କଟକ : ଉଜ୍ବେକିସ୍ତାନର ତାସକେଣ୍ଟରେ ଆୟୋଜିତ ୧୮ ବର୍ଷରୁ କମ୍ ବାଳିକା ଏସୀୟ ରଗ୍ବୀ ସେଭେନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ବାଳିକା ରଗ୍ବୀ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାରତୀୟ ବାଳିକା ରଗ୍ବୀ ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରିବା ସହିତ ସଫଳତା ନେଇ ଶୁଭେଚ୍ଛା ଜଣାଇଥିଲେ। ତୁମର ଚମତ୍କାର ପ୍ରଦର୍ଶନ ପାଇଁ ଦେଶ ଗର୍ବିତ। ସ୍ବର୍ଣ୍ଣ ପଦକ ହରାଇଥିଲେ ମଧ୍ୟ ତୁମେ ପ୍ରଦର୍ଶନ ମାଧ୍ୟମରେ ହୃଦୟ ଜିତି ପାରିଛ। ତୁମମାନଙ୍କ ଏହି ଯାତ୍ରା ଆଗାମୀ ଦିନରେ ନିଶ୍ଚିତ ଆହୁରି ବଡ ସଫଳତା ଆଣିବା ସହିତ ଇତିହାସ ରଚିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଭାରତୀୟ ଜୁନିୟର ବାଳିକା ରଗ୍ବୀ ଦଳକୁ ପ୍ରୋତ୍ସାହନ ଲାଗି ଖେଳାଳିମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ।



