www.samajalive.in
Monday, December 15, 2025
16.1 C
Bhubaneswar

ହସପିଟାଲରେ ଶଯ୍ୟାଭାବ; ରାସ୍ତାରେ ଧାଡିଲାଗିଛି ଆମ୍ବୁଲାନ୍ସ; ତାହାଭିତରେ ଶୋଇଛନ୍ତି କରୋନା ସଂକ୍ରମିତ

ଅହମଦାବାଦ: କୋଭିଡ ପାଇଁ ଦିନକୁ ଦିନ ସୃଷ୍ଟିହେଉଛି ଭୟଙ୍କର ସ୍ଥିତି। ଯେତିକି ବେଗରେ ସଂକ୍ରମଣ ମାଡିଚାଲିଛି ସେହି ଅନୁପାତରେ ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଉଛି ସ୍ୱାସ୍ଥ୍ୟସେବାରେ ନିଅଣ୍ଟ ଅବସ୍ଥା। ଏତେସଂଖ୍ୟକ ରୋଗୀଙ୍କର ଚିକିତ୍ସା ପାଇଁ ହସପିଟାଲରେ ଶଯ୍ୟାଭାବ, ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ଏବଂ ଅକ୍ସିଜେନର ଅଭାବ ସହିତ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କର ଘୋର ଅଭାବ ପରିଲକ୍ଷିତ ହେଲାଣି। ସରକାରୀ ସ୍ତରରେ ଏଥିପାଇଁ ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଆବଶ୍ୟକତା ପୂରଣଠାରୁ ବହୁଦୂରରେ। ସ୍ଥିତି ଏତେ ଖରାପ ହୋଇପଡିଛି ଯେ ଚିକିତ୍ସା ପାଇଁ କରୋନା ଆକ୍ରାନ୍ତ ଏବଂ ଅନ୍ୟ ରୋଗୀଙ୍କୁ ଧରି ଆସୁଥିବା ଆମ୍ବୁଲାନ୍ସର ଲମ୍ବାଧାଡି ଲାଗୁଛି ହସପିଟାଲ ସମ୍ମୁଖରେ। ଭୀଷଣ ଖରା ଓ ଗରମରେ ସେହି ଆମ୍ବୁଲାନ୍ସରେ ଶୋଇ ରହୁଛନ୍ତି ରୋଗୀ।
ଏହିଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଅହମଦାବାଦସ୍ଥିତ ସିଭିଲ ହସପିଟାଲରେ। ହସପିଟାଲରେ ଅକ୍ସିଜେନ ନାହିଁ କିମ୍ବା ଭେଣ୍ଟିଲେଟର ସୁବିଧା ଥିବା ଶଯ୍ୟା ଖାଲିନାହିଁ। ସେଥିପାଇଁ ମଙ୍ଗଳବାର ଅପରାହ୍ଣରେ ହସପିଟାଲ ବାହାରେ ୨୪ଟି ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ହସପିଟାଲ ବାହାରେ ଛିଡାହୋଇ ରହିଥିଲା। ପ୍ରତିଟି ଆମ୍ବୁଲାନ୍ସ ଭିତରେ ଚାଲିଥିଲା ଜୀବନ-ମୃତ୍ୟୁର ଖେଳ।
୧୫ ନମ୍ବର ଆମ୍ବୁଲାନ୍ସରେ ୨୭ବର୍ଷ ବୟସ୍କା ସ୍ଥାନୀୟ ବାସିନ୍ଦା ଫାଲଗୁନି ବେନ୍‍ ତାଙ୍କ ମା’ଙ୍କୁ ଆଣି ଆସିଥିଲେ। ତାଙ୍କ ମା’ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଆମ୍ବୁଲାନ୍ସ ଭିତରେ ସେ ମା’ଙ୍କୁ ଧରି ଅପେକ୍ଷା କରିଥିଲେ। ଏହା ଥିଲା ରାତି ପ୍ରାୟ ୯.୩୦ର ଘଟଣା। ସେତେବେଳକୁ ସେ ତିନିଘଣ୍ଟାରୁ ଅଧିକ ସମୟ ସେହିଭଳି ଆମ୍ବୁଲାନ୍ସ ଭିତରେ ବସିରହିଥିଲେ। ଏଣେ ଆମ୍ବୁଲାନ୍ସ ଭିତରେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ସେ ସ୍ୱାଭାବିକ ଭାବରେ ଶ୍ୱାସ ପ୍ରଶ୍ୱାସ ନେଇପାରୁନଥିଲେ। ଅବଶ୍ୟକ ଆମ୍ବୁଲାନ୍ସ କର୍ମଚାରୀ ତାହା ଭିତରେ ତାଙ୍କୁ ଅକ୍ସିଜେନ ଲଗାଇବା ବ୍ୟବସ୍ଥା କରିଥିଲେ।
ସେହି ଆମ୍ବୁଲାନ୍ସ ପଛକୁ ଦୁଇ ତିନିଟି ଛାଡି ଅନ୍ୟଏକ ଆମ୍ବୁଲାନ୍ସରେ ୨୭ବର୍ଷ ବୟସ୍କା ଭାବିନ ମେହଟା ତାଙ୍କର ବଡ ମା’ଙ୍କୁ ଧରି ଆସିଥିଲେ। ସେ ମଧ୍ୟ ଥିଲେ ଜଣେ କୋଭିଡ ସଂକ୍ରମିତ। ମେହଟାଙ୍କ କହିବା ଅନୁଯାୟୀ ତାଙ୍କ ବଡ ମା’ଙ୍କ ରକ୍ତରେ ଅମ୍ଳଜାନ ପରିମାଣ ସକାଳେ ୬୦%କୁ ହ୍ରାସ ପାଇଥିଲା। ଡାକ୍ତରଙ୍କ ମତରେ ଏହା ୯୦%ରୁ ହ୍ରାସପାଇଲେ ତାହା ବିପଜ୍ଜନକ ହୋଇପାରେ। ସେ ମଧ୍ୟ ଆମ୍ବୁଲାନ୍ସ ଭିତରେ ତିନିଘଣ୍ଟାରୁ ଅଧିକ ଅପେକ୍ଷା କରି ରହିଥିଲେ। ଜଣେ ଆମ୍ବୁଲାନ୍ସ ଚାଳକଙ୍କ କହିବା ଅନୁଯାୟୀ ହସପିଟାଲକୁ ଆସୁଥିବା କୋଭିଡ ସଂକ୍ରମିତ ଏକ ଶଯ୍ୟା ପାଇବାକୁ ଅନ୍ତତଃପକ୍ଷେ ୮ଘଣ୍ଟାରୁ ଅଧିକ ଅପେକ୍ଷା କରିବାକୁ ପଡୁଛି।
ଉକ୍ତ ହସପିଟାଲରେ ୧୨୦୦ ଶଯ୍ୟା ରହିଥିଲେ ମଧ୍ୟ ଏବେ କୋଭିଡ ସଂକ୍ରମିତଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖାଦେଇଛି। ତାହାସହିତ ଅକ୍ସିଜେନ ନାହିଁ କିମ୍ବା ଆଇସିୟୁ, ଭେଣ୍ଟିଲେଟର ଖାଲି ନାହିଁ। ରାଜ୍ୟରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। କେବଳ ସେତିକି ନୁହେଁ, ସ୍ଥାନୀୟ କିଛି ବାସିନ୍ଦା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅହମଦାବାଦ ମହାନଗର କର୍ତ୍ତୃପକ୍ଷ ଯେତିକି ପରିମାଣରେ କୋଭିଡ ପରୀକ୍ଷା ଏବଂ କଣ୍ଟାକ୍ଟ ଟ୍ରେସିଂ କରିବା କଥା ତାହା କରୁନାହାନ୍ତି। ଏଣେ ହସପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ଯେ ହସପିଟାଲ ବାହାରେ ଆମ୍ବୁଲାନ୍ସଗୁଡିକ ଦୀର୍ଘ ସମୟ ଛିଡାହୋଇ ରହୁଥିବା ସଂପର୍କରେ ସେମାନେ ଅବଗତ ଅଛନ୍ତି। ସେମାନେ ଯାହା ସମ୍ଭବ ତାହା କରୁଛନ୍ତି। ସେମାନଙ୍କ ନିକଟରେ ଆଉକିଛି ଉପାୟ ନାହିଁ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories