କାରାଗାରରେ ମା’ଙ୍କ ସହ ବନ୍ଦୀ ଜୀବନ କାଟୁଛନ୍ତି ୩ ନିଷ୍ପାପ ଶିଶୁ

ବ୍ରହ୍ମପୁର: କାରାଗାରରେ ବନ୍ଦୀ ଜୀବନ ଏକ ଅଭିଶପ୍ତ ​। କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଗିରଫ ହୋଇ କିଛି ପୁରୁଷ ଓ ମହିଳା ଅଭିଯୁକ୍ତ ବିଚାରଧୀନ ବନ୍ଦୀ ଭାବେ ବିଭିନ୍ନ କାରାଗାରରେ ରହିଥାନ୍ତି। ଏବେ ଓଡ଼ିଶାର କାରାଗାର ବ୍ୟବସ୍ଥାରେ ଢେର ସଂସ୍କାର ଆସିଲାଣି। ବିଚାରାଧୀନ ବନ୍ଦୀ ଓ କଏଦୀଙ୍କୁ କାରାଗାରରେ ବହୁ ସୁବିଧାସୁଯୋଗ ତଥା ସ୍ବାଧୀନତା ମିଳୁଛି। କଏଦୀଙ୍କୁ କାରାବକାଶରେ ମଧ୍ୟ ଛଡ଼ା ଯାଉଛି। ଏହା ସତ୍ତ୍ବେ କାରାଗାରରେ ରହିବାକୁ ହେଲେ ଅନେକ କଟକଣା ଓ ନିୟମ ପାଳନ କରିବାକୁ ପଡିଥାଏ। ଏହା ହିଁ ବନ୍ଦୀ ଜୀବନର ବ୍ୟଥା। ଅଧିକାଂଶ ପୁରୁଷ ଓ କିଛି ମହିଳା ଅପରାଧ କରି କିମ୍ବା କୌଣସି ମାମଲାରେ ଅଭିଯୁକ୍ତ ହୋଇ କିଛିବର୍ଷ କିମ୍ବା ମାସ ଜେଲ୍‌ରେ ବିତାଇଥାନ୍ତି। କିନ୍ତୁ କୌଣସି ଅପରାଧ କରିନଥିବା ତଥା ଅପରାଧ କ’ଣ ଜାଣିବା ପୂର୍ବରୁ କେତକେ ଶିଶୁ ନିଜ ମା’ଙ୍କ ସହ କାରଗାରରେ ବନ୍ଦୀ ଜୀବନ କଟାଇଥାନ୍ତି।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏହିଭଳି ୩ ନିଷ୍ପାପ ଶିଶୁ ଏବେ ନିଜ ମା’ମାନଙ୍କ ସହିତ କାରାଗାରରେ ରହିଛନ୍ତି। ହତ୍ୟା ଅପରାଧରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଆସିଥିବା ଜଣେ ମହିଳାଙ୍କ ୨ ଶିଶୁ ପୁତ୍ର ଗତ ଦୁଇବର୍ଷ ହେଲା ଏହି କାରାଗାରରେ ମା’ଙ୍କ ସହିତ ରହିଛନ୍ତି। ୨ ଶିଶୁଙ୍କ ମଧ୍ୟରୁ ଜଣକର ବୟସ ୫ବର୍ଷ ଏବଂ ଆଉ ଜଣକର ବୟସ ୨ ବର୍ଷ। ମହିଳା ଜଣକ ଦୁଇ ବର୍ଷ ହେଲା ଜେଲ୍‌ରେ ଥିବାରୁ ଦୁଇ ଶିଶୁ ଯଥାକ୍ରମେ ୩ବର୍ଷ ଏବଂ ଏକବର୍ଷ ପରଠାରୁ ମା’ଙ୍କ ସହ ଜେଲରେ ରହିଛନ୍ତି। ସେହିପରି ଗତ ଏକମାସ ହେଲା ଜଣେ ୩ବର୍ଷ ୧୦ମାସର ଶିଶୁ ପୁତ୍ର ନିଜ ମା’ଙ୍କ ସହିତ କାରାଗାରକୁ ଆସିଛନ୍ତି। ସଂପୃକ୍ତ ମହିଳା ଜଣକ ଏକ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତ ପକସୋ ଆଇନ ଆଧାରରେ ଗିରଫ ହୋଇ କାରାଗାରକୁ ଆସିଥିଲେ। ସଂପୃକ୍ତ ୩ ମହିଳା ବନ୍ଦୀ କାରଗାରର ମହିଳା କକ୍ଷରେ ଅନ୍ୟ ବିଚାରାଧୀନ ବନ୍ଦୀଙ୍କ ସହିତ ରହୁଛନ୍ତି। କାରାଗାରରେ ରହୁଥବା ୬୦୦ରୁ ଊର୍ଦ୍ଧ୍ବ ବନ୍ଦୀଙ୍କ ମଧ୍ୟରେ ଏହି ୩ ନିଷ୍ପାପ ଶିଶୁ ରହିଛନ୍ତି। କାରାଗାର ନିୟମ ଅନୁସାରେ ସଂପୃକ୍ତ ଶିଶୁଙ୍କୁ ୬ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ ନିଜ ମା’ଙ୍କ ପାଖରେ ରହିପାରିବେ। କାରାଗାରରେ ରହିବା ସମୟରେ ସଂପୃକ୍ତ ମହିଳା ଓ ଶିଶୁଙ୍କୁ ଜେଲ୍‌ ନିୟମ ଅନୁସାରେ ସମସ୍ତ ସୁବିଧାସୁଯୋଗ ଦିଆଯାଉଥିବା ଜେଲ ସୂତ୍ରରୁ ଜଣାପଡିଛି।

Comments are closed.