ମୁମ୍ବଇ: ବଲିଉଡ଼ କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ ଆଜି ବି ଲୋକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରି ରହିଛି। ଜଣେ ପ୍ରସିଦ୍ଧ ଗାୟକ ସାଙ୍ଗକୁ ସେ ଅଧିକାଂଶ ସମୟରେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତି। ଏହିପରି କିଛି ବିବାଦୀୟ ମନ୍ତବ୍ୟ ପାଇଁ ଏବେ ପୁଣି ଅଭିଜିତ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ସୋସିଆଲ ମିଡିଆର ଏକ ଲାଇଭ ସେଶନରେ ସେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ ଚକ୍ରବର୍ତି କହିଛନ୍ତି । ସେ ଗାଇଥିବା ଗୀତ ଯୋଗୁ ଅକ୍ଷୟ ଷ୍ଟାର ହୋଇଛନ୍ତି ସେ ବୋଲି କହିଛନ୍ତି । ୧୯୯୨ରେ ଅକ୍ଷୟଙ୍କୁ କେହି ଜାଣି ନ ଥିଲେ । ଖିଲାଡି ଫିଲ୍ମରେ ମୁଁ ଗାଇଥିବା ‘ୱାଦା ରହା ସନମ’ ତାଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରାଇଥିଲା ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଶାହାରୁଖ ଖାନ ଏବଂ ସୁନୀଲ ସେଟ୍ଟୀଙ୍କ କ୍ୟାରିୟରରେ ମଧ୍ୟ ମୋ ଭୂମିକା ରହିଥିଲା । ସେ ସମୟରେ ସେମାନଙ୍କ ପାଇଁ ଗାଇଥିବା ଗୀତ ତାଙ୍କୁ ଲୋକପ୍ରିୟତାର ଶିଖରରେ ପହ ଞ୍ଚାଇଥିଲା ବୋଲି ସେ କହିଛନ୍ତି। ଅଭିଜିତ ନିଜର ଏଭଳି ମନ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଖୁବ୍ ଟ୍ରୋଲ୍ ହୋଇଛନ୍ତି।



