nua o banner

ଅଭିଭାବକଙ୍କ ଚିନ୍ତା

BJD Bijuli 480×75 Mob

ମହାମାରୀ ସଂକ୍ରାନ୍ତ ତଥ୍ୟରେ ଭିନ୍ନତା ଦେଖା ନ ଯାଉ

କରୋନାର ତୃତୀୟ ଲହର ଅଧିକ ସଂଖ୍ୟାରେ ଶିଶୁଙ୍କୁ ଆକ୍ରାନ୍ତ କରିବ ବୋଲି ଯାହା କୁହାଯାଉଛି ତାହା ନିରାଧାର ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଫଳରେ ଅଭିଭାବକମାନେ ଏକ ପ୍ରକାର ଆଶ୍ବସ୍ତି ପ୍ରକାଶ କରିଛନ୍ତି। କରୋନାର ତୃତୀୟ ଲହର ଆସିପାରେ। ଏଥିରେ ୧ ରୁ ୧୨ ବର୍ଷ ବୟସ୍କ ପିଲା ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇ ପାରନ୍ତି ବୋଲି କେତେକ ଚିକିତ୍ସା ବିଶେଷଜ୍ଞ ସତର୍କ କରାଇ ଦେଇଥିଲେ। ଯେତେବେଳେ ଏହି ଖବର ପଦାକୁ ଆସିଲା ସେତେବେଳେ ଅଭିଭାବକଙ୍କ ନିଦ ହଜି ଯାଇଥିଲା ା କେତେକ ରାଜ୍ୟ ସରକାର ଏଥିନେଇ ଚିନ୍ତିତ ହୋଇ ପଡ଼ିଥିଲେ। ଏପରି ହେବା ସ୍ବାଭାଭିକ; କାରଣ ଆଜିର ଶିଶୁ ହିଁ ଆସନ୍ତା କାଲିର ଭବିଷ୍ୟତ। ଏବେ ତ ଆମେ ସମସ୍ତେ ଦ୍ବିତୀୟ ଲହରକୁ ଭୋଗୁଛନ୍ତି। ଏପରି ସମୟରେ ପିଲାଙ୍କ ସୁରକ୍ଷା ଚିନ୍ତା ସଭିଙ୍କୁ ଘାରିଥିଲା। ଯାହା ହେଉ, ନୂଆ ତଥ୍ୟ ବାବଦରେ ସେପରି ବୈଜ୍ଞାନିକ କାରଣ ଜଣାପଡ଼ି ନାହିଁ ବୋଲି ମନ୍ତ୍ରଣାଳୟୟ ମତ ଦେଇଛି। କିଛି ଦିନ ପୂର୍ବେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ ଚେତାବନୀ ଦେଇ କହିଥିଲେ ଯେ କରୋନାର ତୃତୀୟ ଲହର ପିଲାଙ୍କ ପାଇଁ ସବୁଠାରୁ ବିପଜ୍ଜନକ ସାବ୍ୟସ୍ତ ହେବ। ଏମିତି କି ଏହି ଲହରରେ ଦେଶର ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୫୦ ପ୍ରତିଶତ ପିଲା ହୋଇ ପାରନ୍ତି ବୋଲି କୁହାଯାଇଥିଲା। କେବଳ ଆମ ଦେଶରେ ନୁହେଁ; ବିଦେଶରେ କିଛି ବୈଜ୍ଞାନିକ ଏପରି ଆଶଙ୍କା ପ୍ରକାଶ କରିଥିଲେ। ଏହି ତଥ୍ୟ ପଦାକୁ ଆସିବା ପରେ ଆଗୁଆ ପଦକ୍ଷେପ ଗ୍ରହଣ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଅଧିକାଂଶ ରାଜ୍ୟ ସରକାର ଏପରି ବିପଦକୁ ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିଥିଲେ। ଏପରି କି କେତେକ ରାଜ୍ୟ ସରକାର ଶିଶୁ କୋଭିଡ୍‌ ଯତ୍ନ କେନ୍ଦ୍ର ମଧ୍ୟ ଖୋଲିଛନ୍ତି।

କରୋନାର ଭିନ୍ନଭିନ୍ନ ରୂପ ପଦାକୁ ଆସିଥିବା ଏହି ମହାମାରୀର ଅତୀତକୁ ପରଖିଲେ ଜଣାପଡ଼େ। ପରିସ୍ଥିତି ଏପରି ହୋଇଛି କିଏ କ’ଣ କରୁଛି ଓ ଆଗକୁ କ’ଣ ଘଟିବ ତାହା ଅନୁମାନ ଲଗାଇବା କଷ୍ଟକର ହୋଇ ପଡ଼ିଛି। ଡାକ୍ତର ଓ ବୈଜ୍ଞାନିକମାନେ ମଧ୍ୟ ଏହାକୁ ନେଇ ବିବ୍ରତ ହୋଇ ପଡ଼ିଛନ୍ତି। ଏ ପର୍ଯ୍ୟନ୍ତ ଏହାର ସ୍ଥାୟୀ ନିରାକରଣ ବ୍ୟବସ୍ଥା ବାହାରି ପାରିନି। କେତେବେଳେ ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ହୋଇପାରେ ବୋଲି ଲାଗୁଛି ତ ଆଉ କେତେବେଳେ ନୁହେଁ। ତେବେ ପ୍ରଥମ ଓ ଦ୍ବିତୀୟ ଲହରକୁ ଦେଖିଲେ ତୃତୀୟ ଲହର ଅଧିକ ସଂଖ୍ୟାରେ ଶିଶୁଙ୍କୁ ସଂକ୍ରମିତ କରିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାହା ଭୁଲ ବୋଲି ଜଣାପଡ଼ିବ। ପ୍ରଥମ ଓ ଦ୍ବିତୀୟ ଲହର ଏ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସେତେ ବଡ଼ ବିପଦ ଆଣି ଦେଇ ନାହିଁ। କରୋନା ଭୂତାଣୁ ମାନବ ଶରୀରର ଯେଉଁ କୋଷିକା ମଧ୍ୟରେ ପ୍ରବେଶ କରି ଦୁର୍ବଳ କରିଥାଏ ତାହା ଶିଶୁଙ୍କଠାରେ କମ୍‌ ଥାଏ। ଶିଶୁଙ୍କଠାରେ ଉକ୍ତ କୋଷିକାର ଅଭିବୃଦ୍ଧି ଘଟି ନଥାଏ। ଏଥିପାଇଁ ଏହା ଶିଶୁଙ୍କ ପାଇଁ ସେତେଟା ବିପଦ ନୁହେଁ ବୋଲି ଆମେ କହିପାରିବା। ତେବେ ଏହା ଉପରେ ଅଧିକ ବୈଜ୍ଞାନିକ ଗବେଷଣା କରାଯିବା ଆବଶ୍ୟକ। ଏଥିପାଇଁ ଦୀର୍ଘ ବର୍ଷ ଲାଗିପାରେ। ଯେ ପର୍ଯ୍ୟନ୍ତ ଗାଁଠାରୁ ଆରମ୍ଭ କରି ଜିଲା, ରାଜ୍ୟ ଓ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଠିକ୍‌ ଭାବେ ଜଣା ନପଡ଼ିଛି କୌଣସି ଆଗୁଆ ଆକଳନ କରି ମନ୍ତବ୍ୟ ଦେବା ଉଚିତ୍‌ ନୁହେଁ।

ଏହି ମହାମାରୀ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସଭିଏଁ ହା-ହୁତାଶ ପରିସ୍ଥିତି ମଧ୍ୟଦେଇ ଗତି କରୁଛନ୍ତି। ମଧ୍ୟବିତ୍ତଙ୍କ ନିଯୁକ୍ତି ଓ ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାମାରୀ ସମୟରେ ଗରିବ ଶ୍ରେଣୀର ଜନସାଧାରଣଙ୍କ ରୋଜଗାର ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିଯାନ ପରି ଯୋଜନା ପ୍ରଚଳନ କରିଥିଲେ। କେବଳ ଏହି ଦୁଇ ଯୋଜନା ଯଥେଷ୍ଟ ନୁହେଁ ା କୋଭିଡ୍‌ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କୁ ଅଧିକ କିଛି ପଦକ୍ଷେପ ନେବାକୁ ପଡ଼ିବ। ଯେନତେନ ପ୍ରକାରେ ସଂକ୍ରମିତଙ୍କ ଜୀବନ ବଞ୍ଚିଯାଉ- ଏହାକୁ ହିଁ ସରକାର ଏବେ ପ୍ରାଧାନ୍ୟ ଦେଉଥିବା ମନେହେଉଛି। ତେବେ କରୋନାଜନିତ ଅନ୍ୟ ସମସ୍ୟାମାନ ମୁଣ୍ଡ ଟେକିବାରେ ଲାଗିଛି। ଯେ ପର୍ଯ୍ୟନ୍ତ ବିଶ୍ବର ପ୍ରତିଟି ବ୍ୟକ୍ତି ସୁରକ୍ଷିତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସମଗ୍ର ବିଶ୍ବ ଏହି ମହାମାରୀରୁ ମୁକ୍ତ ନୁହେଁ ବୋଲି ଧରିବାକୁ ପଡ଼ିବ। ଏପରି ସ୍ଥିତିରେ ସରକାରୀ ବାବୁ, ଅର୍ଥାତ୍‌ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବ ଯଥେଷ୍ଟ ରହିବା କଥାା ତେବେ ମହାମାରୀ ସଂକ୍ରାନ୍ତ ତଥ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି। କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅନୁମାନକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରୁଛି। ଏପରି କ୍ଷେତ୍ରରେ ଲୋକେ ବିଶ୍ବାସ କରିବେ କାହାକୁ ?

Comments are closed.