ପିପିଲି:ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜଧାନୀ ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଆଜିର ଦିନରେ ମଧ୍ୟ କଙ୍ଗାରୁ କୋର୍ଟ କରାଯାଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି । ଏହା ସାଧାରଣରେ ବିଶ୍ୱାସ ନହେଲେ ମଧ୍ୟ ଏଭଳି ଏକ ସଙ୍ଗୀନ ଘଟଣା ସଂପର୍କରେ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହେବା ପରେ ଏହା ଲୋକଲୋଚନକୁ ଆସିଛି । ପିପିଲି ଥାନା ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମର ଜଣେ ଭିନ୍ନକ୍ଷମ ମହିଳାଙ୍କ ପରିବାରକୁ କେତେକ ଗ୍ରାମବାସୀ ସାମାଜିକ ବାସନ୍ଦ କରିବା ସହ ତାଙ୍କ ପରିବାରକୁ ଗ୍ରାମରେ ଏକଘରକିଆ କରି ନିର୍ଯ୍ୟାତନା ଦେଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି ।
ତେଇସିପୁର ଅନ୍ତର୍ଗତ ପୋଟଳ ଗ୍ରାମର ଭିନ୍ନକ୍ଷମ ବିବାହିତା ମହିଳା ମମତା ପାଣି (୩୫)ଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଗ୍ରାମରେ ଥିବା ଏକ ଦେବୋତ୍ତର ଜମିରେ ତାଙ୍କ ସ୍ୱାମୀ ପଞ୍ଚାନନ ପାଣି ଦୀର୍ଘବର୍ଷ ଧରି ଏକ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ମମତା ପାଣି ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମା ଭତ୍ତା ପାଉଥିବା ବେଳେ ସ୍ୱାମୀଙ୍କ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ପରିବାର ଚଳେ । ତେବେ ଗ୍ରାମ୍ୟ କମିଟିକୁ ମାସିକ ୨ହଜାର ଟଙ୍କା ଲେଖାଏଁ ଚାନ୍ଦା ଦେବାକୁ କେତେକ ଗ୍ରାମବାସୀ ପଞ୍ଚାନନଙ୍କୁ କହିଥିବା ବେଳେ ପଞ୍ଚାନନ ଚାନ୍ଦା ଦେଇପାରିବେ ନାହିଁ ବୋଲି ନିଜର ଅକ୍ଷମତା ପ୍ରକାଶ କରିଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ଉକ୍ତ ଲୋକେ ଗତ ଅପ୍ରେଲ ମାସରେ ଏକ ଗ୍ରାମସଭା ଡକାଇ କଙ୍ଗାରୁ କୋର୍ଟ କରି ପଞ୍ଚାନନଙ୍କୁ ଚାନ୍ଦା ଦେବା ପାଇଁ ବାଧ୍ୟ କରିବା ସହ ଅପମାନିତ କରି ବିଭିନ୍ନ ଧମକଚମକ ଦେଇଥିଲେ । ଚାନ୍ଦା ଦେବାକୁ ପଞ୍ଚାନନ ନିଜର ଅକ୍ଷମତା ପ୍ରକାଶ କରିବାରୁ ତାଙ୍କ ପରିବାର ସହ କୌଣସି ଗ୍ରାମବାସୀ ସଂପର୍କ ନରଖିବାକୁ ଉକ୍ତ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଥିଲା । ତାଙ୍କ ପରିବାର ସହ ଯିଏ କଥା ହେବ ୧ହଜାର ଟଙ୍କା ଗ୍ରାମ୍ୟକମିଟିକୁ ଜୋରିମନା ଦେବ ଏପରିକି ତାଙ୍କ ଦୋକାନରୁ ଯିଏ ସଉଦା କିଣିବ ସେ ୫ହଜାର ଟଙ୍କା ଜୋରିମାନା ଦେବ ବୋଲି ନିଷ୍ପତ୍ତି ହୋଇଥିଲା । ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ତାଙ୍କ ସାନପୁଅକୁ ଟ୍ୟୁସନ କରୁଥିବା ଶିକ୍ଷକଙ୍କୁ ମଧ୍ୟ ମନା କରାଯିବା ପରେ ଉକ୍ତ ଶିଶୁଟି ଏବେ ପାଠ ପଢାରେ ବିଶେଷ ସମସ୍ୟାର ସମ୍ମୁଖିନ ହେଉଛି । ତାଙ୍କ ପରିବାରକୁ ଗ୍ରାମରେ ଏକ ଘରକିଆ କରାଯାଇଛି । ତାଙ୍କ ପରିବାର ସହ କେହି କଥାବାର୍ତ୍ତା କରୁନଥିବା ବେଳେ ପରିବାର ସଦସ୍ୟଙ୍କୁ ରାସ୍ତାଘାଟରେ ଟାହିଟାପରା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ମନ୍ଦିରରେ ମଧ୍ୟ ଠାକୁରଙ୍କ ଠାରେ ଭୋଗ କରିବାରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ପରିସ୍ଥିତିରେ ପଞ୍ଚାନନଙ୍କ ତେଜରାତି ଦୋକନଟି ଏବେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ସେ ରୋଜଗାର ହରାଇଛନ୍ତି । ଫଳରେ ତାଙ୍କ ପରିବାର ଏବେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛି । ଏ ସଂପର୍କରେ ମମତା ଗତ ଅପ୍ରେଲ ୧୩ ତାରିଖରେ ସାତଶଙ୍ଖ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ପରେ ସେ ଏସଂପର୍କରେ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି ଓ ପୁରୀ ଏସ୍ପିଙ୍କୁ ଡାକ ଯୋଗେ ଅଭିଯୋଗ କରିଥିଲେ । ମମତାଙ୍କ ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ପୁରୀ ଜିଲାପାଳଙ୍କ ନିକଟକୁ ଏକ ପତ୍ର ମଧ୍ୟ ଯାଇଥିଲା । ଏସବୁ ସତ୍ତେ୍ୱ କୌଣସି ନ୍ୟାୟ ନମିଳିବାରୁ ଶେଷରେ ମମତା ଏନେଇ ଓଡିଶା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ମମତା ଜଣେ ଭିନ୍ନକ୍ଷମ ମହିଳା ହୋଇଥିବା ବେଳେ ତାଙ୍କ ପରିବାର ଉପରେ ଗ୍ରାମବାସୀମାନେ ଲଗାତର ଭାବେ ଅତ୍ୟାଚାର କରୁଥିବା ସଂପର୍କରେ ଆଡ୍ଭୋକେଟ୍ ଲିଙ୍ଗରାଜ ମହାନ୍ତି କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଅଭିଯୋଗକାରିଣୀ ଭିନ୍ନକ୍ଷମ ମହିଳା ମମତା ଓ ତାଙ୍କ ପରିବାର ପ୍ରତି ଯଦି କେହି ବିପଦ ସୃଷ୍ଟି କରେ ତେବେ ଆଇନ ଅନୁଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପିପିଲି ଆଇଆଇସିଙ୍କୁ ମାନବାଧିକାର କମିଶନ ଗତ ୨୩ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଗତ ୧୩-୦୪-୨୦୨୧ରେ ମମତା ପୁଲିସ ନିକଟରେ କରିଥିବା ଅଭିଯୋଗର ତଦନ୍ତ କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ କମିଶନ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଂପର୍କରେ ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କୁ ପଚାରିବାରେ ମାନବାଧିକାର କମିଶନଙ୍କ ଆଦେଶ ମିଳିବା ପୂର୍ବରୁ ମମତାଙ୍କ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ।
ତେବେ ଏ ସଂପର୍କରେ ପୋଟଳ ଗ୍ରାମ୍ୟ କମିଟିର ସଂପାଦକ ବୈକୁଣ୍ଠ ସ୍ୱାଇଁଙ୍କୁ ପଚାରିବାରେ ସେ କଙ୍ଗାରୁ କୋର୍ଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗ୍ରାମରେ ଥିବା ଠାକୁରଙ୍କ ସଂପତ୍ତିକୁ ଭୋଗଦଖଲ କରୁଥିବା ବ୍ୟକ୍ତିମାନେ ଠାକୁରଙ୍କ ଦୈନନ୍ଦିନ ପୂଜାନିତୀ ପାଇଁ ବାର୍ଷିକ କିଛି ଅର୍ଥ ଗ୍ରାମ୍ୟ କମିଟିକୁ ଦେଇଥାନ୍ତି । ଠାକୁରଙ୍କ ଜମିରେ ଦୋକାନ କରିଥିବା ଅନ୍ୟ ବ୍ୟକ୍ତିମାନେ ଠାକୁରଙ୍କ ଦୈନନ୍ଦିନ ସେବାନିତୀ ପାଇଁ ଦାନଅର୍ଥ ଦେଉଥିବା ବେଳେ ପଞ୍ଚାନନ ଗତ କିଛି ବର୍ଷ ହେଲା କୌଣସି ଅର୍ଥ ଦେଉନାହାନ୍ତି । ଏ ସଂପର୍କରେ ଗ୍ରାମ୍ୟକମିଟି ପକ୍ଷରୁ ପୂର୍ବରୁ ଫାଣ୍ଡି ପୁଲିସର ଦ୍ୱାରସ୍ଥ ମଧ୍ୟ ହୋଇଛୁ । ଅଭିଯୋଗକାରିଣୀଙ୍କ ପରିବାରକୁ ଆମେ କୌଣସି ପ୍ରକାର ବାଧା ଦେଇନାହୁଁ ବୋଲି ଶ୍ରୀସ୍ୱାଇଁ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।



