www.samajalive.in
Wednesday, December 10, 2025
16.1 C
Bhubaneswar

ପାହାଡି ଆଦିବାସୀଙ୍କୁ ଥଇଥାନ କରି ଇତିହାସ ରଚିଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କାନକୁଟ୍ରୁ ପଞ୍ଚାୟତର ଦୁର୍ଗମ ବାରଗୁଡ଼ା ଗାଁ। ଗାଁର ଅବସ୍ଥିତି ପାହାଡ଼ ଉପରେ। ସେଠାରେ ଅଛନ୍ତି ୧୬ଟି ଆଦିବାସୀ ପରିବାର। ରାସ୍ତା ନାହିଁ, ନଳକୂପ ନାହିଁ, ବିଜୁଳି ନାହିଁ। ପାହାଡ଼ି ଝରଣାରୁ ପିଇବା ପାଣି ଟୋପେ ଆଣିବାକୁ ଦେଢ଼ଶହ ଫୁଟ ତଳକୁ ଓହ୍ଲାଇବାକୁ ପଡ଼େ। କାହାର ଦେହ ଖରାପ ହେଲେ ଡାକ୍ତରଖାନା ଯିବାକୁ ଉପାୟ ନାହିଁ। ଭାଗ୍ୟକୁ ହିଁ ଭରସା। ପରିସ୍ଥିତି ଅତ୍ୟନ୍ତ ଦୟନୀୟ। ସରକାରଙ୍କ ମୌଳିକ ସୁବିଧା ସେଠି ସାତ ସପନ। ତେବେ ନାହିଁ ନାହିଁ ଭିତରେ ମାଟିକୁ ଜାବୁଡ଼ି ପଡ଼ି ରହିଛନ୍ତି ସେଠାକାର ଆଦିବାସୀ ବାସିନ୍ଦା। ରାସ୍ତା ନଥିବାରୁ ପ୍ରଶାସନ ଚାହିଁଲେ ବି କରି ପାରୁନି କିଛି।

କିଛି ବର୍ଷ ତଳେ ପ୍ରଥମ ବିଡିଓ ଭାବେ ପୀତାମ୍ବର ଭୋଇ ସେହି ଗାଁର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରିଥିଲେ। ନିଜେ ବାରଗୁଡ଼ା ଗାଁକୁ ସେଠାକୁ ଚାଲି ଚାଲି ଯାଇଥିଲେ। ପାହାଡ଼ରୁ ତଳକୁ ଆସିଲେ ସେମାନଙ୍କ ପାଇଁ ସବୁ ସୁବିଧା କରି ଦିଆଯିବ ବୋଲି ଲୋକଙ୍କୁ ବୁଝାଇଥିଲେ। ତେବେ ବୁଝି ନଥିଲେ ସେଠାକାର ଆଦିବାସୀ ଜନତା। ଗାଁ ମାଟି, ଧରନୀକୁ ଛାଡ଼ିକି ଯିବୁ ନାହିଁ, ଗଲେ ଧରନୀ ଦେବତା କୋପ କରିବ ବୋଲି ତଳକୁ ଆସିବାକୁ ଅମଙ୍ଗ ହୋଇଥିଲେ। ପରେ ପରେ ଶ୍ରୀ ଭୋଇଙ୍କ ବଦଳି ହୋଇଗଲା ଏବଂ ସେହି ଆଦିବାସୀଙ୍କ ଅବସ୍ଥାରେ ସୁଧାର ହେବାର ସବୁ ଆଶା ମଉଳିଗଲା।

- Advertisement -

ଏଥରର ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ମଧ୍ୟ ଲାଞ୍ଜିଗଡ଼ ବ୍ଲକରେ ଯୋଗଦେବା ପରେ ଅନେକ ଦୁର୍ଗମ ଗାଁକୁ ଚାଲି ଚାଲି ଯାଉଛନ୍ତି ଓ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି। ନିକଟ ଅତୀତରେ ସେ ବାରଗୁଡ଼ାକୁ ଯାଇ ପହଞ୍ଚି ଥିଲେ ଓ ଲୋକଙ୍କ ଅବସ୍ଥା ଦେଖି ତଳକୁ ଆସିବା ପାଇଁ ବୁଝାଇଥିଲେ। ବହୁ କଷ୍ଟରେ ବୁଝିଲେ ଲୋକେ। ତଳକୁ ଆସିବାକୁ ରାଜି ହେଲେ। ତାପରେ ଶ୍ରୀ ମିଶ୍ରଙ୍କ ଦାୟିତ୍ୱ ବଢ଼ିଗଲା। ସେ ପ୍ରୟାସ ଆରମ୍ଭ କଲେ ସେହି ଆଦିବାସୀଙ୍କ ସୁବିଧା ପାଇଁ। ଆରମ୍ଭ ହେଲା ତାଙ୍କ ସ୍ୱପ୍ନର ପ୍ରକଳ୍ପ “ଆବାସ ନଗର”। ତାହା ସ୍ଥାପନ ପାଇଁ ତହସିଲଦାରଙ୍କୁ ନେଇ ଦିଆଲବାହାଲି ଠାରେ ଜାଗା ଚିହ୍ନଟ ହେଲା। ବର୍ତ୍ତମାନ ସେଥିପାଇଁ ଆଗେଇ ଚାଲିଛି କାମ। ୧୬ଟି ପରିବାର ପାଇଁ ୧୬ଟି ଘର ତିଆରି ଚାଲିଛି।

ସେମାନଙ୍କ ପାଇଁ ରାସ୍ତା, ପାନୀୟଜଳ, ବିଜୁଳିର ସୁବିଧା ହେଉଛି। ସେଠାରେ ଆଦିବାସୀଙ୍କ ଧର୍ମୀୟ ଭାବନାର ପ୍ରତୀକ ଧରନୀ ଗୁଡ଼ି ବି ତିଆରି ହେବା ସହ ଗୋଟେ ଗାଁର ସମସ୍ତ ବୈଶିଷ୍ଟ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଘର କାମରେ ୩୦ ଜଣ ମିସ୍ତ୍ରୀ ଓ ୫୨ ଜଣ ଶ୍ରମିକ ନିୟୋଜିତ ଥିବା ବେଳେ ବର୍ତ୍ତର୍ମାନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ତଦାରଖ ଦାୟିତ୍ୱରେ ଅଛନ୍ତି ଚାରି ପାଞ୍ଚ ଜଣ କନିଷ୍ଠ ଯନ୍ତ୍ରୀ। ବିଡିଓ ଶ୍ରୀ ମିଶ୍ର ସକାଳେ ସଞ୍ଜେ ଯାଇ ପାଣି ଦେଉଛନ୍ତି। ଶ୍ରୀ ମିଶ୍ରଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଉଛି। ଦୁର୍ଗମ ଗାଁର ସେହି ଆଦିବାସୀଙ୍କ ମୁହଁରେ ହସ ଫୁଟାଇବା ମୋର ସ୍ୱପ୍ନ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଲାଞ୍ଜିଗଡ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର – ମୁଁ ଲାଞ୍ଜିଗଡ ବ୍ଲକରେ ଯୋଗଦେବା ଦିନ ଠାରୁ ଅନେକ ଦୁର୍ଗମ ଅଞ୍ଚଳକୁ ପାଦରେ ଚାଲି ଚାଲି ଗସ୍ତ କରିଛି। ସେ ମଧ୍ୟରୁ ଦୁର୍ଗମ ଅପହଞ୍ଚ ଆଦିବାସି ଇଲାକ ହେଉଛି କାନକୁଟ୍ରୁ ପଞ୍ଚାୟତର ବାରଗୁଡା ଗାଁ। ସେହି ଗାଁର ଚିତ୍ର ଅତ୍ୟନ୍ତ ଶୋଚନୀୟ। ପିଇବା ପାଣିର ବ୍ୟବସ୍ଥା ନଥିବା ହେତୁ ଝରଣା ପାଣି ସେମାନଙ୍କ ସାହା ଭରସା ଗୋଟିଏ ମାତ୍ର ସାନିଟାରି ୱାଲ ଅଛି ହେଲେ ପାଣି କମ୍‍ ବାହାରୁଛି। ରାସ୍ତା ନଥିବା ହେତୁ ଖଟିଆରେ ରୋଗୀ ବୁହା ହୁଏ। ଅନେକ ଅବ୍ୟବସ୍ଥା ସେହି ଗାଁରେ ଦେଖିବାକୁ ପାଇଲି ଗାଁ ଲୋକଙ୍କ ସହିତ ସମସ୍ୟାକୁ ନେଇ ଆଲୋଚନା କଲି ସେମାନଙ୍କୁ ପାହଡ ଉପରୁ ତଳକୁ ଆସି ରହିବା ପାଇଁ ବୁଝାଇଲି। ପ୍ରଥମ ପ୍ରଥମେ ଅମଙ୍ଗ ହେଲେ ପରେ ବୁଝିଗଲେ। ବର୍ତ୍ତମାନ ୧୬ଗୋଟି ପରିବାର ପାଇଁ ପାହାଡ ତଳେ ଥିବା ସମତଳ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କ ପାଇଁ ଘର ନିର୍ମାଣ ଚାଲିଛି। ନୁତନ ଗାଁ ସୃଷ୍ଟି କରି ନାଁ ଦିଆହୋଇଛି ଆବାସ ନଗର।

ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନ୍ନାଗା – ବାରଗୁଡାର ରହୁଥିବା ଆଦିବାସି ମାନେ ପାହାଡ ଉପରେ ଥିବା ସଂରକ୍ଷିତ ଜଙ୍ଗଲରେ ରହୁଥିଲେ ସେମାନଙ୍କୁ ବୁଝାସୁଝା କଲାପରେ ତଳକୁ ଆସିବା ପାଇଁ ରାଜି ହେଲେ ସେମାନଙ୍କ ପାଇଁ ଜାଗା ଚିହ୍ନଟ ହେଲା ସମସ୍ତଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ପଟ୍ଟା ପ୍ରଦାନ କରାଯିବ।

ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀ – କାନକୁଟ୍ରୁ ପଞ୍ଚାୟତର ବାରଗୁଡା ଗାଁର ଆଦିବାସିଙ୍କୁ ପାହାଡ ଉପରୁ ତଳକୁ ଓହ୍ଲାଇ ସେମାନଙ୍କ ପାଇଁ ଏକ ନୁତନ ଗାଁ ସୃଷ୍ଟି କରିବା ଓ ସରକାରଙ୍କ ସମସ୍ତ ଯୋଜନାରେ ସେମାନଙ୍କୁ ସାମିଲ କରି ସେମାନଙ୍କ ପାଇଁ ସୁଦ୍ଧ ପାନୀୟ ଜଳ ,କଂକ୍ରିଟ ରାସ୍ତା,ଚେକଡ୍ୟାମ ଆଦି ନିର୍ମାଣ କରିବା ଓ ସରକାରର ସମସ୍ତ ସୁବିଧା ସୁଯୋଗରୁ ସେମାନେ କିଭଳି ବଞ୍ଚିତ ନହେବେ ସେ ଦିଗରେ ବ୍ଲକ ପ୍ରଶାସନ ତାର ଚେଷ୍ଟା ଜାରି ରଖିଛି। ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀ ଏହି ଆବାସ ନଗର ପାଇଁ ସଦା ସର୍ବଦା ତତ୍ପର ଅଛନ୍ତି। ଲାଞ୍ଜିଗଡ ବିଡିଓ ଶ୍ରୀଯୁକ୍ତ ମିଶ୍ରଙ୍କ ପାଇଁ ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରାଯାଇଛି।

କନିଷ୍ଠ ଯନ୍ତ୍ରୀ ରେଣୁକା ଠାକୁର – ଦୁର୍ଗମ ଅଞ୍ଚଳରେ ଏକ ନୁଆ ସମ୍ଭାବନା ସୃଷ୍ଟି କରିଛି ଏହି ବାରଗୁଡା ଗାଁ। ଆଦିବାସିମାନେ ଏହି ଆବାସ ନଗରରେ ଆସି ରହିଲେ ଆମ ଅକ୍ଳାନ୍ତ ପରିଶ୍ରମର ଫଳ ପାଇବୁ ଓ ନିଜକୁ ଧନ୍ୟ ମନେ କରିବୁ। ଏହି ଆବାସ ନଗର ନିର୍ମାଣରେ ନିୟୋଜିତ ଥିବା ସମସ୍ତ ରାଜମିସ୍ତ୍ରୀ, ଶ୍ରମିକ, ଜିପିଟିଏ, ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ସେଥିପାଇଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି।

କୈାଳାସ ସାହୁ, ସଭାପତି ଲାଞ୍ଜିଗଡ ପ୍ରେସକ୍ଲବ – ଦୁର୍ଗମ ଅଞ୍ଚଳରେ ଏକ ନୁତନ ଗାଁ ସୃଷ୍ଟି କରିବା ବ୍ଲକ ପ୍ରଶାସନର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହି ବାରଗୁଡାରେ ରହୁଥିବା ଅଧିବାସିଙ୍କ ଦିର୍ଘଦିନର ସ୍ୱପ୍ନ ପୁରଣ ହେବ। ସେମାନଙ୍କ ପାଇଁ ଆଶାର ଆଲୋକ ହେଉଛି ଆବାସ ନଗର।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories