ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

0

କୋକସରା : ଆମପାଣି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟିହୋଇଛି। ମୃତ ମହିଳାଙ୍କ ଶାଶୁଘର ଲୋକ ଏହାକୁ ଆତ୍ମହତ୍ୟାବୋଲି କହୁଥିବାବେଳେ ମୃତ ଯୁବତୀଙ୍କ ବାପ ଘର ଲୋକ ଏହାକୁ ଏକ ଷଡଯନ୍ତ୍ର ହତ୍ୟା ବୋଲି କହିଛନ୍ତି। ଏନେଇ ମୃତ ମହିଳାଙ୍କ କକା କୁବେର ରାଉତ ଆମପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସରୁ ମିଳିଥିବା ସୁଚନାନୁଯାୟୀ ଗତ ଦେଢ଼ ବର୍ଷ ତଳେ ଜୟପାଟଣା ଥାନା ଅନ୍ତର୍ଗତ ଭଇଁରିପାଲି ଗ୍ରାମର କୁବେର ରାଉତଙ୍କ ଝିଆରୀ ଦେବକୀଙ୍କ ସହ ନୁଆଗାଁ ଗ୍ରାମର ଦୁର୍ଯ୍ୟନ ସୁନାନୀଙ୍କ ବିବାହ ହୋଇଥିଲା। କିଛି ଦିନ ଖୁସିରେ ରହିବା ପରେ ଗତ ୫ା୬ମାସ ହେବ ଦେବକୀଙ୍କୁ ଶାଶୁଘର ଲୋକ ନିର୍ଯ୍ୟାତନା ଦେଉଥିଲେ। ତେବେ ବୈବାହିକ ଜୀବନରେ ଏଭଳି ଛୋଟମୋଟ ଘଟଣା ଘଟେ ବୋଲି ଦେବକୀଙ୍କୁ ତାଙ୍କ ବାପ ଘର ଲୋକେ ବୁଝାଇ ଆସୁଥିଲେ। ହଠାତ ରବିବାର ଦିନ ତାଙ୍କ ଝିଅ ଝାଡାବାନ୍ତିରେ ମରିଯାଇଥିବାନେଇ ଦୁର୍ଯ୍ୟନଙ୍କ ପଡୋଶୀ ଲୋକ ଭଇଁରିପାଲିକୁ ଫୋନ କରି ଜଣାଇଥିଲେ। ହଠାତ କୌଣସି କାରଣ ନଥାଇ ଝିଅ ଝାଡାବାନ୍ତିରେ ମରିବା ଘଟଣାକୁ କୁବେର ସହଜରେ ବିଶ୍ୱାସ କରିପାରିନଥିଲେ। ନୂଆଗାଁ ଆସିବା ପରେ ବେକରେ ରଶି ଦେଇ ତାଙ୍କ ଝିଆରୀ ଆତ୍ମହତ୍ୟା କରିଥିବା ନେଇ କୁଆଡେ ଦୁର୍ଯ୍ୟନଙ୍କ ପରିବାର ଲୋକେ ସୂଚନା ଦେଇଥିଲେ। ଯାହାକୁ ନେଇ କୁବେରଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି କୁବେର ଏନେଇ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ମାମଲାରେ ଦୁର୍ଯ୍ୟନକୁ ଅଟକ ରଖିଛି। କିନ୍ତୁ ସଂଧ୍ୟା ହେବାରୁ ପୁଲିସ ଶବକୁ ଜଗି ରହିଛି। ସୋମବାର ଦିନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ କରାଯିବ ବୋଲି ଆମପାଣି ପୁଲିସ ସୂଚନା ଦେଇଛି।

Leave A Reply