ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଚାହୁଁନାହାନ୍ତି ଏନ୍ଡିଏର କିଛି ଦଳ: ଖୁଶ୍ୱା
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁନାହାନ୍ତି ଏନ୍ଡିଏର ଏକାଧିକ ଅଂଶୀଦାର ଦଳ। ଏନ୍ଡିଏର ସହଯୋଗୀ ରାଷ୍ଟୀୟ ଲୋକ ସମତା ପାର୍ଟି ମୁଖ୍ୟ ତଥା ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର ଖୁଶୱା ଏହା କହିଛନ୍ତି। ଅବଶ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁ ଦଳ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ଗ୍ରହଣ କରିବାକୁ ଅନିଚ୍ଛୁକ ସେ ସମ୍ପର୍କରେ ଖୁଶ୍ୱା କହିବାକୁ ମନା କରି ଦେଇଛନ୍ତି। କେତେକ ଦଳ ଏଭଳି ଆଭିମୁଖ୍ୟ ପୋଷଣ କରି ଏନ୍ଡିଏରେ ଦ୍ୱନ୍ଦ୍ୱ ଓ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ବୋଲି ଖୁଶ୍ୱା କହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କ ଦଳ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନ ମନ୍ତ୍ରୀ ରୂପେ ସ୍ୱୀକାର କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହାପୂର୍ବରୁ ଖିରିର ପ୍ରସ୍ତୁତିପ୍ରଣାଳୀ ଉପରେ ମନ୍ତବ୍ୟ ଦେଇ ଖୁଶ୍ୱା ଚର୍ଚ୍ଚାକୁ ଆସିଥିଲେ। ଖିରିର ଦୁଇ ପ୍ରମୁଖ ଉପାଦାନ ଖିର ଓ ଚାଉଳ ମଧ୍ୟରୁ ଖିର ଯାଦବମାନଙ୍କଠାରୁ ଓ ଚାଉଳ ଖୁଶ୍ୱାଙ୍କଠାରୁ ଆସିବ। ଚିନି ବ୍ରାହ୍ଣଣମାନଙ୍କଠାରୁ, ତୁଳସୀ ଚୌଧୁରୀମାନଙ୍କଠାରୁ, କାଜୁ ଦଳିତମାନଙ୍କଠାରୁ ଓ କିସ୍ମିସ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କଠାରୁ ଆସିବ। ଏହା ପରେ ସ୍ୱାଦିଷ୍ଟ ଖିରି ପ୍ରସ୍ତୁତ ହୋଇପାରିବ। ଏହି ବିଚାରଧାରାକୁ ନେଇ ସେ ଆସନ୍ତା ୨୫ ତାରିଖରୁ ସେ ଦେଶବ୍ୟାପୀ ‘ଖିର ଯାତ୍ରା’ ବା ‘ପୈଗାମ୍ ଏ ଖିର’ ଅଭିଯାନ ଆରମ୍ଭ କରିବେ ବୋଲି ଖୁଶ୍ୱା କହିଥିଲେ।