ଭାରତକୁ ଆସିବା ପାଇଁ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କୁ କେବଳ ଜରୁରୀକାଳୀନ ଭିସା ବା ଇ-ଭିସା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଅନେକ ଆଫଗାନିସ୍ତାନ ନାଗରିକଙ୍କ ପାସପୋର୍ଟ ଜବତ କିମ୍ବା ହଜିଯିବା ଖବର ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତରେ ଥିବା ଆଫଗାନିସ୍ତାନ ନାଗରିକଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆଫଗାନ ନାଗରିକଙ୍କ ପୁରୁଣା ଭିସା ଅବୈଧ ବିବେଚନା କରାଯିବ ବୋଲି ମନ୍ତ୍ରାଳୟ କହିଛି।
ଆଫଗାନିସ୍ତାନରେ ଜାରି ସଂକଟଜନକ ପରିସ୍ଥିତି ଏବଂ ଭିସା ଜାରି ପ୍ରକ୍ରିୟାକୁ ସରଳ କରାଯାଇଥିବାରୁ ଏବେଠାରୁ ସମସ୍ତ ଆଫଗାନିସ୍ତାନ ନାଗରିକ କେବଳ ଇ-ଭିସା ଜରିଆରେ ଭାରତ ଆସି ପାରିବେ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଗୃହ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ଏବେ ଭାରତରେ ରହୁ ନଥିବା କିଛି ଆଫଗାନିସ୍ତାନ ନାଗରିକଙ୍କ ପାସପୋର୍ଟ ହଜିଯାଇଥିବା ଅଭିଯୋଗ ଆସିବା ପରେ ସେଗୁଡିକ ଅବୈଧ ଘୋଷଣା କରାଯାଇଛି। ଭାରତ ଭ୍ରମଣ କରିବାକୁ ବା ଆସିବାକୁ ଚାହୁଁଥିବା ଆଫଗାନିସ୍ତାନ ନାଗରିକଙ୍କୁ ଭିସା ପାଇଁ ଭାରତ ସରକାରଙ୍କ ପୋର୍ଟାଲରେ ଇ-ଭିସା ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ।



