ପ୍ରକାଶ ପାଇଲା +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ, ପାସ ହାର ୯୬.୫୯%

ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ଉପଶାସ୍ତ୍ରୀ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ପରୀକ୍ଷାର ପାସ ହାର ୯୬.୫୯% ରହିଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଧରଣୀଧର ରଣା କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ସଂସ୍କୃତ ବିଦ୍ୟାଳୟ (ପୂର୍ବର +୨ ଉପଶାସ୍ତ୍ରୀ କଲେଜ)ର ୮ ହଜାର ୨୪ ଜଣ ଛାତ୍ରଛାତ୍ରୀ ମୁଖ୍ୟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୯୧୫ ଜଣ ଉତ୍ତୀର୍ଣ ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪୪ ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ୮୬୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କେତେକ କାରଣ ଯୋଗୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷାଫଳ ୱେବସାଇଟ www.orissaresults.nic.inରେ ଉପଲବ୍ଧ ହେଉଛି।

ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨୫୨ ଜଣ ପ୍ରଥମ ଶ୍ରେଣୀ, ୨୯୩୯ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୭୨୪ ଜଣ ତୃତୀୟ ଶ୍ରେଣୀ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ସଂସ୍କୃତ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ସ୍ଥାପିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଧରଣୀଧର ରଣା ପରୀକ୍ଷା ନିୟନ୍ତ୍ରକ ଭାବେ ଯୋଗ ଦେବା ପରେ ପରୀକ୍ଷା, ଫଳ ପ୍ରକାଶନ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ନିର୍ଧାରିତ ସମୟରେ ଶେଷ ହେଉଛି। ଚଳିତ ମାସ ୧୨ତାରିଖରୁ ବିଶ୍ୱବିଦ୍ୟାଳୟ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଅନଲାଇନ ମଧ୍ୟରେ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଥିବା ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

କରୋନା ସଂକ୍ରମଣ ଯୋଗୁଁ ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇ ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି।

Comments are closed.