ସେପ୍ଟେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷହେବା ନେଇ ଆଶଙ୍କା

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆଉ ମାତ୍ର ୮୨ ଦିନ ପରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗଇ ଚାଲିଛି। ପ୍ରତିଯୋଗିତାକୁ ଶ୍ରେଷ୍ଠ ଆୟୋଜନରେ ପରିଣତ କରିବା ନେଇ ମଧ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଷ୍ଟାଡ଼ିୟମରେ ଚାଲିଥିବା ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ସମୟ ପରେ ସମୟ ଗଡ଼ିବାରେ ଲାଗିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ଏଥିନେଇ ଆଶା ଓ ଆଶଙ୍କା ସୃଷ୍ଟିହୋଇଛି।
ହକି ବିଶ୍ୱକପ ଲାଗି ଷ୍ଟାଡ଼ିୟମରେ ଗ୍ୟାଲେରୀ ସଂପ୍ରସାରଣ କରାଯାଇଛି। ପୂର୍ବରୁ ଷ୍ଟାଡ଼ିୟମର ଦର୍ଶକ କ୍ଷମତା ୬ ହଜାର ଥିବାବେଳେ ଏବେ ଏହାକୁ ୨୦ ହଜାରକୁ ବୃଦ୍ଧି କରାଯାଇଛି। ପ୍ରସ୍ତୁତି କାର୍ଯ୍ୟ କେବଳ ମୁଖ୍ୟ ହକି ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡ ନୂତନ ଟର୍ଫ ବିଛାଯିବା କାର୍ଯ୍ୟ ଓ ଫ୍ଲଡଲାଇଟ୍‍ ଯାଞ୍ଚ ଓ ନୂତନ ବଲ୍‍ବ ଲଗାଯିବା କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟାନ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ନୂତନ ଭାବେ ସଂପ୍ରସାରିତ ହୋଇଥିବା ଗ୍ୟାଲେରୀ କାର୍ଯ୍ୟ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ପ୍ରଥମତଃ ନୂତନ ଗ୍ୟାଲେରୀ କାର୍ଯ୍ୟ ଜୁଲାଇ ଓ ପରେ ଅଗଷ୍ଟ ସୁଦ୍ଧା ଶେଷ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜୁଲାଇ ଓ ଅଗଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହୋଇନପାରିବାରୁ ଏବେ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଷ୍ଟାଡ଼ିୟମର ସମସ୍ତ ଗ୍ୟାଲେରରେ ଚେୟାର ବ୍ୟବସ୍ଥା ଓ ନୂତନ ଭାବେ ନିର୍ମିତ ଗ୍ୟାଲେରୀରେ କାର୍ଯ୍ୟ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ମୁଖ୍ୟ ପ୍ରବେଶ ପଥକୁ ଅଧିକ ସଂପ୍ରସାରିତ କରାଯାଇଛି। ପୂର୍ବରୁ ରହିଥିବା ପ୍ରବେଶ ପଥକୁ ଭାଙ୍ଗିଦିଆଯାଇ ଏହାକୁ ଚଉଡା କରାଯାଇଛି। ଉକ୍ତ କାର୍ଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଷ୍ଟାଡ଼ିୟମ ପାର୍କିଂ ଅଞ୍ଚଳ, ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଷ୍ଟାଡ଼ିୟମ ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରି ସନ୍ତୋଷବ୍ୟକ୍ତ କରିବା ସହ ଚଳିତ ସେପ୍ଟେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରତିଯୋଗିତା ଆଉ ୩ ମାସରୁ କମ୍‍ ସମୟ ରହିଥିବାବେଳେ ଏବେ ପ୍ରସ୍ତୁତି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ନେଇ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏ ସମ୍ପର୍କରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କୁହନ୍ତି, ଷ୍ଟାଡ଼ିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚଳିତ ସେପ୍ଟେମ୍ବର ସୁଦ୍ଧା ଶେଷ କରାଯିବ। ଯାହା ଛୋଟଛୋଟ କାର୍ଯ୍ୟ ରହିବ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହେବ ବୋଲି କହିଛନ୍ତି।

kalyan agarbati
Leave A Reply