ଦାଦାବଟି ନ ଦେବାରୁ ପେଟ୍ରୋଲପମ୍ପ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ. ଥାନାରେ ମାମଲା

ବୌଦ୍ଧ : ଦିନ ଦ୍ୱିପ୍ରହରେ ଜଣେ ଆଇନଜିବୀ ତଥା ପେଟ୍ରୋଲପମ୍ପ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ବୌଦ୍ଧ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରାଧୀମାନେ ପେଟ୍ରୋଲ ପମ୍ପ ମାଲିକ ନଟବର ଅଗ୍ରୱାଲାଙ୍କଠାରୁ ଦାଦାବଟି ମାଗିବା ଓ ନଦେବାରୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ଶୁକ୍ରବାର ବୌଦ୍ଧ ଥାନା ଗମ୍ଭାରୀପଦର ସ୍ଥିତ ପେଟ୍ରୋଲ ପମ୍ପର ମାଲିକ ଅଗ୍ରୱାଲଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସେ ଗୁରୁତର ଆହତ ଓ ଅଚେତ ହୋଇ ଦୀର୍ଘ ସମୟ ପେଟ୍ରୋଲପମ୍ପ ନିକଟରେ ପଡି ରହିଥିଲେ। ଚିକିିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବାପରେ ଆଜି ଏନେଇ ଶ୍ରୀଅଗ୍ରୱାଲା ବୌଦ୍ଧ ଥାନାରେ ଅଭିଯୋଗ କରିବାପରେ ମାମଲା ରଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅଭିଯୋଗ ଅନୁସାରେ, ବୌଦ୍ଧ ସହର ଗାନ୍ଧୀଛକର ବାସିନ୍ଦା ନଟବରଙ୍କ ଗମ୍ଭାରୀପଦର ଠାରେ ଏକ ପେଟ୍ରୋଲପମ୍ପ ରହିଛି। ଶୁକ୍ରବାର ଦିନ ନଟବର ପେଟ୍ରୋଲପମ୍ପର ହିସାବପତ୍ର ବୁଝିବାକୁ ଯାଇଥିବାବେଳେ ଦୁଇଟି ମଟର ସାଇକଲରେ ୪ ଜଣ ଦୁର୍ବୃତ୍ତ ପେଟ୍ରୋଲପମ୍ପରେ ପହଞ୍ଚିଥିଲେ। ଅପରାଧୀମାନେ ପେଟ୍ରୋଲପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ ଦାଦାବଟି ମାଗି ଦୁର୍ବ୍ୟବହାର କରିଥିଲେ। ଏହାଦେଖି ନଟବର ତାଙ୍କ ପାଖକୁ ମାମଲାର ସମାଧାନ ପାଇଁ ଯାଇଥିଲେ। ମାମଲା ସମାଧାନ ପରେ ଅପରାଧୀମାନେ ଅତର୍କିତ ଭାବେ ନଟବରଙ୍କୁ ପଛରୁ ଆକ୍ରମଣ କରିଥିଲେ। କୌଣସି ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ ଦ୍ୱାରା ନଟବରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଓ ସେ ସେଠାରେ ଅଚେତ ହୋଇପଡିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀ ନଟବରଙ୍କୁ ଉଠାଇ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ତାଙ୍କ ମୁଣ୍ଡରେ ୧୮ଟି ଷ୍ଟିଚ୍ ପଡିଥିବା ବେଳେ ଶନିବାର ଦିନ ଚେତା ଫେରିଥିବା ଜଣାଯାଇଛି।

 

ଚେତା ଫେରିବା ପରେ ନଟବର ଶନିବାର ଦିନ ବୌଦ୍ଧ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲା ଭିତ୍ତିରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଥାନା ଅଧିକାରୀ ତପସ୍ୱିନୀ କହଁର କହିଛନ୍ତି। ତେବେ ପେଟ୍ରୋଲପମ୍ପ ମାଲିକଙ୍କ ଅଭିଯୋଗପତ୍ରରେ କୌଣସି ଆକ୍ରମଣକାରୀଙ୍କ ନାମ ନଥିବାବେଳେ ସୂଚନା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଦିନ ଦ୍ବିପ୍ରହରେ ଜଣେ ଆଇନଜିବୀ ତଥା ପେଟ୍ରୋଲପମ୍ପ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା ସହରର ବୁଦ୍ଧଜିବୀ ଓ ବ୍ୟବସାୟୀ ମହଲରେ ଉଦବେଗ ସୃଷ୍ଟି କରିଥିବାବେଳେ ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ଦାବି ହେଉଅଛି।

Comments are closed.