରଦାନ କରିବ। ଏହି ଦୁଇ ଦେଶର ଗତିବିଧି ଉପରେ ନଜର ରଖିବାପାଇଁ ଡ୍ରୋନ୍ ପ୍ରଯୁକ୍ତି ଭାରତକୁ ଦେବ ବୋଲି ସ୍ଥିର ହୋଇଛି। ଏହି ଚୁକ୍ତିଗୁଡ଼ିକୁ ଦେଖିଲେ ମନେହେଉଛି ଯେ ଆମେରିକା ସତେଯେମିତି ଭାରତର ପ୍ରିୟବନ୍ଧୁ ଓ ଏଗୁଡ଼ିକୁ ଆମକୁ ଦେବାକୁ ସତେଯେମିତି ସେ ଟାକିବସିଥିଲା।
ଆମ ଓଡ଼ିଆରେ ଢଗଟିଏ ଅଛି, ‘ଅତି ଭକ୍ତି ଚୋରର ଲକ୍ଷଣ’। ଏଠି ବି ଆମକୁ ଆମେରିକାର ମତିଗତି ଠିକ୍ ସେହିଭଳି ‘ଅତି’ ମନେହେଉଛି। ଭାରତ ପାଇଁ ଟ୍ରମ୍ପ୍ ପ୍ରଶାସନ ଏତେ ଚିନ୍ତାଶୀଳ ହେବାର କାରଣ କ’ଣ? କହିବା ବାହୁଲ୍ୟ ଯେ ଏଥିରେ ଭାରତ ଅପେକ୍ଷା ତା’ର ନିଜର ବହୁତ ବଡ଼ ସ୍ବାର୍ଥ ରହିଛି। ଆମେରିକା ପରୋକ୍ଷରେ ଭାରତକୁ ଚୀନ ଓ ପାକିସ୍ତାନର ଭୟ ଦେଖାଇବାକୁ ଚେଷ୍ଟା କରିଆସିଛି ଓ ତାହାକୁ ଆଳ କରି ଭାରତରେ ତା’ର ପ୍ରତିରକ୍ଷା ସାମଗ୍ରୀ ବିକ୍ରି କରିବ ବୋଲି ଭାବୁଛି। ଅପରପକ୍ଷେ, ଚୀନ ଓ ପାକିସ୍ତାନଠାରୁ ଯେ ଆମେ କୌଣସି ଗୁଣରେ କମ୍ ନୁହେଁ, ତାହା ସେହି ଦେଶଗୁଡ଼ିକୁ ଜଣାଇବା ଭାରତ ପାଇଁ ବଡ଼ ଆବଶ୍ୟକତା ମନେହେଉଛି। ଆଧୁନିକ ବିଶ୍ବରେ ସୈନ୍ୟଶକ୍ତିର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଛି, ତାକୁ ଆଉ ଅସ୍ବୀକାର କରିହେବ ନାହିଁ। ଆମେରିକା, ରୁଷ, ଚୀନ ବା ଛୋଟିଆ ଦେଶ ଇସ୍ରାଏଲ, ଯେକେହି ହୁଅନ୍ତୁ, ସେମାନେ ସେମାନଙ୍କ ପ୍ରତିରକ୍ଷା ଶକ୍ତି ପାଇଁ ଅନ୍ୟମାନଙ୍କ ଆଗରେ ଛାତିଫୁଲାଇ ଚାଲିବାର ଦୁଃସାହସ କରୁଛନ୍ତି। ଅନ୍ୟକୁ ଦେଖାଇବାକୁ ହେଲେ ମଧ୍ୟ ଭାରତ ପାଇଁ ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥାଟିଏ ଲୋଡ଼ା। ତେଣୁ ଏ କ୍ଷେତ୍ରରେ ପଛରେ ରହିବାକୁ ଭାରତ ମଧ୍ୟ ଚାହିଁବ ନାହିଁ।
ସେହିପରି ଭାରତକୁ ପ୍ରତିରକ୍ଷା ସାମଗ୍ରୀ ଓ ଜ୍ଞାନକୌଶଳ ଯୋଗାଇ ଭାରତଠାରୁ ବନ୍ଧୁତା ଦେଖାଇ ଆମେରିକା ଚୀନକୁ ଡରାଇବାକୁ ଚାହୁଁଛି। ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ସାହାଯ୍ୟ ନେଇ ଭାରତ-ପ୍ରଶାନ୍ତ ମହାସାଗରରେ ନିଜର ଆଧିପତ୍ୟ ଜାରି ରଖିବାର ରଣନୀତି ସ୍ଥିର କରିଛି। ଏ ନେଇ ଏହି ଚାରିଟି ଦେଶ ମଧ୍ୟରେ ଗତ ବର୍ଷକ ଭିତରେ ଦୁଇଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ଓ ଏହାକୁ ଏକ ନୂଆ ମେଣ୍ଟ ଭାବେ ବିଶ୍ବସମୁଦାୟ ଦେଖୁଛି। ଆମେରିକା ଭାରତକୁ ପ୍ରତିରକ୍ଷା ସହାୟତା ଯୋଗାଇ ଇରାନକୁ ମଧ୍ୟ ତା’ଠାରୁ ଦୂର କରିବାକୁ ଚାହୁଁଛି। ଆଗାମୀ ନଭେମ୍ବର ସୁଦ୍ଧା ତା’ଠାରୁ ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ଦାବି କରିଛି। ଏହା କିନ୍ତୁ ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ, କାରଣ ଏହାଦ୍ବାରା ଭାରତ କେବଳ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବନାହିଁ, ବରଂ ଇରାନ ସହିତ ତା’ର ସମ୍ପର୍କ ମଧ୍ୟ ତିକ୍ତ ହେବାର ଆଶଙ୍କା ରହିଛି।
ବଡ଼କଥା ହେଉଛି, ଆମେରିକା ଇସ୍ପାତ ଓ ଆଲୁମିନିୟମ୍ ଉପରେ ଯେଉଁ ଅତିରିକ୍ତ ଟିକସ ବସାଇଛି, ତା’ର ଉଚ୍ଛେଦ ପାଇଁ କୌଣସି ପ୍ରତିଶ୍ରୁତି ଦେଇନାହିଁ। ଏହାର ଓଲଟା ଆମେରିକାରୁ ତୈଳ ଓ ଗ୍ୟାସ୍‌ ଆମଦାନୀ ପାଇଁ ଚାପ ପକାଉଛି। ଏ ନେଇ କେନ୍ଦ୍ର ସରକାର ନିଜର ଦୃଷ୍ଟିକୋଣ ସ୍ପଷ୍ଟ ନକରିବା ପରିତାପର ବିଷୟ। ଭାରତ-ଆମେରିକା ମଧ୍ୟରେ ଯେଉଁ ଚୁକ୍ତିସବୁ ହୋଇଛି, ସେଥିନିମନ୍ତେ ଆମେରିକା ଦୀର୍ଘଦିନ ଧରି ମନନଚିନ୍ତନ କରିଥିବା ସ୍ପଷ୍ଟ। ତା’ ତୁଳନାରେ ଭାରତ ଆମେରିକା ଉପରେ ଅନ୍ଧଭାବେ ଆସ୍ଥା ସ୍ଥାପନ କରିଥିବା ମନେହୁଏ। ସରକାର ଏଥିପ୍ରତି ସଦାସତର୍କ ରହିବା ଆବଶ୍ୟକ, ଯେପରିକି ଏହି ଚୁକ୍ତିଦ୍ବାରା କେବଳ ଆମେରିକାର ଲାଭ ନହୁଏ ଓ ଭାରତକୁ କ୍ଷତି ସହିବାକୁ ନପଡ଼େ।

Leave A Reply