www.samajalive.in
Sunday, December 14, 2025
16.1 C
Bhubaneswar

ପରୀକ୍ଷାରେ ବିଫଳ; ଜୀବନରେ ସଫଳ

ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ପ୍ରମାଣପତ୍ର ହାସଲ କରିବା ଏକ ଚିରାଚରିତ ପ୍ରଥା। ଏହାକୁ ଧରି ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଚାକିରି ଅନ୍ୱେଷଣ କରାଯାଏ। କେହି କେହି ଚାକିରି ପାଇଥାନ୍ତି; କିନ୍ତୁ ଅନେକ ହତାଶ ହୋଇଥାନ୍ତି। ତେବେ ଜାଣିଛନ୍ତି କି ପୃଥିବୀର ବହୁ ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତି ଉଚ୍ଚଶିକ୍ଷା ହାସଲ କରିନାହାନ୍ତି। ଆଉ ବଡ଼କଥା ହେଲା ସେମାନେ ବହିରେ ଡୋରି ବାନ୍ଧି ଅଧାରୁ ପାଠପଢ଼ା ଛାଡ଼ି ନିଜ ରୁଚି ଅନୁଯାୟୀ ନିଜ ବୃତ୍ତିରେ ନିୟୋଜିତ ହୋଇଛନ୍ତି। ଏହାକୁ କୁହାଯାଏ ଆତ୍ମନିର୍ଭରଶୀଳତା ବା ଇଚ୍ଛାବୃତ୍ତିି ଉଦ୍ୟମ। ଆସନ୍ତୁ ସେହି ‘ଡିଗ୍ରୀ’ବିହୀନ ସଫଳ ଇଚ୍ଛାବୃତ୍ତିି ଉଦ୍ୟମୀମାନଙ୍କବିଷୟରେ ଜାଣିବା।

ଆମେରିକାର ବିଶିଷ୍ଟ ବୈଜ୍ଞାନିକ, ଲେଖକ, ରାଷ୍ଟ୍ରନାୟକ ଏବଂ ଖବରକାଗଜ ପ୍ରକାଶକ ବେଞ୍ଜାମିନ୍‍ ଫ୍ରାଙ୍କଲିନ୍‍ ଦଶବର୍ଷରେ ଅଧାରୁ ସ୍କୁଲ ଛାଡ଼ିଲେ, କାରଣ ତାଙ୍କ ବାପା ସ୍କୁଲ ଫି ଦେବାକୁ ଅସମର୍ଥ ହେଲେ। ଆମେରିକାରେ ଯଦି ସବୁଠାରୁ ବେଶି କାହାକୁ ଲୋକେ ମନେ ପକାନ୍ତି ସେ ହେଲେ ଏହି ବ୍ୟକ୍ତି ଯାହାକୁ ସେମାନେ କହନ୍ତି ରାଷ୍ଟ୍ରପତି ନିର୍ବାଚିତ ନ ହୋଇ ସବୁଦିନ ପାଇଁ ଆମେରିକାବାସୀଙ୍କର ପ୍ରିୟ ରାଷ୍ଟ୍ରପତି ବା ରାଷ୍ଟ୍ରନାୟକ। ସେହି ଦଶା ଥିଲା ଇଂଲଣ୍ଡର ବିଶିଷ୍ଟ ବୈଜ୍ଞାନିକ ମାଇକେଲ ଫାରାଡେଙ୍କର। ଆର୍ଥିକ ଅବସ୍ଥା ପାଇଁ ପାଠ ଛାଡ଼ିଲେ। ଗୋଟିଏ ଦୋକାନରେ ବହି ବନ୍ଧେଇ କାମରେ ଜଣେ ମଜୁରିଆ ଭାବେ କାମ କରୁକରୁ ସାର ହମ୍ପ୍ରେ ଡେଭିଙ୍କ ନଜରରେ ପଡ଼ିଲେ। ତାଙ୍କ ବୈଜ୍ଞାନିକ ମ​‌େ​‌ନାବୃତ୍ତି ଦେଖି ତାଙ୍କୁ ହମ୍ପ୍ରେ ଗବେଷଣାରେ ସାହାଯ୍ୟ କଲେ ଓ ସେ ହେଲେ ବିଶିଷ୍ଟ ବୈଜ୍ଞାନିକ। ତାଙ୍କ ଉଦ୍ଭାବନ ‘ଇଲେକ୍‍ଟ୍ରୋ ମାଗ୍ନେଟିକ ମୋଟର୍‌’ ଆଜି ଘର, ବାହାର, କଳକାରଖାନା ସବୁଠାରେ ବ୍ୟବହୃତ। ସେହିପରି ଥୋମାସ୍‍ ଆଲଭା ଏଡିସନ୍‍। ବିଦ୍ୟାଳୟରେ ଶିକ୍ଷକ କହିଲେ ଏଡିସନ୍‍ ଜଣେ ଗଧ, ରୁଗ୍‍ଣ ବ୍ୟକ୍ତି ଓ ସାଧାରଣ ଜିନିଷ ବୁଝିବାକୁ ଅସମର୍ଥ। ମନ ଦୁଃଖରେ ଏଡିସନ୍‍ ତିନିମାସ ପରେ ବିଦ୍ୟାଳୟ ଛାଡିଲେ। ନିଜ ମା’ ତାଙ୍କୁ ଘରେ ପଢ଼ାଇଲେ। ଆଉ ସେହି ବ୍ୟକ୍ତି ଶହଶହ ଉଦ୍ଭାବନ କରି ବିଜ୍ଞାନ ଜଗତର ବଡ଼ ତାରକା। ଯେଉଁ ଉପକରଣଗୁଡିକ ଆମ ଜୀବନକୁ ସହଜ କରିଛନ୍ତି, ଯଥା- ବିଦ୍ୟୁତ୍‍ ବଲ୍‌ବ, ଟେଲିଫୋନ, ଗ୍ରାମୋଫୋନ ସେ ସବୁର ଉଦ୍ଭାବକ ହେଲେ ଏଡିସନ୍‍। ଆଲବର୍ଟ ଆଇନ୍‍ଷ୍ଟାଇନ୍‍ଙ୍କୁ ଶତାବ୍ଦୀର ମହାମାନବ ବା ଶ୍ରେଷ୍ଠ ବୈଜ୍ଞାନିକ ବୋଲି ସମ୍ବୋଧନ କରାଯାଏ; କାରଣ ତାଙ୍କର ଆପେକ୍ଷିକ ତତ୍ତ୍ୱ ଓ ‘କ୍ୱାଣ୍ଟମ ଥିଓରୀ’ ବିଜ୍ଞାନର ନୂଆ ମାର୍ଗଦର୍ଶକ; କିନ୍ତୁ ସେ ବି ପନ୍ଦର ବର୍ଷରେ ସ୍କୁଲ ଛାଡ଼ି ଦେଇଥିଲେ ଓ ପରେ ଡିପ୍ଲୋମା ହାସଲ କଲେ।

- Advertisement -

ଏବେ ଆସନ୍ତୁ ବିଚାର କରିବା କିଛି ଜଣାଶୁଣା ବ୍ୟକ୍ତିଙ୍କ ବାବଦରେ ଯେଉଁମାନଙ୍କୁ ଅନ୍ତତଃ ଆଜିକାର ପିଲାମାନେ ଅଳ୍ପ ବହୁତେ ଜାଣନ୍ତି। ଡିଜ୍‍ନି ପାର୍କ, ଡିଜ୍‍ନିଲ୍ୟାଣ୍ଡ, ମିକି ମାଉସ୍‍, ପିନୋଚିୟୋ, ଫାଣ୍ଟାସିଆର ନିର୍ମାତା ୱାଲଟ୍‍ ଡିଜନି, କେଏଫ୍‍ସିର ପ୍ରତିଷ୍ଠାତା କଲୋନେଲ୍‍ ସାଣ୍ଡରସ୍‍, ଉଡାଜାହାଜର ଉଦ୍‍ଭାବକ ରାଇଟ୍‌ ଭ୍ରାତା, , ଓରାକେଲ୍‍ର ପ୍ରତିଷ୍ଠାତା ଲାରୀ ଏଲିସନ୍‍, ଡେଲ କମ୍ପ୍ୟୁଟର ନିର୍ମାତା ମାଇକେଲ ଡେଲ, ଆପଲ କମ୍ପ୍ୟୁଟରର ପ୍ରତିଷ୍ଠାତା ଓ ପ୍ରଥମ ଅଧ୍ୟକ୍ଷ ଷ୍ଟିଭ୍‍ ଜବ୍‌ସ, ଫେସ୍‍ବୁକ୍‍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‍ ଗେଟ୍‍ସ୍‍, ଟୁଇଟର୍‍ର ପ୍ରତିଷ୍ଠାତା ଇଭାନ୍‍ ଉଇଲିୟମ୍‌ସ ଓ ୟୁବର୍‍ର ପ୍ରତିଷ୍ଠାତା ଟ୍ରାଭି୍‍ କାଲାନିକ୍‍ ଅଧାରୁ ସ୍କୁଲ ବା କଲେଜ ଛାଡ଼ି ନିଜ ନିଜର ବ୍ୟବସାୟ ବା ଜୀବନଜୀବିକା ପାଇଁ ଉଦ୍ୟମ ଆରମ୍ଭ କରି ଆଜି ଶୀର୍ଷରେ। ଯଦି ଏକବିଂଶ ଶତାବ୍ଦୀର ଆଧୁନିକତାର ମାନଦଣ୍ଡଗୁଡିକୁ ବିଚାରକୁ ନେବା ଓ ଜୀବନକୁ ସରଳ, ସହଜ ଓ ଆରାମଦାୟକ କରିଥିବା ଅବଦାନକାରୀଙ୍କ ତାଲିକା କରିବା ତେବେ ଏହି ବିଦ୍ୟାଳୟଛାଡ଼ ବ୍ୟକ୍ତିମାନେ ଆଗଧାଡ଼ିରେ ରହିବେ। ସେହିପରି ପ୍ରିନ୍‍ସେସ୍‍ ଡାଏନା ବିଶ୍ୱ ସୁନ୍ଦରୀ ଓ ଇଂଲଣ୍ଡର ରାଣୀ। ଷୋହଳ ବର୍ଷରେ ସ୍କୁଲ ଛାଡ଼ି କାମ ପାଇଁ ଗୀତ ଗାଇଲେ, ନାଚ କଲେ, ଛୋଟପିଲାଙ୍କ ସ୍କୁଲରେ ଚାକିରି କଲେ; କିନ୍ତୁ ଇଂଲଣ୍ଡ ରାଜକୁମାରକୁ ଭଲ ପାଇ ରାଣୀ ହେଲେ।

ଏବେ ଆସନ୍ତୁ ଭାରତ ଆଡ଼କୁ ଟିକିଏ ନଜର ପକାଇବା। କ୍ରିକେଟ ଜଗତର ଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରେ ଥିବା ସଚିନ ତେନ୍ଦୁଲକର, କପିଲ ଦେବ, ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି, ଯୁବରାଜ ସିଂ, ହାର୍ଦ୍ଦିକ୍‍ ପାଣ୍ଡ୍ୟା କେହି ବି ଉଚ୍ଚଡିଗ୍ରୀଧାରୀ ନୁହନ୍ତି। ଅତିବେଶୀରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଯାଇ ବହିରେ ଡୋରି ବାନ୍ଧି ବ୍ୟାଟ ଚାଳନା କଲେ। ଯଦି ସିନେମାଜଗତରେ ଦେଖିବା, ଅମିର ଖାନ୍‍, କମଲ ହାସନ୍‍, ଐଶ୍ୱର୍ଯ୍ୟା ରାୟ, ସଲମାନ ଖାନ୍‍, ଅକ୍ଷୟ କୁମାର ଓ ରଜନୀକାନ୍ତ ମହାବିଦ୍ୟାଳୟ ଶିକ୍ଷାରେ ବିଫଳ। ରାଜନୀତି ଜଗତର କଥା ନ କହିଲେ ଭଲ। ଜୟଲଳିତା, ରାବ୍‌ଡ଼ିଦେବୀ, କରୁଣାନିଧି, ଫୁଲନ୍‌ଦେବୀ, ରାଜୀବ ଗାନ୍ଧୀ, ଉମା ଭାରତୀଙ୍କ ଭଳି ରାଜନେତା ମହାବିଦ୍ୟାଳୟ ଡିଗ୍ରୀଧାରୀ ନୁହନ୍ତି; କିନ୍ତୁ କ୍ଷମତାର ଶୀର୍ଷରେ ଜୀବନ ଅତିବାହିତ କରିଛନ୍ତି। ଯଦି ବ୍ୟବସାୟ ଜଗତରେ ଦେଖିବା ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ। ଧୀରୁଭାଇ ଅମ୍ବାନୀ ଦଶମ ଶ୍ରେଣୀ ଅନୁତ୍ତୀର୍ଣ୍ଣ। ଭାରତର ସବୁଠାରୁ ଧନୀବ୍ୟକ୍ତି ଓ ପୃଥିବୀର ପଞ୍ଚମ ଧନୀବ୍ୟକ୍ତି ମୁକେଶ ଅମ୍ବାନୀ ଷ୍ଟାନ୍‍ଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧାରୁ ପାଠପଢ଼ା ଛାଡ଼ି ପିତାଙ୍କ ବ୍ୟବସାୟରେ ହାତ ବଢ଼ାଇଲେ। ୱିପ୍ରୋର ମାଲିକ ଅଜିମ୍‍ ପ୍ରେମଜୀ ସେଇ କଲେଜରୁ ୧୯୯୬ ମସିହାରେ ଅଧାରୁ ପାଠ ଛାଡ଼ିଲେ। ଜି ଟିଭିର ମାଲିକ ସୁଭାଷ ଚନ୍ଦ୍ର ଦଶମ କ୍ଲାସରୁ ପାଠ ଛାଡ଼ି ଦେଲେ। ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀ ବି.କମ୍‍ କରୁଥଲେ; କିନ୍ତୁ ଦ୍ୱିତୀୟ ବର୍ଷରେ ପାଠରେ ଡୋରି ବାନ୍ଧିଲେ। ଓୟୋ କମ୍ପାନୀର ପ୍ରତିଷ୍ଠାତା ଓଡ଼ିଶାର ରାୟଗଡ଼ାର ଛାତ୍ର ରିତେଶ ଅଗ୍ରୱାଲ୍‍, ଯିଏ ଦିନେ ପକେଟ୍‍ ଖର୍ଚ୍ଚ ପାଇଁ ସିମ୍‍କାର୍ଡ ବିକୁଥିଲେ, ପାଠ ଛାଡ଼ି ହୋଟେଲ ବୁକିଙ୍ଗ୍‍ ଆପ୍‍ ଓୟୋ କରି ଅଳ୍ପ ଦିନରେ କୋଟିପତି।

ଏତେଗୁଡ଼ିଏ ଉଦାହରଣ ଦେବାର ଅଭିପ୍ରାୟ କ’ଣ? ବହିରେ ଡୋରି ବାନ୍ଧିବା? ଡିଗ୍ରୀ ହାସଲ ନ କରି ବ୍ୟବସାୟ କରିବା; ସିନେମା କରିବା; ଖେଳ ଖେଳିବା? ନା ଉଦ୍ଦେଶ୍ୟ ତା ନୁହେଁ। ଅନେକ ସମୟରେ ଦେଖିବେ ପିଲାମାନେ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ନାହିଁ ବୋଲି ନିଜକୁ ତୁଚ୍ଛ ମନେ କରନ୍ତି। ଏହା ଭୁଲ୍‍। ଜୀବନ ପାଠ ଓ ବହି ପାଠ ଏକ ନୁହେଁ। ଡିଗ୍ରୀ ଓ ଦକ୍ଷତା ଏକ ନୁହେଁ। ନିଶା, ପେସା ଓ ବେଉସା ଏକ ନୁହେଁ। ଅନେକ ସ୍ୱାଧୀନଚେତା ବ୍ୟକ୍ତି ଅସାଧାରଣ ପଦକ୍ଷେପ ନେଇ ଅବିଶ୍ୱସନୀୟ ଉଚ୍ଚତାରେ ପହଞ୍ଚି ପାରିଛନ୍ତି। ଏମାନେ ଦିନ ୧୦ଟାରୁ ୫ଟା ଶୃଙ୍ଖଳାରେ ବାନ୍ଧି ହୋଇ ମେଣ୍ଢାପଲ ଭିତରେ ଯିବାକୁ ଉଚିତ୍‍ ମଣନ୍ତି ନାହିଁ। ନିଜର ରୁଚି, ଲକ୍ଷ୍ୟ, ସମୟକୁ ସମ୍ମାନ ଜଣାଇ ନିଜର ରାସ୍ତା ନିଜେ ତିଆରି କରନ୍ତି। ଏମାନଙ୍କୁ କୁହାଯାଏ ଅସାଧାରଣ କର୍ମୀ ଓ ଉଦ୍ୟମୀ। ଏମାନଙ୍କ ସଂଖ୍ୟା ସ୍ୱଳ୍ପ। ବିଲ୍‌ ଗେଟ୍‌ସଙ୍କ ଭାଷାରେ, ‘‘ସମସ୍ତ ସାଧାରଣ ଅସାଧାରଣ ହେବାକୁ ଭାବିଲେ ସାଧାରଣ ବ୍ୟବସ୍ଥା କ’ଣ ରହିବ?’’ ତେଣୁ କଲେଜ୍‍ ଅଧ୍ୟୟନ ସମସ୍ତଙ୍କ ପାଇଁ ଦରକାର। ଏହା ସତ କଥା। ଚିନ୍ତାଧାରା, ଦକ୍ଷତା, ପରିସ୍ଥିତି, ସମସ୍ତଙ୍କର ସମାନ ନୁହେଁ। କୌଣସି ଅନିଶ୍ଚିତ ବିପଦପୂର୍ଣ୍ଣ ପଦକ୍ଷେପ ନେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ।

ଶେଷରେ ଏତିକି କୁହାଯାଇପାରେ ଯେ ମାଟ୍ରିକରେ ଫେଲ ବା କଲେଜରେ ଫେଲ୍‍ ଗୋଟିଏ କମା (,) ହୋଇପାରେ, ପୂର୍ଣ୍ଣଚ୍ଛେଦ (।) ନୁହେଁ। ତେଣୁ ‘କମା’କୁ ‘ପୂର୍ଣ୍ଣଚ୍ଛେଦ’ ନ ଭାବି ପରୀକ୍ଷାରେ ବିଫଳତା କଥା ଭୁଲି ଜୀବନରେ ସଫଳତା ପାଇଁ ଲକ୍ଷ୍ୟ ରଖନ୍ତୁ। ପାଠ ଛାଡ଼ିଲେ ବି ଚେଷ୍ଟା ଛାଡ଼ନ୍ତୁ ନାହିଁ। ବହି ଛାଡ଼ିଲେ ବି ସ୍ୱପ୍ନ ଛାଡନ୍ତୁ ନାହିଁ। ରାସ୍ତା ଛାଡ଼ିଲେ ବି ଲକ୍ଷ୍ୟ ଛାଡ଼ନ୍ତୁ ନାହିଁ। ଜୀବନରେ ନିଶ୍ଚୟ ଉତ୍ତୀର୍ଣ୍ଣ ହେବେ ଓ ସାଧାରଣରୁ ଅସାଧାରଣ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories