କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ ତମ ଜିଏସଟି ପରିଷଦ ସାମଗ୍ରୀ ଏବଂ ସେବା ଯୋଗାଣ ଉପରେ ଜିଏସଟି ହାରରେ ପରିବର୍ତ୍ତନ ସହ କେତେକ ସୁପାରିଶ କରିଛି। ଏଥିରେ ମେଡିକାଲ୍ ଅମ୍ଳଜାନ, ଅମ୍ଳଜାନ ସଂରକ୍ଷଣ ଏବଂ ପରିବହନ ଉପକରଣ, ଡାଇଗ୍ନୋଷ୍ଟିକ୍ ମାର୍କର୍ ଟେଷ୍ଟ କିଟ୍ ଏବଂ ଟିକା ଭଳି କେତେକ ନିର୍ଦ୍ଦିଷ୍ଟ କରୋନା ସମ୍ବନ୍ଧୀୟ ଚିକିତ୍ସା ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଶୁଳ୍କ ଛାଡ କରାଯାଇଛି। ଏହି ଛାଡ ଚଳିତ ବର୍ଷ ଅଗଷ୍ଟ ୩୧ ଯାଏଁ ଜାରି ରହିବ। ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଉପଯୋଗୀ ହେଉଥିବା ଆମ୍ପୋଟେରିସିନ-ବି ଔଷଧ ଉପରେ ମଧ୍ୟ ଏହି ଶୁଳ୍କ ଛାଡ ବ୍ୟବସ୍ତା ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଏହା ବ୍ୟତୀତ ଅଧିକ କୋଭିଡ ଚିକିତ୍ସା ସମ୍ପର୍କିତ ସାମଗ୍ରୀଗୁଡିକୁ ଏହି ରିହାତି ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନ କରାଯାଇଛି ଓ ସେହି ଗୋଷ୍ଠୀ ଆସନ୍ତା ମାସ ୮ ତାରିଖ ସୁଦ୍ଧା ତାର ରିପୋର୍ଟ ଦାଖଲ କରିବ ବୋଲି ସୀତାରମଣ କହିଛନ୍ତି। ସେହିପରି ଅଙ୍ଗନବାଡି ସମେତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଯୋଜନା ଓ ଜାତୀୟ ପରୀକ୍ଷା ପରିଷଦ ଓ କେନ୍ଦ୍ର/ରାଜ୍ୟ ଶିକ୍ଷା ବୋର୍ଡ ପରିଚାଳିତ ପରୀକ୍ଷା ପାଇଁ ଆଦାୟ ହେଉଥିବା ଦେୟ ଉପରେ ମଧ୍ୟ ଜିଏସଟି ଛାଡ କରାଯାଇଛି।



