ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ବିଫଳ ହୋଇଥିବା ଭାରତୀୟ ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍ ମାନସିକ ସ୍ତରରେ ବେଶ୍ ଆଘାତ ପାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସର ମହିଳା ୫୩ କେଜି ଫ୍ରିଷ୍ଟାଇଲ୍ କୁସ୍ତି ବିଭାଗରେ ବିନେଶ ଶୀର୍ଷ ମାନ୍ୟତାପ୍ରାପ୍ତ ମଲ୍ଲଯୋଦ୍ଧା ଥିଲେ। ସେ ପଦକ ଜିତିବେ ବୋଲି ସମସ୍ତେ ଆଶାବାଦୀ ଥିଲେ। ତେବେ ବିନଶେ କ୍ବାର୍ଟର ଫାଇନାଲରେ ବେଲାରୁଷର ମଲ୍ଲଯୋଦ୍ଧାଙ୍କ ଠାରୁ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଭାରତ ଫେରିବା ପରେ ଟୋକିଓରେ ବିଶୃଙ୍ଖଳିତ ଆଚରଣ ପାଇଁ ବିନେଶଙ୍କୁ ଭାରତୀୟ କୁସ୍ତି ମହାସଂଘ ସାମୟିକ ଭାବେ ନିଲମ୍ବନ କରିବା ସହ ତାଙ୍କ ଠାରୁ ଜବାବ ମାଗିଥିଲା।
ଏ ସଂପର୍କରେ ଶୁକ୍ରବାର ଏକ ସମ୍ବାଦପତ୍ରରେ ମତ ରଖି ବିନେଶ ଦର୍ଶାଇଛନ୍ତି ଗତ କିଛିଦିନ ହେବ ଯାହା ଘଟୁଛି ତାହାକୁ ସେ ସେ ମାନସିକ ସ୍ତରରେ ବେଶ୍ ଆଘାତ ପାଇଛନ୍ତି। ଭାରତରେ ଜଣେ କ୍ରୀଡ଼ାବିତ୍ ଯେତେ ଶୀଘ୍ର ଉପରକୁ ଉଠେ ତାହା ଠାରୁ ଦ୍ରୁତଗତିରେ ତଳକୁ ଖସିଥାଏ। ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିପାରିନଥିବାରୁ ତାଙ୍କ ପାଇଁ ସବୁ କିଛି ଶେଷ ହୋଇଯାଇଥିବା ପରି ଲାଗୁଛି। ଆଗାମୀ ଦିନରେ ସେ କେବେ କୁସ୍ତି ଜଗତକୁ ଫେରିବେ ତାହା ଜାଣନ୍ତି ନାହିଁ। ଏପରିକି କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିବା ଅସମ୍ଭବ ନୁହେଁ। ତାଙ୍କ ଶରୀର ଯେତେ ଆଘାତପ୍ରାପ୍ତ ହୋଇ ନାହିଁ ତାହା ଠାରୁ ତାଙ୍କ ମନ ବେଶୀ ଆଘାତପ୍ରାପ୍ତ ହୋଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ସେ ଦୁଇଥର କରୋନା ସଂକ୍ରମିତ ହୋଇଥିଲେ। ଏହାକୁ ନେଇ ତାଙ୍କ ମାନସିକ ଅବସ୍ଥା କେହି ବୁଝିବା ପରିସ୍ଥିତିରେ ନ ଥିଲେ। ଅନ୍ୟ ଦେଶର କ୍ରୀଡ଼ାବିତ୍ମାନେ ମାନସିକ ସ୍ବାସ୍ଥ୍ୟ ଠିକ୍ ନ ଥିବା ଦର୍ଶାଇ କ୍ରୀଡ଼ା ପ୍ରତିଯୋଗିତାରୁ ଓହରି ଗଲେ ସମସ୍ତେ ସେମାନଙ୍କୁ ପ୍ରଶଂସା କରିଥାନ୍ତି। ତେବେ ଭାରତରେ ମାନସିକ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ପ୍ରତିଯୋଗିତାରୁ ଓହରି ଯିବା ପାଇଁ ଇଚ୍ଛା ପ୍ରକାଶ କରିବା ବଡ଼ ଅପରାଧ ବୋଲି ବିନେଶ କ୍ଷୋଭର ସହ କହିଛନ୍ତି।


