ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଜୟପୁର ହାଇସ୍କୁଲର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କୁ ରୁପା ତାରକସିର ଏକ ଉପହାର ପ୍ରଦାନ କରିଛନ୍ତି। ଶ୍ରୀ ମିଶ୍ରଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରି ଶିକ୍ଷାଦାନ କ୍ଷେତ୍ରରେ ସେ ଉଚ୍ଚ ଆଦର୍ଶ ସୃଷ୍ଟି କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଶିକ୍ଷାଦାନ ପଦ୍ଧତି ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।ଶିକ୍ଷାଦାନରେ ଉତ୍କର୍ଷ ପାଇଁ ଶ୍ରୀ ମିଶ୍ର ୨୦୧୭ ଲାଗି ଜାତୀୟ ପୁରସ୍କାର ପାଇଛନ୍ତି। ଗଣିତ ଓ ବିଜ୍ଞାନ ପରି ଜଟିଳ ବିଷୟଗୁଡ଼ିକୁ ପିଲାଙ୍କୁ ସରଳ ଭାଷାରେ ବୁଝାଇବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
ସୂଚନା ଯୋଗ୍ୟ ଯେ ଶ୍ରୀ ମିଶ୍ରଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୦ବର୍ଷର ଅଭିଜ୍ଞତା ରହିଛି। କୋରାପୁଟ ଜିଲାର ବିଭିନ୍ନ ସ୍କୁଲରେ ସେ ଶିକ୍ଷାଦାନ କରିଛନ୍ତି ଓ ବର୍ତ୍ତମାନ ସେ ଜୟପୁର ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରୁଛନ୍ତି। ୨୦୧୫ରେ ସେ ଏକ୍ସପେରିମେଣ୍ଟ ନାମକ ଏକ ପୁସ୍ତକ ରଚନା କରିଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ବିଭିନ୍ନ ପଦାର୍ଥକୁ ବ୍ୟବହାର କରି ଗଣିତର ବିଭିନ୍ନ ମଡେଲ୍ ଓ ବିଜ୍ଞାନର ବିଭିନ୍ନ ପରୀକ୍ଷାଗୁଡ଼ିକୁ କିପରି ସରଳ ଭାବରେ ବୁଝାଇ ହେବ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାସହିତ ସେ କୋରାପୁଟ ପରି ପଛୁଆ ଅଞ୍ଚଳର ପିଲାମାନେ କିପରି ଜାତୀୟ ମେରିଟ୍ ସ୍କଲାରସିପ୍ ପାଇପାରିବେ, ସେଥିପାଇଁ ଏକ ମଡ୍ୟୁଲ୍ ମଧ୍ୟ ତିଆରି କରିଛନ୍ତି। ଏହାସହିତ ସେ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ରେ ମଧ୍ୟ ତାଙ୍କ ଗବେଷଣାତ୍ମକ ରଚନା ପ୍ରକାଶ କରିଛନ୍ତି।
ଶ୍ରୀ ମିଶ୍ର ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ସ୍କୁଲର ବିକାଶ ପାଇଁ ସେ ଅନେକ ଦିନ ଧରି କାମ କରିଆସୁଛନ୍ତି। ଜୟପୁର ହାଇସ୍କୁଲର ବିକାଶ ପାଇଁ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ମୋ ସ୍କୁଲ ଅଭିଯାନ ଆରମ୍ଭ ପରେ ସେ ଏଥିରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।