ସୁପ୍ରିମକୋର୍ଟରେ ପୋଲାଭରମ ମାମଲା: ଆଗ ବୁଡ଼ି ଅଞ୍ଚଳ ଆକଳନ, ପରେ ଜନଶୁଣାଣି

0

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ତୀବ୍ର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ପ୍ରତି ଜବାବରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଣଳୟର ୨୦୧୧ର ପୂର୍ବ ଆଦେଶ ଉପରେ ପୁଣି ଏକ ବର୍ଷ ପାଇଁ ନିଜେ କେନ୍ଦ୍ର ସରକାର ସ୍ଥଗିତାଦେଶ ଜାରି କରିବା ପ୍ରସଙ୍ଗରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଏବଂ ଏକପାଖିଆ ବୋଲି ପ୍ରତିଜବାବରେ କୁହାଯାଇଛି।
ପରିବେଶ ମଞ୍ଜୁରୀ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଜବାବର ପ୍ରତିଜବାବରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ପୋଲାଭରମ ପ୍ରକଳ୍ପର ଉପରମୁଣ୍ଡରେ ପଛୁଆ ବନ୍ୟାଜଳ (ବ୍ୟାକ୍‌ୱାଟର) ଏବଂ ନୂତନ ଡିଜାଇନ ଅନୁଯାୟୀ ପ୍ରକଳ୍ପ ଜଳଧାରଣ କ୍ଷମତାକୁ ହିସାବକୁ ନେଇ ପ୍ରଥମେ ବୁଡି ଅଞ୍ଚଳର ଆକଳନ କରାଯାଉ। ବୁଡ଼ି ଅଞ୍ଚଳର ତଥ୍ୟ ସଠିକ୍‌ ଭାବେ ଜଣାପଡ଼ିଲେ ପ୍ରଭାବିତ ଗ୍ରାମ ଏବଂ ବିସ୍ଥାପିତ ହେବାକୁ ଥିବା ଜନତାଙ୍କୁ ଚିହ୍ନଟ କରାଯାଇପାରିବ। ସେହି ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯାଇପାରିବ। ନଚେତ ଜନଶୁଣାଣିର କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଦେଇଛନ୍ତି। ପ୍ରକଳ୍ପର ଜଳଧାରଣ କ୍ଷମତା ୫୦ଲକ୍ଷ କ୍ୟୁସେକକୁ ବୃଦ୍ଧି ସଂପର୍କିତ ସମସ୍ତ ତଥ୍ୟ ଏବଂ ଦସ୍ତାବିଜ ଓଡ଼ିଶା ସରକାରଙ୍କ ଅବଗତି ପାଇଁ ଅଦ୍ୟାବଧି ଦିଆଯାଇନାହିଁ ବୋଲି ପ୍ରତିଜବାବରେ କୁହାଯାଇଛି।
ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ ପାଇଁ ସାବେରୀ ଓ ସିଲେରୁ ନଦୀରେ ଆଡ଼ିବନ୍ଧ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ଜଳଭଣ୍ଡାର ଡିଜାଇନ ପରିବର୍ତ୍ତନ ବଦଳରେ ଆଡିବନ୍ଧ ଡିଜାଇନରେ ପରିବର୍ତ୍ତନ କରି ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ କରିବା ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଦର୍ଶାଇଛି। ଆଡିବନ୍ଧ ନିର୍ମାଣ ଦ୍ୱାରା ବର୍ଷାଜଳ ନିଷ୍କାସନ ହୋଇ ନପାରି ଅଧିକ ସମସ୍ୟା ସୃଷ୍ଟି କରିବ। ଆଡିବନ୍ଧ ନିର୍ମାଣ ଦ୍ୱାରା ବ୍ୟାପକ ଗଛକଟା ଆଶଙ୍କା ମଧ୍ୟ ରହିଛି। କେତେ ସଂଖ୍ୟକ ଗଛ କଟା ଗଲେ ଆଡିବନ୍ଧ ନିର୍ମାଣ କରାଯାଇପାରିବ ସେନେଇ କୌଣସି ଅନୁଧ୍ୟାନ କରାଯାଇନାହିଁ। ଆଡ଼ିବନ୍ଧ ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାର କହିଛନ୍ତି।
ବର୍ତ୍ତମାନ ବିନା ପରିବେଶ ପ୍ରଭାବ ଆକଳନରେ ପୋଲାରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯିବା ଉଚିତ ନୁହେଁ ବୋଲି କୁହାଯାଇଛି। ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଜନଜାତି ପ୍ରଭାବିତ ହେବା ସହ ବ୍ୟାପକ ଅଞ୍ଚଳ ବୁଡ଼ି ଏବଂ ଜୈବ ବିବିଧତା ନଷ୍ଟ ହେବ ବୋଲି ପ୍ରତିଜବାବରେ ଦର୍ଶାଯାଇଛି। ବନ୍ୟାଜଳ ନିଷ୍କାସନ ପାଇଁ ସ୍ପିଲୱେଏ ଗେଟ ନିର୍ମାଣ ଡିଜାଇନ ପରିବର୍ତ୍ତନ କରାଯାଇଛି ଏବଂ ପଛୁଆ ବନ୍ୟାଜଳ ସମସ୍ୟା ସହ ଏହାର କୌଣସି ସଂପର୍କ ନାହିଁ ବୋଲି ଆନ୍ଧ୍ର ପ୍ରଦେଶ ସରକାରଙ୍କ ତଥ୍ୟକୁ ରାଜ୍ୟ ସରକାର ଖାରଜ କରିବା ସହ ପ୍ରକଳ୍ପ ଡିଜାଇନ ପରିବର୍ତ୍ତନ ବେଳେ ଓଡ଼ିଶା ସରକାରଙ୍କ ମତାମତ ନିଆଯାଇନାହିଁ ବୋଲି ପ୍ରତିଜବାବରେ ଦର୍ଶାଯାଇଛି।

Leave A Reply